fbpx

ସ୍କୁଲ ୟୁନିଫର୍ମ ଉପରେ ଶିକ୍ଷାମନ୍ତ୍ରୀଙ୍କ ବଡ଼ ଆଦେଶ: ଡ୍ରେସ କୋଡ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସ୍କୁଲ ପିଲାମାନଙ୍କ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଭିନ୍ନ କରିବା ପାଇଁ ଡ୍ରେସ କୋଡ ବ୍ୟବସ୍ଥା କରାଯାଇଛି । କିନ୍ତୁ ଅନେକ ସମୟରେ ପିଲାମାନେ ଡ୍ରେସ କୋଡ ବିନା ସ୍କୁଲକୁ ଆସୁଥିବା ଦେଖାଯାଇଛି । ଏ ନେଇ ଏକ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ରାଜସ୍ଥାନ ଶିକ୍ଷାମନ୍ତ୍ରୀ ମଦନ ଦିଲାୱର । ରାଜ୍ୟର ସ୍କୁଲମାନଙ୍କରେ ଡ୍ରେସ କୋଡକୁ ନେଇ ସେ କଡ଼ାକଡ଼ି ବ୍ୟବସ୍ଥା କରୁଛନ୍ତି । ଏଣିକି ପିଲାମାନଙ୍କୁ ନିଜ ସ୍କୁଲ ୟୁନିଫର୍ମ ହିଁ ପିନ୍ଧି ସ୍କୁଲକୁ ଆସିବା ବାଧ୍ୟତାମୂଳକ ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ।

ରାଜସ୍ଥାନର ସ୍କୁଲଗୁଡ଼ିକରେ ଡ୍ରେସ କୋଡକୁ ନେଇ କଡ଼ା ନିର୍ଦ୍ଦେଶ ନେବାକୁ ନେଇ ଶିକ୍ଷାମନ୍ତ୍ରୀ ମଦନ କହିଛନ୍ତି ଯେ, ଏହାକୁ ନେଇ ପୂର୍ବରୁ ସ୍ଥାୟୀ ଆଦେଶ ରହିଛି । ପୂର୍ବ ସରକାରରେ ଯାହା ରହିଥିଲା, ବର୍ତ୍ତମାନ ମଧ୍ୟ ସମାନ ଆଦେଶ ହିଁ ରହିଛି । ତେଣୁ ସ୍କୁଲରେ ଯେଉଁ ଡ୍ରେସ କୋଡ ଲାଗୁ ହୋଇଛି, ତାହା ପିନ୍ଧିବା ବାଧ୍ୟତାମୂଳକ । ରାଜସ୍ଥାନ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୨୯ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ସେହିପରି ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ୭ ତାରିଖରୁ ମାର୍ଚ୍ଚ ୩୦ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଉଭୟ ଶ୍ରେଣୀର ପିଲାଙ୍କ ପରୀକ୍ଷା ସକାଳ ୮.୩୦ରୁ ୧୧.୪୫ ପର୍ଯ୍ୟନ୍ତ ଆୟେଜିତ ହେବ ।

ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ସ୍କୁଲରେ ଡ୍ରେସ କୋଡ ନିୟମ କଡ଼ାକଡ଼ି ଭାବରେ ପାଳନ କରାଯିବ । ୟୁନିଫର୍ମ ବ୍ୟତୀତ ଅନ୍ୟ ପୋଷାକ ପିନ୍ଧି ଶିକ୍ଷାନୁଷ୍ଠାନକୁ ଆସିବା ଅନୁଚିତ୍ । ତେବେ ସ୍କୁଲକୁ ଯଦି କେହି ଓଢଣୀ, ମୁହଁ ଲୁଚାଇ କିମ୍ବା ବହୁରୂପୀ ହୋଇ ସ୍କୁଲକୁ ଆସନ୍ତି, ତେବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । କାରଣ ଏଭଳି କାର୍ଯ୍ୟକୁ ଯଦି ଗ୍ରହଣ କରାଯିବ, ତେବେ କାଲି ଯଦି କେହି ହନୁମାନ ରୂପ ଧାରଣ କରି ସ୍କୁଲକୁ ଚାଲି ଆସନ୍ତି, ତେବେ ତାଙ୍କୁ ମଧ୍ୟ ଏହାକୁ ଗ୍ରହଣ କରିବାକୁ ହେବ ।

Get real time updates directly on you device, subscribe now.