fbpx

ରାଜ୍ୟ ପରିବହନ ବିଭାଗର ନିଷ୍ପତ୍ତି: ନିର୍ବାଚନ ପାଇଁ ଗାଡ଼ି ଅଧିଗ୍ରହଣରେ ନିୟୋଜିତ କର୍ମଚାରୀଙ୍କୁ ମିଳିବ ଅଗ୍ରୀମ ପ୍ରାପ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ନିର୍ବାଚନର ସୁପରିଚାଳନା ପାଇଁ ମୁଖ୍ୟ ନିର୍ବାଚନ କମିସନରଙ୍କ ସମସ୍ତ ନିର୍ଦ୍ଦେଶକୁ ସଫଳତାର ସହ ପାଳନ କରୁଛି ରାଜ୍ୟ ପରିବହନ ବିଭାଗ । ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ହେବାକୁ ଥିବା ଗାଡ଼ି ବ୍ୟବସ୍ଥା ସଂପୂର୍ଣ୍ଣ ଶୃଙ୍ଖଳିତ ଓ ତ୍ରୁଟିଶୂନ୍ୟ କରିବା ଉପରେ ଗୁରୁତ୍ୱ ଦେଇଛି ରାଜ୍ୟ ପରିବହନ ପ୍ରାଧିକରଣ । ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପ୍ରାଧିକରଣର ସମସ୍ତ ଉଚ୍ଚ ଅଧିକାରୀ ଉପସ୍ଥିତ ରହିବା ସହ ଆରଟିଓମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାଗ ନେଇଥିଲେ ।

ବର୍ତ୍ତମାନ ସୁଦ୍ଧା କେଉଁ ଅଞ୍ଚଳରୁ କେତେ ଗାଡ଼ି ଅଧିଗ୍ରହଣ ହୋଇଛି ସେ ସଂପର୍କରେ ଆରଟିଓମାନେ ତଥ୍ୟ ରଖିଥିଲେ । ତେବେ ବୁଥ୍ ସଂଖ୍ୟା ଅନୁଯାୟୀ ନିଜ ଅଞ୍ଚଳରେ ସମୁଦାୟ କେତେ ଗାଡ଼ିର ଆବଶ୍ୟକତା ରହିଛି ଏହାର ପୁନଃ ଆକଳନ କରିବାକୁ ପରିବହନ କମିସନର ନିର୍ଦ୍ଦେଶ ଦେଇଛନ୍ତି । ୨୦୧୯ ନିର୍ବାଚନରେ ସମଗ୍ର ରାଜ୍ୟ ପାଇଁ ପରିବହନ ବିଭାଗ ୫୮ ହଜାର ଗାଡ଼ି ଅଧିଗ୍ରହଣ କରିଥିଲା । ଚଳିତ ନିର୍ବାଚନରେ କେତେ ଗାଡ଼ି ଆବଶ୍ୟକ ହେବ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ସହ ଅଧିଗ୍ରହଣ କାର୍ୟ୍ୟକୁ ତ୍ୱରାନ୍ୱିତ କରିବାକୁ ପରିବହନ କମିସନର କହିଛନ୍ତି । ଏହାସହ ଆରଟିଓ ମାନେ ନିଜ ଅଞ୍ଚଳ ପାଇଁ ଗାଡ଼ି ଅଧିଗ୍ରହଣ କରିବା ସହ ଅନ୍ୟ ଅଞ୍ଚଳ ପାଇଁ ଅଧିଗ୍ରହଣ କରିପାରିବେ ବୋଲି ନିଷ୍ପତ୍ତି ହୋଇଛି । ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଗାଡ଼ି ଦେବା ଓ ନେବା କାର୍ଯ୍ୟ ସଂପାଦନ କରାଯିବ ।

ଗାଡ଼ିରେ ନିୟୋଜିତ କର୍ମଚାରୀଙ୍କୁ ଦୈନିକ ଖର୍ଚ୍ଚ ଅଗ୍ରୀମ ପ୍ରଦାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏ ସଂକ୍ରାନ୍ତରେ ପୂର୍ବରୁ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି । ବସ୍ ଓ ଚାରି ଚକିଆର ଚାଳକ, କଣ୍ଡକ୍ଟର କିମ୍ବା ସହାୟକ କର୍ମଚାରୀ ପ୍ରତ୍ୟେକଙ୍କୁ ଦୈନିକ ୫୦୦ ଟଙ୍କା ଓ ଦୁଇ ଚକିଆର ଚାଳକଙ୍କୁ ଦୈନିକ ୨୫୦ ଟଙ୍କା ଅଗ୍ରୀମ ପ୍ରଦାନ କରିବାକୁ ବ୍ୟବସ୍ଥା ହୋଇଛି । ପୂର୍ବ ନିର୍ବାଚନର ଅଭିଜ୍ଞତା ତଥା ନିୟୋଜିତ କର୍ମଚାରୀଙ୍କ ପ୍ରସ୍ତାବ ଭିତ୍ତିରେ ଚଳିତ ନିର୍ବାଚନରେ ଅଗ୍ରୀମ ପ୍ରାପ୍ୟ ବ୍ୟବସ୍ଥା ଲାଗୁ କରାଯାଇଛି । ଏହା ଗାଡ଼ି ମାଲିକ ଓ କର୍ମଚାରୀ ମାନଙ୍କୁ ନିର୍ବାଚନ କାର୍ୟ୍ୟରେ ଭାଗ ନେବାକୁ ଉତ୍ସାହିତ କରିବ ବୋଲି ପରିବହନ କମିସନର ଅମିତାଭ ଠାକୁର ଆଶା ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.