fbpx

ରାଜ୍ୟରେ ନାହାନ୍ତି ଯୋଗ୍ୟ ସଂସ୍କୃତ ଶିକ୍ଷକ, ବିଜ୍ଞାପନ ପରେ ଖାଲି ପଡ଼ୁଛି ଶହ ଶହ ପଦବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଂସ୍କୃତ ବିଷୟକୁ ନେଇ ରାଜ୍ୟରେ ଉଠିଛି ପ୍ରତିବାଦର ସ୍ୱର । ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଆରମ୍ଭ ହେବା ପରେ ଛାତ୍ରଛାତ୍ରୀମାନେ ଆଉ ସଂସ୍କୃତ ଭାଷା ପ୍ରତି ଆଗ୍ରହ ଦେଖାଉ ନାହାନ୍ତି । ହାଇସ୍କୁଲରେ ପିଲାମାନେ ତୃତୀୟ ବିଷୟ ଭାବେ ହିନ୍ଦୁ, ସଂସ୍କୃତ ବଦଳରେ ଧନ୍ଦାମୂଳକ ଶିକ୍ଷାକୁ ପ୍ରଥମେ ଚୟନ କରୁଛନ୍ତି । ତେବେ ବିଭିନ୍ନ କାରଣରୁ ଛାତ୍ରଛାତ୍ରୀମାନେ ସଂସ୍କୃତ ଭାଷାକୁ ତ୍ୟାଗ କରୁଥିବା କୁହାଯାଉଛି ।

ଜଣାପଡ଼ିଛି ଯେ, ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ଅଗଷ୍ଟ ମାସରେ ୧୩୦୪ଟି ସଂସ୍କୃତ ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ବାହାରିଥିଲା । ପରେ କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମାଧ୍ୟମରେ ଶିକ୍ଷକ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମାତ୍ର ସେଥିରୁ ମାତ୍ର ୭୯୬ ଜଣ ଶିକ୍ଷକ ନିଯୁକ୍ତି ପାଇଥିବା ବେଳେ ୫୦୮ଟି ପଦବୀ ଖାଲି ପଡ଼ିଛି । ତେବେ ବିଜ୍ଞପ୍ତିରେ ଏସଟିଙ୍କ ପାଇଁ ୫୦୭ଟି, ଏସସିଙ୍କ ପାଇଁ ୧୯୬, ଏସଇବିସିଙ୍କ ପାଇଁ ୪୧ଟି ଓ ୫୬୦ଟି ଅଣସଂରକ୍ଷିତ ରଖାଯାଇଥିଲା । ତେବେ ନିଯୁକ୍ତି ସମୟରେ ୫୦୭ଟି ଏସଟି ପଦବୀରୁ ମାତ୍ର ୪୩ଟି ପୂରଣ ହୋଇଛି । ସେହିପରି ୧୯୬ଟି ଏସସି ପଦରୁ ୧୫୨ଟି ପୂରଣ ହୋଇଛି । ରାଜ୍ୟରେ ଆବଶ୍ୟକ ମୁତାବକ ଏସଟି ଓ ଏସସି ବର୍ଗର ଯୋଗ୍ୟ ପ୍ରାର୍ଥୀ ନାହାନ୍ତି । ଯୋଗ୍ୟତା ଆଧାରରେ କିଛି ଏସସି ଓଏସଟି ବର୍ଗର ପିଲା ଅଣସଂରକ୍ଷିତ ବର୍ଗରେ ସାମିଲ ହେବା ଫଳରେ ହଜାରରୁ ଅଧିକ ସାଧାରଣ ବର୍ଗର ପିଲା ନିଯୁକ୍ତିରୁ ବଞ୍ଚିତ ହୋଇଛନ୍ତି । ଏନେଇ ଛାତ୍ରଛାତ୍ରୀମାନେ ବିଭାଗୀୟ ମନ୍ତ୍ରୀ, ସଚିବଠାରୁ ନିରାଶ ହେବା ପରେ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ, ଶେଷଥର ପାଇଁ ୨୦୧୪ରେ ସଂସ୍କୃତ ଶିକ୍ଷକ ପଦବୀ ନିଯୁକ୍ତି ହୋଇଥିଲା । ୭ ବର୍ଷ ପରେ ପୁଣି ଥରେ ନିଯୁକ୍ତି ପ୍ରକ୍ରିୟା ହୋଇଥିଲେ ତାହା ମଧ୍ୟ ପୂରଣ ହୋଇ ପାରିନାହିଁ । ୧୩୦୪ଟି ସଂସ୍କୃତ ଶିକ୍ଷକ ପଦବୀ ବାହାରିଥିଲେ ହେଁ ସେଥିପାଇଁ ଯୋଗ୍ୟ ଶିକ୍ଷକ ରାଜ୍ୟରେ ନାହାନ୍ତି । ତେବେ ନିୟମିତ ଭାବେ ନିଯୁକ୍ତି ପ୍ରକିୟା ହେଉନଥିବାରୁ ଛାତ୍ରଛାତ୍ରୀ ଏଥିରୁ ମୁହଁ ଫେରାଉଥିବା ଶିକ୍ଷାବିତମାନେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.