fbpx
BJD SKY
BJD SKY

ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ: ୮୦ ବର୍ଷରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ

BJD

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଦୁଃଖ ଖବର । ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ଆଉ ନାହାନ୍ତି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ୮୦ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ଜଣେ ସୁଲେଖିକା, ଡକୁମେଣ୍ଟାରୀ ଫିଲ୍ମ ନିର୍ମାତା ଓ ସାମ୍ବାଦିକା ଭାବେ ସୁଖ୍ୟାତି ଅର୍ଜନ କରିଥିବା ଗୀତା ଦିଲ୍ଲୀଠାରେ ଇହଲୀଳା ସମ୍ବରଣ କରିଥିବା ଜଣାପଡ଼ିଛି ।

ଗୀତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଏକମାତ୍ର କନ୍ୟା ଓ ନବୀନଙ୍କର ବଡ଼ ଭଉଣୀ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିବା ବେଳେ ସେ ଦିଲ୍ଲୀଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ଆମେରିକାର ପ୍ରଖ୍ୟାତ ପ୍ରକାଶକ ସୋନୀ ମେହେଟ୍ଟା ଗୀତାଙ୍କର ସ୍ୱାମୀ ଥିଲେ ଯେ କି ଗତ ୨୦୧୯ ମସିହାରେ ପରଲୋକ ଗମନ କରିଥିଲେ ।

୧୯୪୩ ମସିହାରେ ଗୀତା ଜନ୍ମଗ୍ରହଣ କରିଥିଲେ । ସେ ଭାରତରେ ଶିକ୍ଷା ଗ୍ରହଣ କରି ପରବର୍ତ୍ତୀ ସମୟରେ ଲଣ୍ଡନର କ୍ରେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ସେ ତିନୋଟି ପୁସ୍ତକ ରଚନା କରିବା ସହିତ ଲଣ୍ଡନ, ୟୁରୋପ ଓ ଆମେରିକାର ନେଟୱାର୍କ ପାଇଁ ୧୪ଟି ଟେଲିଭିଜନ ଡକ୍ୟୁମେଣ୍ଟାରୀକୁ ପ୍ରଯୋଜନା / ନିର୍ଦ୍ଦେଶନା ଦେଇଥିଲେ । ତାଙ୍କର ପୁସ୍ତକକୁ ୨୧ଟି ଭାଷାରେ ଅନୁବାଦ କରାଯିବା ସହ ୟୁରୋପରେ ବେଷ୍ଟସେଲରର ମାନ୍ୟତା ଲାଭ କରିଛି । ସେ ୧୯୬୫ରେ ବିବାହ କରିଥିଲେ ଓ ୨୦୧୯ରେ ଭାରତର ସରକାରଙ୍କ ତରଫରୁ ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ‘ପଦ୍ମଶ୍ରୀ’ ଘୋଷଣା କରାଯାଇଥିଲା । ମାତ୍ର ତାହାକୁ ଗ୍ରହଣ କରିବାକୁ ସେ ମନାକରି ଚର୍ଚ୍ଚାରେ ରହିଥିଲେ । ଭଉଣୀଙ୍କ ମୃତ୍ୟୁ ସମ୍ବାଦ ପାଇ ଗଭୀର ଦୁଃଖରେ ମର୍ମାହତ ହୋଇପଡ଼ିଥିବା ନବୀନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡ଼ିଛି । ଗୀତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ଓ କେନ୍ଦ୍ରୀୟ ସ୍ତରର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.