fbpx

ସୁରେଶ ରାଇନାଙ୍କ ସମ୍ପର୍କୀୟଙ୍କ ହତ୍ୟାକାରୀକୁ ଏନକାଉଣ୍ଟର: ୫୦ ହଜାର ଟଙ୍କାର ଥିଲା ଇନାମ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ସମ୍ପର୍କୀୟଙ୍କ ହତ୍ୟାକାରୀ ଉପରେ ପୋଲିସର କଡା ପାର୍ଯ୍ୟାନୁଷ୍ଠାନ । ହତ୍ୟାକାରୀକୁ ମଜାଫରନଗରରେ ଏନକାଉଣ୍ଟର କରିଛି ପୋଲିସ । ଅଭିଯୁକ୍ତ ରାଶିଦ ଉପରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ତେବେ ଆଜି ପୋଲିସ ଗୁଳିରେ ପ୍ରାଣ ହରାଇଛି ଏହି ରାଶିଦ । ତେବେ ରାଶିଦ ନିକଟରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ ।

ସୂଚନା ଅନୁସାରେ, ଶାହପୁର ଥାନା ପୋଲିସକୁ କେହି ଜଣେ ଫୋନ କରି ରାଶିଦ ସମ୍ପର୍କରେ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଶିଦକୁ ଖୋଜାଖୋଜି ଆରମ୍ଭ କରିଥିଲା । ମୁଜାଫରନଗର ଏସଓଜି ସହ ମିଶି ପୋଲିସ ଖୋଳତାଡ କରୁଥିବା ବେଳେ ଦୁଇ ଜଣ ବାଇକ ଆରୋହୀଙ୍କ ଉପରେ ସନ୍ଦେହ ହୋଇଥିଲା । ସେମାନଙ୍କୁ ରୋକିବା ପାଇଁ ଚେଷ୍ଟା କରିବା ବେଳେ ସେମାନେ ଗାଡି ରୋକିବା ବଦଳରେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ତେବେ ପୋଲିସ ସେମାନଙ୍କୁ ଘେରାଉ କରି ପାଲଟା ଗୁଳିଚାଳନା କରିଥିଲା । ଗୁଳିକାଣ୍ଡ ସମୟରେ ରାଶିଦର ସାଥୀ ଚକମା ଦେଇ ଫେରାର ହୋଇଯାଇଥିବା ବେଳେ ପୋଲିସ ଗୁଳିରେ ଆହତ ହୋଇଥିଲା ରାଶିଦ । ତେବେ ଚିକିସବା ପାଇଁ ମେଡିକାଲ ନିଆଯିବା ପରେ ଡାକ୍ତର ରାଶିଦକୁ ମୃତ ଘୋଷଣା କରିଛନ୍ତି ।

ତେବେ ଏହି ଗୁଳିକାଣ୍ଡରେ ଥାନା ଅଧ୍ୟକ୍ଷ ବବଲୁ କୁମାରୁ ମଧ୍ୟ ଆହତ ହୋଇଛନ୍ତି । ବର୍ତ୍ତମାନ ତାଙ୍କର ଚିକିସବା ଜାରି ରହିଥିବା ବେଳେ ବିପଦମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି । ସେପଟେ ରାଶିଦ ନିକଟରୁ ପିସ୍ତଲ ସହିତ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଜବତ କରିଛି ପୋଲିସ । ପ୍ରକାଶ ଥାଉ କି, ରାଶିଦ ପୂର୍ବ କ୍ରିକେଟର ସୁରେଶ ରାଇନାଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରିବା ପରେ ପୋଲିସର ୱଣ୍ଟେଡ ଲିଷ୍ଟରେ ରହିଥିଲା । ଏମିତିକି ରାଶିଦକୁ ଧରାଇ ଦେବା ପାଇଁ ପ୍ରଶାସନ ତରଫରୁ ୫୦ହଜାର ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.