fbpx
BSKY SKY
BSKY SKY

ଇଂଲଣ୍ଡ ୨୪୬ ରନରେ ଅଲଆଉଟ୍: ମ୍ୟାଚକୁ ୨ ଦିନରେ ସମାପ୍ତ କରିଦେବେ କି ଭାରତୀୟ ସ୍ପିନ ବାହିନୀ, ସତ ହେବ କି ଭବିଷ୍ୟବାଣୀ

BSKY

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ମଧ୍ୟରେ ଆଜିଠାରୁ ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ଆରମ୍ଭ ହୋଇଛି । ତେବେ ସିରିଜ୍ ଆରମ୍ଭରୁ ହିଁ ଭ୍ରମଣକାରୀ ଦଳ ଘରୋଇ ଦଳ ସମ୍ମୁଖରେ ଆତ୍ମସମର୍ପଣ କରିଦେଇଛି । ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ ଭାରତୀୟ ସ୍ପିନ୍ ବାହିନୀଙ୍କ ଆକ୍ରମଣକୁ ପ୍ରତିହତ କରିବାରେ ଇଂଲଣ୍ଡର ସମସ୍ତ ବ୍ୟାଟ୍ସମ୍ୟାନ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲେ । ଦଳର କେବଳ ଜଣେ ବ୍ୟାଟ୍ସମ୍ୟାନ ୫୦ ଅଙ୍କ ଟପି ପାରିଥିଲେ । ଅଧିନାୟକ ବେନ ଷ୍ଟୋକ୍ସର ଧୈର୍ଯ୍ୟର ସହ ଖେଳି ୮୮ଟି ବଲରୁ ୭୦ ରନ୍ ସଂଗ୍ରହ କରିଥିଲେ ।

ଦଳୀୟ ସ୍କୋର ୫୫ ରନ୍ ହୋଇଥିବା ବେଳେ ଇଂଲଣ୍ଡର ପ୍ରଥମ ୱିକେଟ ପତ୍ତନ ଘଟିଥିଲା । ଏହାପରେ ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ ନିୟମିତ ବ୍ୟବଧାନରେ ପାଭିଲିୟନ ଫେରିଥିଲେ । କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ଭାରତୀୟ ସ୍ପିନର ରବିଚନ୍ଦ୍ରନ ଜାଡ଼େଜା ୩ଟି, ରବିଚନ୍ଦ୍ରନ ଅଶ୍ୱିନ ୩ଟି, ଅକ୍ଷର ପଟେଲ ୨ଟି ୱିକେଟ ଅକ୍ତିଆର କରି ପ୍ରତିପକ୍ଷଙ୍କ ବ୍ୟାଟିଂ ଦୁର୍ଗକୁ ଧୂଳିସାତ କରିଦେଇଥିଲେ ।

ତେବେ ଇଂଲଣ୍ଡ ପ୍ରଥମ ଦିନରେ କମ୍ ରନରେ ଅଲଆଉଟ୍ ହେବା ଫଳରେ ଭାରତ ନିକଟରେ ଏକ ବଡ଼ ସୁଯୋଗ ରହିଛି । ଏଭଳି ସ୍ଥିତିରେ ଆଜି ଭାରତ କିଛି ସମୟ ବ୍ୟାଟିଂ କରିବାର ସୁଯୋଗ ପାଇବ । ଏହି ପରିପ୍ରେକ୍ଷୀରେ ଭାରତୀୟ ପେସର ମହମ୍ମଦ ସିରାଜଙ୍କ ଭବିଷ୍ୟବାଣୀ ସତ ହୋଇପାରେ । ପ୍ରଥମ ଟେଷ୍ଟ ମାତ୍ର ଦୁଇ ଦିନରେ ସମାପ୍ତ ହୋଇଯିବ ବୋଲି ସିରାଜ କହିଥିଲେ । ଏହି ମ୍ୟାଚ ହାଇଦ୍ରାବାଦରେ ଖେଳାଯାଉଥିବା ବେଳେ ଏହା ସିରାଜଙ୍କ ଘରୋଇ ପଡ଼ିଆ । ତେଣୁ ଏହି ପିଚ ଭାରତୀୟ ବୋଲରଙ୍କୁ ସହାୟକ ହେବ ବୋଲି ସିରାଜ ପୂର୍ବାନୁମାନ କରିଥିଲେ ।

Get real time updates directly on you device, subscribe now.