fbpx

ଘରୋଇ ମାଟିରେ ଭାରତର ବୋଲିଂ ଦୁର୍ବଳତା: ୧୧୨ ରନରେ ଇଂଲଣ୍ଡର ୫ଟି ୱିକେଟ ଯାଇଥିଲା, ୩୫୩ ରନ୍ କଲା କିପରି

ନୂଆଦିଲ୍ଲୀ: ରାଞ୍ଚିରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟରେ ଭାରତୀୟ ବୋଲିଂ ଦୁର୍ବଳତା ପଦାରେ ପଡ଼ିଛି । ପ୍ରଥମ ଦିନରେ ୩୦୨ ରନରେ ୭ ୱିକେଟ ହରାଇଥିବା ଇଂଲଣ୍ଡ ଏହା ମଧ୍ୟରେ ପ୍ରଥମ ଇନିଂସାରେ ୩୫୩ ରନ୍ କରିବାକୁ ସକ୍ଷମ ହୋଇଛି । ଏକଦା ୧୧୨ ରନରେ ୫ଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଇଂଲଣ୍ଡ କଡ଼ା ସଂଘର୍ଷ କରି ସ୍କୋରକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇ ପାରିଛି ।

ଟେଷ୍ଟରେ ଡେବ୍ୟୁ କରିଥିବା ଆକାଶ ଦୀପ ୩ଟି ୱିକେଟ ଅକ୍ତିଆର କରି ଇଂଲଣ୍ଡକୁ ପ୍ରାରମ୍ଭିକ ଝଟକା ଦେଇଥିଲେ ହେଁ ତା’ର ଫାଇଦା ଦଳର ଅନ୍ୟ ବୋଲରମାନେ ଉଠାଇ ପାରିନଥିଲେ । ଫଳରେ ଘରୋଇ ମାଟିରେ ଭାରତର ବୋଲିଂ ଦୁର୍ବଳତା ପୁଣି ଥରେ ପଦାରେ ପଡ଼ିଛି । ଯଦି ଅନ୍ୟ ବୋଲରମାନେ ଉଚ୍ଚକୋଟୀର ପ୍ରଦର୍ଶନ କରି ଇଂଲଣ୍ଡକୁ ଅଟକାଇ ପାରିଥାନ୍ତେ ତେବେ ଭାରତ ପାଇଁ ଭଲ ହୋଇଥାନ୍ତା । ଯଦିଓ ରବିନ୍ଦ୍ର ଜାଡ଼େଜା ୪ଟି ୱିକେଟ ଅକ୍ତିଆର କରିଥିଲେ ତେବେ ତାହା ଇଂଲଣ୍ଡକୁ ଅଟକାଇ ରଖିବାରେ ଯଥେଷ୍ଟ ହୋଇନଥିଲା ।

୫ଟି ବଡ଼ ୱିକେଟ ଯିବା ପରେ ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟ୍ ଯେଉଁଭଳି ଭାବେ ଅପରାଜିତ ଶତକୀୟ ଇନିଂସ ଖେଳିଲେ ତାହା ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ । ନିମ୍ନକ୍ରମର ଅନ୍ୟ ବ୍ୟାଟ୍ସମ୍ୟାନମାନେ ରୁଟଙ୍କୁ ସହଯୋଗ କରିବା ଫଳରେ ଇଂଲଣ୍ଡ ପ୍ରଥମ ଇନିଂସରେ ଏକ ଦୃଢ଼ ସ୍ଥିତିରେ ପହଞ୍ଚି ପାରିଛି । ଇଂଲଣ୍ଡକୁ ଟକ୍କର ଦେବାକୁ ହେଲେ ଏବେ ଭାରତକୁ ମଧ୍ୟ ପ୍ରଥମ ଇନିଂସରେ ଏକ ହାଇ ସ୍କୋର କରିବାକୁ ପଡ଼ିବ ।

Get real time updates directly on you device, subscribe now.