ସାଢ଼େ ୬ କୋଟି ଲୋକଙ୍କ ପାଇଁ ଖୁସି ଖବର, ଆସନ୍ତା ମାସ ଶେଷ ସୁଦ୍ଧା PF ଖାତାଧାରୀଙ୍କ ଆକାଉଣ୍ଟରେ ଅର୍ଥ କ୍ରେଡିଟ୍ କରିବ EPFO
ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟନିଧି ସଂଗଠନ ପାଣ୍ଠି (ଇପିଏଫଓ)ର ସମସ୍ତ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର । ପିଏଫ୍ ଖାତାଧାରୀଙ୍କ ସୁଧ ପୂର୍ବରୁ ସ୍ଥିରୀକୃତ ହୋଇସାରିଥିବା ବେଳେ ଏହା ଉପରେ ଅର୍ଥ ମନ୍ତ୍ରଣାଳୟର ମୋହର ଲାଗିବା କେବଳ ବାକି ରହିଛି । ଯଦିଓ ଏନେଇ ଅଫିସିଆଲ ଭାବେ ଏପିଏଫଓ ପକ୍ଷରୁ କୌଣସି ବୟାନ ଜାରି କରାଯାଇ ନାହିଁ । ତେବେ ଇପିଏଫଓର ଉପଭୋକ୍ତାଙ୍କ ପିଏଫ ଖାତାକୁ ଆସନ୍ତା ମାସ ଶେଷ ସୁଦ୍ଧା ଅର୍ଥ କ୍ରେଡିଟ୍ କରାଯିବାର ସମ୍ଭାବନା ରହିଛି । ଏହି ଫାଇଦା ଇପିଏଫଓର ୬.୫ କୋଟି ଉପଭୋକ୍ତା ଉଠାଇ ପାରିବେ ।
ସୂଚନାଯୋଗ୍ୟ ଯେ, ଗତ କିଛି ଦଶନ୍ଧି ଧରି ପିଏଫରୁ ମିଳୁଥିବା ସୁଧ ହାର ସର୍ବନିମ୍ନ ସ୍ତରରେ ରହିଛି । ୨୦୨୧-୨୨ ବର୍ଷ ପାଇଁ ପିଏଫ୍ ସୁଧ ହାର ୮.୧ ପ୍ରତିଶତ ସ୍ଥିର କରାଯାଇଛି । ୧୯୭୭-୮ ପରେ ଏହା ସବୁଠାରୁ କମ୍ ସୁଧ ହାର । ଏହା ପୂର୍ବରୁ ୨୦୨୦-୨୧ରେ ପିଏଫ୍ ଖାତାରେ ୮.୫ ପ୍ରତିଶତ ସୁଧ ମିଳୁଥିଲା । ୨୦୧୯-୨୦ରେ ସୁଧ ହାର ୮.୬୫ରୁ ହ୍ରାସ କରାଯାଇ ୮.୫ ପ୍ରତିଶତ କରାଯାଇଥିଲା ।
ସାଧାରଣ ଭାବେ ପିଏଫ ଖାତାଧାରୀଙ୍କ ଆକାଉଣ୍ଟରେ ଜମା ହେଉଥିବା ଅର୍ଥକୁ ଇପିଏଫଓ ବିଭିନ୍ନ ସ୍ଥାନରେ ନିବେଶ କରିଥାଏ । ଏହି ନିବେଶରୁ ମିଳୁଥିବା ଅର୍ଥକୁ ଇପିଏଫଓ ସୁଧ ହାର ଆକାରରେ ପ୍ରଦାନ କରିଥାଏ । ବର୍ତ୍ତମାନ ସମୟରେ ଇପିଏଫଓ ୮୫ ପ୍ରତିଶତ ଅଂଶଧନ ଡେବଟ ଅପ୍ସନରେ ନିବେଶ କରୁଛି । ସେଥିମଧ୍ୟରେ ସରକାରୀ ସିକ୍ୟୁରିଟିଜ୍ ଓ ବଣ୍ଡ ସାମିଲ ରହିଛି । ଅବଶିଷ୍ଟ ୧୫ ପ୍ରତିଶତ ଅଂଶଧନକୁ ଇଟିଏଫରେ ଲଗାଯାଇଥାଏ । ଡେବଟ ଓ ଇକ୍ୱିଟି ନିବେଶରୁ ମିଳୁଥିବା ଲାଭରୁ ପିଏଫ ସୁଧ ହାର ସ୍ଥିର କରାଯାଇଥାଏ ।