ବାପା ଚାହିଁଲେ ବି ନିଜ ପୁଅ ନାଁରେ ୱିଲ୍ କରିପାରିବେନି ସବୁ ସମ୍ପତ୍ତି; ମୃତ୍ୟୁ ପରେ ଜଣାପଡ଼ିଲେ ବି ହୋଇପାରିବ ଚ୍ୟାଲେଞ୍ଜ

ଓଡ଼ିଶା ଭାସ୍କର : ସମୟ ସହିତ ତାଳ ଦେଇ ଆମ ସମାଜ ବି ଦ୍ରୁତ ଗତିରେ ବଦଳୁଛି । ଆଉ ଏହା ସହିତ ବଦଳୁଛି ଲୋକମାନଙ୍କ ଚିନ୍ତାଧାରା । ଯେଉଁଥି ପାଇଁ ପୁଅ ଓ ଝିଅଙ୍କ ମଧ୍ୟରେ ପାତର ଅନ୍ତର ପୂର୍ବ ଅପେକ୍ଷା ହ୍ରାସ ପାଇଛି । ଏହି କାରଣରୁ ଏବେ ଆମ ଦେଶରେ ବର୍ତ୍ତମାନ ପୁଅଙ୍କ ପରି ଝିଅମାନଙ୍କୁ ବି ବାପାଙ୍କ ସମ୍ପତ୍ତିରେ ଆଇନଗତ ଭାବରେ ସମ୍ପୂର୍ଣ୍ଣ ଅଧିକାର ଦିଆଯାଉଛି। ଅର୍ଥାତ ଝିଅମାନେ ଏବେ କ୍ଲାସ-୧ ବା ପ୍ରଥମ ଶ୍ରେଣୀର ଉତ୍ତରାଧିକାରୀ, ଯେଉଁମାନେ କି ନିଜ ବାପାଙ୍କ ସମ୍ପତ୍ତି ଉପରେ ସମାନ ଅଧିକାର ଦାବି କରିପାରିବେ।

ତଥାପି, ବେଳେବେଳେ ଏଥିରେ କିଛି ସମସ୍ୟା ଦେଖାଦିଏ। କାରଣ ଅନେକ ସମୟରେ ପ୍ରଶ୍ନ ଉଠେ ଯେ ଯଦି ଜଣେ ବ୍ୟକ୍ତି ନିଜର ସମସ୍ତ ସମ୍ପତ୍ତି ନିଜ ଇଚ୍ଛାରେ ନିଜ ପୁଅ କିମ୍ବା ଅନ୍ୟ କାହା ନାଁରେ କରିଦିଅନ୍ତି ତେବେ କଣ ହେବ? ଏହା ପରେ କଣ ତାଙ୍କ ଝିଅ ନିଜ ବାପାଙ୍କ ସମ୍ପତ୍ତି ଉପରେ ଉତ୍ତରାଧିକାର ଦାବି କରିପାରିବ ? ଏଭଳି କ୍ଷେତ୍ରରେ କଣ କରାଯାଇପାରିବ ଆସନ୍ତୁ ଜାଣିବା। ପୂର୍ବରୁ ବାପାଙ୍କ ସମ୍ପତ୍ତିରେ ଝିଅମାନଙ୍କର କୌଣସି ଅଧିକାର ନଥିଲା, ହେଲେ ଆଜି ସବୁଥିରେ ଝିଅମାନେ ସମାନ ଅଧିକାର ପାଉଛନ୍ତି । ୨୦୦୫ ମସିହାରେ ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୬୫ରେ ସଂଶୋଧନ କରାଯାଇଥିଲା । ଆଉ ଏହି ନିୟମ ଅନୁସାରେ ଝିଅମାନଙ୍କୁ ପୈତୃକ ସମ୍ପତ୍ତିରେ ସମାନ ଅଂଶ ପାଇବାକୁ ଆଇନଗତ ଅଧିକାର ଦିଆଯାଇଛି। ବାପାଙ୍କର ନିଜସ୍ୱ ସଂପତ୍ତି ଉପରେ ପୁଅଙ୍କ ପରି ଝିଅଙ୍କର ମଧ୍ୟ ସମାନ ଅଧିକାର ରହିଛି। ଝିଅ ବିବାହିତ ହୁଅନ୍ତୁ ବା ଅବିବାହିତ ହୋଇଥାଆନ୍ତୁ କିମ୍ବା ତାଙ୍କର ଛାଡପତ୍ର ହୋଇଥାଉ ଏହା କୌଣସି ଫରକ ପକାଇ ନଥାଏ। କିନ୍ତୁ ଯଦି ବାପା ତାଙ୍କ ସମ୍ପତ୍ତି ନିଜ ଇଚ୍ଛା ଅନୁସାରେ ପୁଅଙ୍କ ନାଁରେ କରନ୍ତି ତେବେ କଣ ହେବ?

ହିନ୍ଦୁ ଉତ୍ତରାଧିକାର ଅଧିନିୟମ ୨୦୦୫ ଅନୁଯାୟୀ, ପୁଅ ଭଳି ଝିଅ ମଧ୍ୟ ବାପାଙ୍କ ସମ୍ପତ୍ତିର ପ୍ରଥମ ଶ୍ରେଣୀ ଉତ୍ତରାଧିକାରୀ। ଯଦି ବାପାଙ୍କ ମୃତ୍ୟୁ ପରେ ଏହା ଜଣାପଡେ ଯେ ସେ କେବଳ ପୁଅ ନାଁରେ ସମସ୍ତ ସମ୍ପତ୍ତି ୱିଲ କରିଛନ୍ତି ଓ ସେଥିରେ ଝିଅର ନାଁ ନାହିଁ ତେବେ ଝିଅ ଏହାକୁ ଚ୍ୟାଲେଞ୍ଜ କରିପାରିବ। ଯଦି ଏହା ପୈତୃକ ସମ୍ପତ୍ତି ଏବଂ ବାପା ଏହାକୁ ନିଜେ ଅର୍ଜନ କରିନାହାନ୍ତି ତେବେ ପୁଅ ଓ ଝିଅ ଏଥିରେ ସମାନ ଅଧିକାର ପାଇବେ। କିନ୍ତୁ ଯଦି ବାପା ଜୀବିତ ଅଛନ୍ତି ଏବଂ ନିଜର ସଂପତ୍ତି ପୁଅ କିମ୍ୱା ଝିଅକୁ ଦେବାକୁ ଚାହୁଁ ନାହାଁନ୍ତି, ତେବେ ଝିଅ ଏବଂ ପୁଅ କିଛି କରିପାରିବେ ନାହିଁ । ନିୟମ ଅନୁଯାୟୀ, ଯେକୌଣସି ବ୍ୟକ୍ତି ନିଜର ଅର୍ଜିତ ସମ୍ପତ୍ତି କାହାକୁ ବି ଦେଇପାରନ୍ତି କିମ୍ବା ବିକ୍ରି କରିପାରନ୍ତି। ସମ୍ପତ୍ତି ଉପରେ ଦାବି ଓ ଅଧିକାରର ବ୍ୟବସ୍ଥା ପାଇଁ ୧୯୫୬ ମସିହାରେ ଏହି ଆଇନ କରାଯାଇଥିଲା ।