ପ୍ରତ୍ୟେକ ବ୍ୟକ୍ତିର ନିଜ ଲିଙ୍ଗ ବାଛିବାର ଅଧିକାର ରହିଛି – ରାଜସ୍ଥାନ ହାଇକୋର୍ଟର ବଡ ରାୟ

News across the Earth, news close to your heart, Read Odisha Bhaskar English

ଯୋଦ୍ଧାପୁର : ନିଜ ଲିଙ୍ଗ ଚୟନକୁ ନେଇ ରାଜସ୍ଥାନ ହାଇକୋର୍ଟ ଆଜି ଏକ ବଡ ରାୟ ଶୁଣାଇଛନ୍ତି । ଜଣେ ବ୍ୟକ୍ତି ନିଜ ଲିଙ୍ଗ ଚୟନ କରିପାରିବ ଏବଂ ସେହି ଅନୁଯାୟୀ ନିଜ ଲିଙ୍ଗ ପରିବର୍ତ୍ତନ କରିପାରିବ, ତାହା ହେଉଛି ସଂମ୍ପୃକ୍ତ ବ୍ୟକ୍ତିର ମୌଳିକ ଅଧିକାର ବୋଲି ରାଜସ୍ଥାନ ହାଇାକୋର୍ଟ ଏହି ରାୟ ଦେଇଛନ୍ତି । ଜଷ୍ଟିସ୍ ଅନୁପ କୁମାର ଚାନ୍ଦ ଜଣିକିଆ ବେଞ୍ଚରେ ଏହି ରାୟ ଶୁଣାଇଛନ୍ତି । ଏହି ରାୟ ଆବେଦନକାରୀଙ୍କ ସାପକ୍ଷରେ ଯାଇଛି ।

ଆବେଦନକାରୀ ଜନ୍ମ ସମୟରେ ମହିଳା ଥିଲେ ଏବଂ ପରେ ସେକ୍ସ ଚେଞ୍ଜ ସର୍ଜରୀ କରି ପୁରୁଷ ହୋଇଥିଲେ। ପରେ ସେ ଜଣେ ମହିଳାଙ୍କୁ ବିବାହ କରି ଦୁଇ ସନ୍ତାନର ପିତା ହୋଇଥିଲେ। ଆବେଦନକାରୀ ଯୁକ୍ତି ବାଢିଛନ୍ତି ଯେ ଯେପର୍ଯ୍ୟନ୍ତ ସରକାରୀ ରେକର୍ଡରେ ନାମ ଏବଂ ଲିଙ୍ଗ ପରିବର୍ତ୍ତନ ନ ହେଇଛି ସେପର୍ଯ୍ୟନ୍ତ ତାଙ୍କ ତଥା ତାଙ୍କ ପରିବାର ପାଇଁ ଚ୍ୟାଲେଞ୍ଜ ହେବ। କିନ୍ତୁ ରେକର୍ଡ ବଦଳିଗଲେ ଏନେଇ କୌଣସି ଅସୁବିଧାର ସମ୍ମୁଖୀନ ହେବା ଉଚିତ୍ ନୁହେଁ । ଅନ୍ୟ ପକ୍ଷରେ ରାଜ୍ୟ ଅଧିକାରୀମାନେ କୋର୍ଟରେ କହିଛନ୍ତି ଯେ ଆବେଦନକାରୀ ଜଣେ ମହିଳା ଏବଂ ତାଙ୍କର ପରିଚୟ କେବଳ ମହିଳା ଭାବରେ ପଞ୍ଜିକୃତ ହୋଇଛି। ଏଭଳି ପରିସ୍ଥିତିରେ ପୁରୁଷ ଭାବରେ ସିଭିଲ କୋର୍ଟର ଘୋଷଣା ହେବା ଠିକ୍ ନୁହେଁ ।

ଉଭୟ ପକ୍ଷର ଯୁକ୍ତି ଉପରେ ବିଚାର କରିବା ପରେ କୋର୍ଟ କହିଛନ୍ତି ଯେ ଲିଙ୍ଗ ପରିଚୟ ହେଉଛି ଜଣେ ବ୍ୟକ୍ତିଙ୍କ ଜୀବନର ଏକ ମୌଳିକ ଦିଗ ଯାହାକୁ ସମ୍ମାନ ଦେବା ଉଚିତ୍। ସମ୍ବିଧାନ ଦ୍ୱାରା ଦିଆଯାଇଥିବା ସମାନତା ଅଧିକାରକୁ କୋର୍ଟ ଆଲୋକପାତ କରି କହିଛନ୍ତି, ଜନ୍ମ ସହିତ ସମସ୍ତ ବ୍ୟକ୍ତିର ମୌଳିକ ଅଧିକାର ଉପରେ ହକ୍ ବା ଅଧିକାର ରହିଛି । ଟ୍ରାନ୍ସଜେଣ୍ଡରଙ୍କ ସମ୍ମାନକୁ ସୁନିଶ୍ଚିତ କରିବା ପାଇଁ ପ୍ରଣୟନ କରାଯାଇଥିବା ଟ୍ରାନ୍ସଜେଣ୍ଡର ପର୍ସନ୍ସ (ପ୍ରୋଟେକସନ୍ ଅଫ୍ ରାଇଟ୍ସ) ଆକ୍ଟ ୨୦୧୯ ର ବ୍ୟବସ୍ଥାକୁ କୋର୍ଟ ଉଲ୍ଲେଖ କରିଛନ୍ତି।

ଅଦାଲତ କହିଛନ୍ତି ଯେ ଯେଉଁମାନେ ଅସ୍ତ୍ରୋପଚାର କରିବା ପରେ ପ୍ରମାଣପତ୍ର ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରିଛନ୍ତି ସେମାନଙ୍କୁ ଅନୁମତି ଦିଆଯାଇଛି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ଲିଙ୍ଗ କ’ଣ ହେବା ଉଚିତ୍ ତାହା ସ୍ଥିର କରିବାର ଅଧିକାର ରହିଛି। ସମସ୍ତେ ଏହି ବିଷୟରେ ନିଜ ପାଇଁ ନିଷ୍ପତ୍ତି ନେଇପାରିବେ । ଏହା ସ୍ୱାଧୀନତାର ଅନ୍ୟତମ ମୌଳିକ ଦିଗ । ଏହା ସହିତ ଲିଙ୍ଗ ସବିଶେଷ ତଥ୍ୟରେ ପରିବର୍ତ୍ତନ ଆଣିବାକୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରିବାକୁ କୋର୍ଟ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାର୍ଟିଫିକେଟ୍ ପାଇବା ପରେ ଆବେଦନକାରୀ ସେବା ରେକର୍ଡ ସଂଶୋଧନ ପାଇଁ ଏକ ନୂତନ ଆବେଦନ କରିବେ ।

Get real time updates directly on you device, subscribe now.