fbpx

ଆଡଲାଇନ୍: ଖାଲି ଚେହେରା ନୁହେଁ, ହୃଦୟରୁ ସୁନ୍ଦରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତିବର୍ଷ ଆୟୋଜିତ ହୋଇଥାଏ ମିସ୍ ଇଣ୍ଡିଆ, ମିସ୍ ୟୁନିଭର୍ସ ଭଳି ପ୍ରତିଯୋଗିତା । ଖାଲି ସେତିକି ନୁହେଁ, ବିଭିନ୍ନ ବର୍ଗରେ ବିଭିନ୍ନ ଧରଣର ଅନେକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ବିଶ୍ୱବ୍ୟାପୀ ହୋଇଆସୁଛି । ଏଥିପାଇଁ ଏକ ସ୍ୱତନ୍ତ୍ର କ୍ରେଜ୍ ମଧ୍ୟ ରହିଛି । ଅନେକ ପ୍ରତିଯୋଗୀ ଏଥିରେ କେବଳ ସାମିଲ୍ ହୋଇଗଲେ ନିଜକୁ ଧନ୍ୟ ମନେକରନ୍ତି । ଆଉ ଟାଇଟଲ୍ ପାଇଗଲେ ରାତାରାତି ଷ୍ଟାର୍ ଡମ୍ କ୍ୟାଟୋଗୋରୀ ଭିତରେ ଖୁବ୍ ଲୋକପ୍ରିୟତା ମିଳିଯାଏ । ସେ ଯାହାହେଉ, ସାରା ବିଶ୍ୱରେ ହେଉଥିବା ବିଭିନ୍ନ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାରତୀୟ ସୁନ୍ଦରୀମାନେ ଆଦୌ ପଛରେ ନାହାନ୍ତି । କିଛି ନିର୍ଦ୍ଦିଷ୍ଟ ବର୍ଷର ବ୍ୟବଧାନ ଭିତରେ କେହି ନା କେହି ଏଭଳି ସୁନ୍ଦରୀ ମୁକୁଟ ହାସଲ୍ କରିଆସୁଛନ୍ତି । ଏହି କ୍ରମରେ ୨୦୨୦ ବର୍ଷ ପାଇଁ ମିସ୍ ୟୁନିଭର୍ସ ରନର୍ସ ଅପ୍ ହୋଇଛନ୍ତି ଆଡଲାଇନ କାଷ୍ଟେଲିନୋ । ଫଳରେ ଭାରତର ବିଭିନ୍ନ ମହଲରୁ ତାଙ୍କୁ ମିଳୁଛି ଶୁଭେଚ୍ଛା ।

ଆସନ୍ତୁ ଜାଣିବା କିଏ ଏହି ଆଡଲାଇନ କାଷ୍ଟେଲିନୋ

ଆଡଲାଇନ କ୍ୱାଡ୍ରୋସ କାଷ୍ଟୋଲିନେ କୁଏତରେ ଜନ୍ମଗ୍ରହଣ କରିଥିଲେ । କର୍ଣ୍ଣାଟକର ଉଡୁପି ହେଉଛି ତାଙ୍କ ପୈତୃକ ସ୍ଥାନ । ମିସ ଡିଭା ୟୁନିଭର୍ସ-୨୦୨୦ ଟାଇଟଲ ଜିତିବା ପୂର୍ବରୁ ଆଡଲାଇନ କାଷ୍ଟେଲିନୋ ବିକାଶ ସହଯୋଗ ପ୍ରତିଷ୍ଠାନ ଏବଂ ଶିଶୁ ସହାୟତା ପ୍ରତିଷ୍ଠାନ ଭଳି ବିଭିନ୍ନ ସମାଜ କଲ୍ୟାଣ ସଂସ୍ଥା ସହ କାମ କରିଆସୁଛନ୍ତି । ବିଶେଷକରି LGBTQ ଗୋଷ୍ଠୀଙ୍କ ସାମାଜିକ ଅଧିକାର ଏବଂ ସମାଜରେ ସେମାନଙ୍କ ଉପଯୁକ୍ତ ସମ୍ମାନ ପାଇଁ ଆଡଲାଇନ୍ ସକ୍ରିୟ ଭାବେ ଲଢ଼େଇ କରିଆସୁଛନ୍ତି ।ଖାଲି ସେତିକି ନୁହେଁ ମହିଳାଙ୍କ ସଶକ୍ତିକରଣ ଓ ସେମାନଙ୍କୁ ଉଚିତ୍ ନ୍ୟାୟ ପାଇଁ ମଧ୍ୟ ନିଜର ସ୍ୱରକୁ ଶାଣିତ କରିଆସୁଛନ୍ତି । ଏଥିସହ ଫ୍ରି ଇଣ୍ଡିଆ ଅଭିଯାନର ସେ ଜଣେ ଚର୍ଚ୍ଚିତ ସମାଜସେବୀ । ସେହିପରି ମହିଳାମାନଙ୍କୁ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ କାର୍ଯ୍ୟ କରୁଥିବା ସ୍ନେହା ନାମକ ଏକ ଏନଜିଓରେ ସେ କାର୍ଯ୍ୟ କରିଛନ୍ତି ।

ମୁମ୍ବାଇର ୱିଲସନ କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ୍ କରିଥିବା ଆଡଲାଇନ୍ ଅଭିନୟ ପାଇଁ ଖୁବ୍ ଆଗ୍ରହୀ ବୋଲି କହିଛନ୍ତି । ସମ୍ପ୍ରତି ମହାମାରୀ କରୋନା କାଳରେ ଏଚଆଇଭି ପ୍ରଭାବିତ ପିଲାମାନଙ୍କ ପାଇଁ ପାଣ୍ଠି ସଂଗ୍ରହରେ ସାହାଯ୍ୟ କରିବା ସହ କୋଭିଡ ସୁରକ୍ଷା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରୁଛନ୍ତି ଆଡଲାଇନ୍ ।

 

 

Get real time updates directly on you device, subscribe now.