fbpx

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର: ଖୁବଶୀଘ୍ର BJPରେ ଯୋଗଦେବାର ସମ୍ଭାବନା

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ସହିତ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ହେବା ନେଇ ସ୍ଥିର ହୋଇଛି । ତେଣୁ ନିର୍ବାଚନ ପୂର୍ବର ଏବେ ନେତାଙ୍କର ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଇଛି । ତେବେ ଆଜି ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେଶର ସର୍ବପୂରାତନ ରାଜନୈତିକ ଦଳ କଂଗ୍ରେସର ହାତ ଛାଡ଼ିଛନ୍ତି । ସେ ଖୁବଶୀଘ୍ର ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।

ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । କିରଣ ତାଙ୍କର ଇସ୍ତଫା ପତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିକଟକୁ ପଠାଇ ଦେଇଛନ୍ତି । ରାଜନୀତି କ୍ଷେତ୍ରରେ କିରଣଙ୍କ ଦୀର୍ଘବର୍ଷର ଅଭିଜ୍ଞତା ରହିଛି । ସେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଭାଗ ହେବା ସମୟରେ ଅବିଭାଜିତ ଆନ୍ଧପ୍ରଦେଶର ସିଏମ୍ ରହିଥିଲେ । ୨୦୧୦ରେ ସେ ସିଏମ୍ ଭାବେ ଶପଥ ଗ୍ରହଣ କରିଥିଲେ । କେନ୍ଦ୍ରରେ ୟୁପିଏ ଶାସନ କାଳରେ ସଂଯୁକ୍ତ ଆନ୍ଧ୍ରପ୍ରଦେଶର ବିଭକ୍ତିକରଣ ପରେ ସେ ଦୁଃଖିତ ହୋଇ ୨୦୧୪ରେ ସିଏମ୍ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ଜୟ ସମୀକ୍ଷାଆନ୍ଧ୍ର ପାର୍ଟି ନାମରେ ଏକ ଆଞ୍ଚଳିକ ଦଳ ଗଠନ କରିଥିଲେ ।

ତେବେ ୨୦୧୪ ସାଧାରଣ ନିର୍ବାଚନରେ କିରଣଙ୍କ ଦଳ ଶୋଚନୀୟ ଭାବେ ପରାଜୟ ବରଣ କରିବା ପରେ କିଛିଦିନ ପାଇଁ ସେ ନିରବ ରହିଥିଲେ । ଏହାପରେ ୨୦୧୮ରେ ସେ କଂଗ୍ରେସକୁ ଫେରିଥିଲେ ହେଁ ଦଳରେ ସେ ନିଷ୍କ୍ରିୟ ଅବସ୍ଥାରେ ରହିଥିଲେ । ତେବେ କଂଗ୍ରେସରୁ ଇସ୍ତଫା ଦେବା ପରେ କିରଣ ଏବେ ବିଜେପିରେ ଯୋଗଦେବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ସେ ବିଜେପି ହାଇକମାଣ୍ଡଙ୍କ ଇସାରାକୁ ଅପେକ୍ଷା କରିଥିବା କୁହାଯାଉଛି । ମାତ୍ର ଏନେଇ କିରଣ କି ବିଜେପି ପକ୍ଷରୁ କୌଣସି ଅଫିସିଆଲ ବୟାନ ଆସିନାହିଁ ।

Get real time updates directly on you device, subscribe now.