fbpx

ଦୁଃଖ ଖବର: ପରଲୋକରେ ପୂର୍ବତନ ବିଧାୟିକା ଭଗବତୀ ପୂଜାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଜଣେ ପୂର୍ବତନ ବିଧାୟିକାଙ୍କ ପରଲୋକ ଘଟିଛି । ନବରଙ୍ଗପୁର ଜିଲ୍ଲା କୋଡିଙ୍ଗାର ପୂର୍ବତନ ବିଧାୟିକା ଭଗବତୀ ପୂଜାରୀ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । କୋଡିଙ୍ଗା ସ୍ଥିତ ବାସଭବନରେ ଶ୍ରୀମତୀ ପୂଜାରୀ ହୃଦଘାତରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।

ଶ୍ରୀମତୀ ପୂଜାରୀ ଜଣେ ଆଦିବାସୀ ନେତ୍ରୀ ଭାବେ ବେଶ୍ ଜଣାଶୁଣା ଥିଲେ । ସେ ୧୯୮୫ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଧାୟିକା ଭାବେ ଜିତିଥିଲେ । ଶାଳ ମଞ୍ଜିକୁ ସରକାର କ୍ରୟ କରିବା ନିୟମ ବିଧାନସଭାରେ ପାରିତ କରାଇବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଦୀର୍ଘବର୍ଷ ହେଲା ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ ।

ଶ୍ରୀମତୀ ପୂଜାରୀଙ୍କ ମୃତ୍ୟୁ ରାଜ୍ୟ ରାଜନୀତି ଜଗତ ପାଇଁ ଏକ ଦୁଃଖଦ ଖବର । ତାଙ୍କର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ବ୍ୟତୀତ ବନ୍ଧୁ ପରିଜନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ପୂର୍ବତନ ବିଧାୟକାଙ୍କ ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପୁଅ ଓ ନାତୁଣୀ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ୧୬ ତାରିଖରେ ଝାରସୁଗୁଡ଼ାର ପୂର୍ବତନ କଂଗ୍ରେସ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ଦେହାନ୍ତ ହୋଇଥିଲା । ସେହିପରି ଗତ ମାସ ୨୬ ତାରିଖରେ ଆଠଗଡ଼ର ପୂର୍ବତନ ବିଧାୟିକା ରାସମଞ୍ଜରୀ ଦେବୀଙ୍କ ପରଲୋକ ଘଟିଥିଲା । ଗତ ମାସ ୪ ତାରିଖରେ କଂଗ୍ରେସର ପୂର୍ବତନ ବିଧାୟକ ଅର୍ଜ୍ଜୁନ ଚରଣ ଦାସ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.