fbpx

ଏପଟେ ବେଲ୍ ପୁଣି ସେପଟେ ଜେଲ୍ ; ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ପଡିଛି ଶନି ଦଶା…

Advertisement

ଇସଲାମାବାଦ; ତୋଷଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚଳିତ ଅଗଷ୍ଟ ୫ ତାରିଖରେ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣା ଯାଇଥିଲା। ହେଲେ ଅଗଷ୍ଟ ୨୯ ଅର୍ଥାତ ଆଜି ପାକିସ୍ତାନର ଇସଲାମାବାଦ ହାଇକୋର୍ଟ ଇମ୍ରାନ ଖାନଙ୍କ ତୋଶଖାନା ଦୁର୍ନୀତି ମାମଲାରେ ତିନି ବର୍ଷ ଜେଲ ଦଣ୍ଡକୁ ସ୍ଥଗିତ କରିଛନ୍ତି । ଏହା ସହିତ କୋର୍ଟ ତୁରନ୍ତ ଇମ୍ରାନ ଖାନଙ୍କୁ ଜେଲ୍‌ରୁ ମୁକ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ।

ହାଇକୋର୍ଟର ପ୍ରଧାନ ବିଚାରପତି ଆମୀର ଫାରୁକ୍ ଏବଂ ଜଷ୍ଟିସ୍ ତାରିକ୍ ମେହମୁଦ ଜାହାଙ୍ଗିରିଙ୍କ ଏକ ବେଞ୍ଚ ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ତାଙ୍କର ରାୟ ସଂରକ୍ଷିତ କରିଥିଲେ । ଏହା ପରେ ମଙ୍ଗଳବାର ଦିନ ୧୧ ଟା ସମୟରେ ଏହି ନିଷ୍ପତ୍ତି ଘୋଷଣା କରାଯିବ ବୋଲି ବେଞ୍ଚ କହିଥିଲେ । ଶେଷରେ ବହୁ ବାଦ ବିବାଦ ପରେ ଆଜି ତାଙ୍କୁ ଇସଲାମାବାଦ ହାଇକୋର୍ଟ ଜାମିନ୍‌ ପ୍ରଦାନ କରିଥିଲେ । ଯାହାକୁ ନେଇ ଇମ୍ରାନଙ୍କ ସମର୍ଥକଙ୍କ ମଧ୍ୟରେ ଏକ ଖୁସିର ମାହୋଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ହେଲେ ଏପଟେ ଜାମିନ ମିଳିବା ପରେ ସେପଟେ ପୁଣି ଆଉ ଏକ ମାମଲାରେ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି । ଯାହାକୁ ନେଇ ତାଙ୍କ ସମର୍ଥକଙ୍କ ମନରେ ପୁଣି ଅସନ୍ତୋଷ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଇମ୍ରାନ ଖାନ ପାକିସ୍ତାନରେ କ୍ଷମତାରେ ଥିବାବେଳେ ରାଜନୈତିକ ଉଦ୍ଦେଶ୍ୟରେ ଏକ ଗୁପ୍ତ କୂଟନୈତିକ କେବୁଲ ସିଫରର ଅପବ୍ୟବହାର କରିଥିଲେ। ତେବେ ମାମଲାକୁ ନେଇ ପୁଣିଥରେ ଇମ୍ରାନ ଖାନଙ୍କୁ ଆଜି ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଅଗଷ୍ଟ ୩୦ ତାରିଖ ପର୍ୟ୍ୟନ୍ତ ତାଙ୍କୁ ନ୍ୟାୟିକ ହେପାଜତରେ ରଖାଯିବ ।

ସେପଟେ କିଛି ଦିନ ତଳେ ଇମ୍ରାନ ଖାନଙ୍କ ପାର୍ଟି ନେତ୍ରୀ ମୁସରତ ଖେମା ଟ୍ୱିଟ୍ କରି ଦାବି କରିଥିଲେ ଯେ ପାକ୍ ରେଞ୍ଜର୍ସ ଇମ୍ରାନ ଖାନଙ୍କ ସହ ମାରପିଟ୍ କରୁଛନ୍ତି। ପିଟିଆଇ ଟ୍ୱିଟ୍ କରିଥିବା ଏକ ଭିଡିଓରେ ଇମ୍ରାନ ଖାନଙ୍କ ଓକିଲ ଆହତ ହୋଇଥିବା ଦେଖିବାକୁ ମଧ୍ୟ ମିଳିଥିଲା । ତେବେ ଏସବୁ ଦେଖିବାକୁ ଗଲେ ଇମ୍ରାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଅନୁମାନ କରାଯାଉଛି ।

ସେହିପରି ନିକଟରେ ଇମ୍ରାନ ଖାନ ଓ ତାଙ୍କ ତୃତୀୟ ପତ୍ନୀ ବୁଶରା ବିବିଙ୍କ ବିରୋଧରେ ଜଣେ ମହିଳା ସଂଗୀନ ଅଭିଯୋଗ ଆଣିଥିଲେ । ଅଭିଯୋଗକାରୀ କାଶାନା ୱେଲଫେୟାର ହାଉସର ପୂର୍ବ ସୁପରିଟେଣ୍ଡେଣ୍ଟ ଅଫାଶା ଲତିଫ୍ କହିଥିଲେ, ଯେତେବେଳେ ଇମ୍ରାନ ଖାନ ଦେଶର ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ତାଙ୍କ ଅନାଥ ଆଶ୍ରମର ପିଲାମାନଙ୍କୁ ଇମ୍ରାନ ଖାନଙ୍କ ଘରକୁ ପଠାଯାଉଥିଲା । ଆଉ ସେଠାରେ ସେହି ପିଲାମାନଙ୍କର ଯୌନ ଶୋଷଣ କରାଯାଉଥିଲା । ଏହା ସହ ସେମାନଙ୍କୁ ଧମକ ଚମକ ଦିଆଯାଇ ତାଙ୍କ ମୁହଁ ବନ୍ଦ ରଖିବାକୁ କୁହାଯାଉଥିଲା । ଅଫାଶା ଲତିକ୍ ଦାବି କରିଛନ୍ତି କି ଅନେକ ଅନାଥ ଶିଶୁ ଆଜି ବି ନିଖୋଜ ରହିଛନ୍ତି । ଏକ ପାକିସ୍ତାନୀ ଗଣମାଧ୍ୟମ ସହ ଆଲୋଚନା ବେଳେ ଅଫାଶା ଦାବି କରିଛନ୍ତି କି ଇମ୍ରାନ ଖାନଙ୍କ ତୃତୀୟ ପତ୍ନୀ ବୁଶାରା ବିବିଙ୍କ ଇଶାରାରେ ଏହି ସବୁ ହେଉଥିଲା । ତେବେ ଏହି ସବୁ ଘଟଣାକୁ ଦେଖିବା ପରେ ଏହା କୁହାଯାଇ ପାରେ ଯେ, ବୋଧହୁଏ ଇମ୍ରାନ ଖାନଙ୍କ ଉପରେ ବର୍ତ୍ତମାନ ଶନି ଦଶା ପଡିଛି ।

 

Get real time updates directly on you device, subscribe now.