fbpx

ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ପାଇଁ ମାର୍ଚ୍ଚ ୨ରୁ ଆରମ୍ଭ ହେବ ପରୀକ୍ଷା, P.hd ଛାତ୍ରଛାତ୍ରୀଙ୍କୁ ମିଳିବ ମାସିକ ୩୦ ହଜାର

ଓଡ଼ିଶା ଭାସ୍କର: ଆସନ୍ତା ମାର୍ଚ୍ଚ ୨ରୁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ପାଇଁ ଆରମ୍ଭ ହେବ ପରୀକ୍ଷା। ଏହି ପରୀକ୍ଷା ପାଇଁ ଭୁବନେଶ୍ୱର ଜୋନ୍‌ରୁ ସମୁଦାୟ ୨୬୮୯ଜଣ ପରୀକ୍ଷାର୍ଥୀ ଥିବା ବେଳେ ବାଲେଶ୍ଵର ଜୋନ୍‌ର ୬୫୨ ଓ ସମ୍ବଲପୁର ଜୋନ୍‌ରେ ୬୯୮ଜଣ ପରୀକ୍ଷାର୍ଥୀ ଅଛନ୍ତି। ଏହାସହ ବ୍ରହ୍ମପୁର ଓ ଜୟପୁର ଜୋନ୍‌ରେ ପରୀକ୍ଷାର୍ଥୀ ମଧ୍ୟ ରହିଛନ୍ତି। ତେବେ ଦୁଇଟି ସିଟିଂରେ ପରୀକ୍ଷା କରାଯିବ ବୋଲି ଧାର୍ୟ୍ୟ କରାଯାଇଛି। ତେବେ ସକାଳ ୧୦ଟାରୁ ପ୍ରଥମ ସିଟିଂ ଓ ଅପରାହ୍ନ ୨ଟାରୁ ଦ୍ଵିତୀୟ ସିଟିଂ ଆରମ୍ଭ ହେବ। ସେହିପରି ପରୀକ୍ଷା ପାଇଁ ୨ ଘଣ୍ଟା ସମୟ ଧାର୍ୟ୍ୟ ହୋଇଥିବା ବେଳେ ଭିନ୍ନକ୍ଷମମାନଙ୍କୁ ଅଧିକ ୪୦ ମିନିଟ୍ ଦିଆଯିବ ବୋଲି କୁହାଯାଇଛି। ମାର୍ଚ୍ଚ ୨ ଓ ୪ ତାରିଖରେ ଦୁଇଟି ଲେଖାଏଁ ସିଟିଂରେ ପରୀକ୍ଷା ହେବାକୁ ଥିବା ବେଳେ ୬ ତାରିଖ ଦିନ ଗୋଟିଏ ସିଟିଂରେ ପରୀକ୍ଷା ହେବ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ଜୋନ୍ ପାଇଁ ବକ୍ସି ଜଗବନ୍ଧୁ (ବିଜେବି) ସ୍ଵୟଂଶାସିତ ମହାବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରାଯାଇଥିବା ବେଳେ ବାଲେଶ୍ଵର ପାଇଁ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟ ଓ ସମ୍ବଲପୁର ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରାଯାଇଛି। ପରୀକ୍ଷା କେନ୍ଦ୍ର ସମ୍ପର୍କରେ ସୁନିଶ୍ଚିତ କରିବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସହମତି ପତ୍ର ଦେବାକୁ କୁହାଯାଇଛି।

ଏଠାରେ କହି ରଖୁ ଯେ, ଏହି ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଭେଟି ଦେଇଛନ୍ତି ରାଜ୍ୟ ସରକାର। କାରଣ ଚଳିତ ଶିକ୍ଷାବର୍ଷରୁ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପ୍ରଦାନ କରାଯାଉଛି। ଏଥିରେ ଛାତ୍ରଛାତ୍ରୀଙ୍କୁ ମାସକୁ ୩୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ରାଜ୍ୟର ୩୦୦ ସ୍ନାତ୍ତକୋତର ଛାତ୍ରଛାତ୍ରୀଙ୍କୁ ୫ ବର୍ଷ ପର୍ୟ୍ୟନ୍ତ ଏହି ଛାତ୍ରବୃତ୍ତି ଦିଆଯିବ। ଏହାସହ ବିଜ୍ଞାନରେ ସ୍ନାତକୋତ୍ତର କରୁଥିବା ଛାତ୍ରଛାତ୍ରୀଙ୍କୁ ୫୦ ହଜାର ଓ ସାମାଜିକ ବିଜ୍ଞାନରେ ସ୍ନାତକୋତ୍ତର ପାଇଁ ବାର୍ଷିକ ୩୦ହଜାର ଟଙ୍କା ସହାୟତା ପ୍ରଦାନ କରିବାର ପ୍ରାବଧାନ ରହିଛି। ତେବେ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଗବେଷଣା ପାଇଁ ପ୍ରୋତ୍ସାହିତ କରିବା ପାଇଁ ଏହି ଫେଲୋସିପ ଦିଆଯାଉଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

 

Get real time updates directly on you device, subscribe now.