fbpx

ଓଡ଼ିଶାରେ ମଦ୍ୟପଙ୍କ ସଂଖ୍ୟା ବୃଦ୍ଧି ପାଉଛି! NFHS ରିପୋର୍ଟ ସତ ନୁହେଁ: ଅବକାରୀ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ମଦ୍ୟପଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ) ରିପୋର୍ଟ ପ୍ରଦାନ କରିଥିଲା । ତେବେ ଏନଏଫଏଚଏସର ଉକ୍ତ ରିପୋର୍ଟ ସତ ନୁହେଁ ବୋଲି ବିଧାନସଭାରେ ତଥ୍ୟ ଦେଇଛନ୍ତି ଅବକାରୀ ଅଶ୍ୱିନୀ କୁମାର ପାତ୍ର ।

ବିଧାନସଭାରେ ଶ୍ରୀ ପାତ୍ର ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଏନଏଫଏଚଏସ-୪ ଅନୁଯାୟୀ ପୁରୁଷ ମଦ୍ୟପଙ୍କ ହାର ଜାତୀୟ ସ୍ତରରେ ୨୯.୨ ରହିଥିବା ବେଳେ ଓଡ଼ିଶାରେ ଏହା ୩୯.୩ ରହିଥିଲା । ଏନଏଫଏଚଏସ-୫ରେ ଜାତୀୟ ସ୍ତରରେ ପୁରୁଷ ମଦ୍ୟପଙ୍କ ହାର ୧୮.୭ ରହିଥିବା ବେଳେ ଓଡ଼ିଶାର ହାର ୨୮.୭କୁ ହ୍ରାସ ପାଇଛି । ଓଡ଼ିଶାରେ ମଦ୍ୟପାନର ହାର କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ନିଶାଦ୍ରବ୍ୟ ସେବନ କରି ଦୁରାରୋଗରେ ପୀଡ଼ିତ ହେଉଥିବା ଲୋକଙ୍କ ପାଇଁ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ବିଭିନ୍ନ ସରକାରୀ, ବେସରକାରୀ ଚିକିତ୍ସାରେ ଚିକିତ୍ସା ସୁବିଧା ରହିଥିବା ମନ୍ତ୍ରୀ କହିଛନ୍ତି ।

ସେହିପରି ଆଉ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ସରକାରୀ ଦେଶୀ ମଦର ଚାହିଦା ଓ ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଥିବା ଅଭିଯୋଗ ତଥ୍ୟ ଆଧାରିତ ନୁହେଁ । ମଦ୍ୟପାନରେ ଅଭ୍ୟସ୍ତ ଥିବା ଲୋକଙ୍କୁ ସୁଲଭ ତଥା ଉଚ୍ଚମାନର ମଦ ଅନୁମୋଦିତ ଦରରେ ଯୋଗାଇ ଏହାକୁ ନିୟନ୍ତ୍ରିତ କରାଯାଉଛି । ଯଦି ଦେଶୀ ମଦର ଚାହିଦାକୁ ପୂରଣ କରାନଯାଏ, ତେବେ ଏହାର ସୁଯୋଗ ନେଇ ଚୋରା ମଦ ବେପାରୀଙ୍କ ବେଆଇନ କାରବାର ବଢ଼ିବାର ଆଶଙ୍କା ଉପୁଜିବ । ଦେଶୀ ମଦ ପାନ ଦ୍ୱାରା ହେଉଥିବା ସ୍ୱାସ୍ଥ୍ୟଗତ ସମସ୍ୟା ତଥା ଘରୋଇ ହିଂସାର ପ୍ରତିକାର ପାଇଁ ରାଜ୍ୟ ସରକାର ଯତ୍ନବାନ ରହିଥିବା ସେ କହିଛନ୍ତି ।

Get real time updates directly on you device, subscribe now.