ନକଲି ନୋଟ୍ ଛାପା ଗୋଦାମ ଉପରେ ଚଢ଼ାଉ, ୪ ଗିରଫ

ନୂଆଦିଲ୍ଲୀ: ଦିନକୁ ଦିନ ବଜାରରେ ନକଲି ଜିନିଷ ବିକ୍ରି ବୃଦ୍ଧି ପାଇବାରେ ଲାଗିଛି । ପନିପରିବା ଠାରୁ ଆରମ୍ଭ କରି ଜାଲ ନୋଟ୍ କାରବାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏଥିମଧ୍ୟରେ ଗୁଜରାଟ, ଅହମଦାବାଦ ପୋଲିସକୁ ମିିଳିଛି ବଡ଼ ସଫଳତା । ପୋଲିସର ଏକ ସ୍ପେଶାଲ ଅପରେସନ୍ ଗ୍ରୁପ୍ ନକଲି ନୋଟ କାରବାରର ପର୍ଦ୍ଦାଫାଶ କରିଛନ୍ତି । ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ପୋଲିସ ଗିରଫ କରିଛି ।

ସୂଚନାରୁ ପ୍ରକାଶ ଗୁରୁବାର ଅହମଦାବାଦ ପୋଲିସକୁ କୌଣସି ସୂତ୍ରରୁ ନକଲି ନୋଟ୍ କାରବାର ବିଷୟରେ ସୂଚନା ମିିଳିଥିଲା । ଏହା ପରେ ଅହମଦାବାଦ ପୋଲିସର ଏକ ସ୍ପେଶାଲ ଅପରେସନ୍ ଗ୍ରୁପ୍ ଏହି ରାକେଟର ପର୍ଦ୍ଦାଫାଶ କରିଥିଲେ । ନକଲି ଅଷ୍ଟ୍ରେଲୀୟ ଡଲାର ଛାପିବା ଅଭିଯୋଗରେ ପୋଲିସ ଜଣେ ଅଷ୍ଟ୍ରେଲୀୟ ନାଗରିକଙ୍କ ସହ ୪ ଜଣଙ୍କୁ ଗିରଫ କରିଥଲା । ପୂର୍ବରୁ ଜଣେ ଶ୍ରମିକ ରୋନକ ରାଥୋଡ଼(୨୪) ୫୦ ଡଲାର ୧୧୯ ନକଲି ଅଷ୍ଟ୍ରେଲୀୟ ଡଲାର ଛାପିବା ସମୟରେ ଗିରଫ ହୋଇଥିଲେ । ପୋଲିସ ପଚରାଉଚା କରିବା ପରେ ଜାଣିବାକୁ ପାଇଥିଲା କି ରୋନକକୁ ଏହି ନୋଟ୍ ଖୁସ୍ ପଟେଲ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ମିଳିଥିଲା । ତାକୁ ମଧ୍ୟ ପୋଲିସ ଗିରଫ କରିଥିଲା ଏବଂ ମାଷ୍ଟରମାଇଣ୍ଡ ମୌଲିକ ପଟେଲ(୩୬) ବିଷୟରେ ଜଣାପଡ଼ିଥିଲା । ଉକ୍ତ ମାଷ୍ଟରମାଇଣ୍ଡ ଜଣଙ୍କ ୨୦ ବର୍ଷୀୟ ଛାତ୍ର ଧ୍ରୁବ ଦେସାଇଙ୍କ ସହ ମିଶି ବଟୱା ଅଞ୍ଚଳର ଏକ କାରଖାନାରେ ନକଲି ନୋଟ୍ ଛାପୁଥିଲେ । ପୋଲିସ ପାଖାପାଖି ୫୦ ଡଲାରର ୩୨ ସମ୍ପୂର୍ଣ୍ଣ ଛପାଯାଇଥିବା ଏବଂ ୧୮ଟି ଆଂଶିକ ଛପାଯାଇଥିବା ନକଲି ନୋଟ୍ ଜବତ କରିଥିଲା । ଏହା ସହ ନକଲି ନୋଟ୍ ଛାପିବା ପାଇଁ ବ୍ୟବହୃତ ହେଉଥିବା ଏକ ଟେମ୍ପେ୍ଲଟ୍ ବି ଜବତ ହୋଇଛି । ଜବତ ସାମଗ୍ରୀର ମୋଟ୍ ମୂଲ୍ୟ ୧୧, ୯୨, ୫୦୦ ହେବ ଯେଉଁଥିରେ ୨, ୧୦, ୦୦୦ ମୂଲ୍ୟର ୭ଟି ମୋବାଇଲ ଫୋନ୍ ଏବଂ ୧୬, ୫୦୦ ଟଙ୍କା (ଭାରତୀୟ ମୁଦ୍ରା ) ସାମିଲ ରହିଛି ।