fbpx

ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ଫେକ୍ ଆରପିଏଫ୍‌ ନିଯୁକ୍ତି ବିଜ୍ଞାପନ, ଲୋକଙ୍କୁ ଲୁଟିବାର ନୂଆ ଉପାୟ

ଭୁବନେଶ୍ବର(ଓଡିଶା ଭାସ୍କର): ଚାକିରି ଆଶାୟୀଙ୍କୁ ଠକିବା ଲାଗି ସାମାଜିକ ଗଣମାଧ୍ୟମରେ ଫେକ ନିଯୁକ୍ତି ପତ୍ରର ଜାଲ ବିଛାଉଛନ୍ତି ଦଲାଲ । ଏପରି ଭାବରେ ଜାଲ ବିଛାଇଛନ୍ତି ଯାହାର ଟେର ଆପଣ ମାନେ ଚାହିଁଲେ ବି ପାଇବେନି । ଏହାର ଏକ ସଦ୍ୟ ଉଦାହରଣ ହେଲା; ରେଳ ସୁରକ୍ଷା ବଳ(ଆରପିଏଫ୍‌)ରେ କନଷ୍ଟେବଳ ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବଶ୍ୟକ ଡକ୍ୟୁମେଣ୍ଟ ସହ ଆବେଦନ କରିପାରିବେ । ଏଥିସହ ଆପଣଙ୍କୁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ । ଆବେଦନ ସମୟରେ ୧୦ ହଜାର ଦେବେ। ପରୀକ୍ଷା ବେଳେ ୨୦ ହଜାର ଏବଂ ନିଯୁକ୍ତିପତ୍ର ପାଇବା ବେଳେ ବାକି ୨୦ ହଜାର ଟଙ୍କା ଦେବାକୁ ହେବ । ସତ ହେଉଛି ଏଭଳି କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଚାକିରି ଆଶାୟୀଙ୍କୁ ଠକିବା ଲାଗି ସାମାଜିକ ଗଣମାଧ୍ୟମରେ ଏଭଳି ଜାଲ ବିଛାଇଛନ୍ତି ଦଲାଲ ।

ସାମାଜିକ ଗଣମାଧ୍ୟମ ଏବଂ ୱେବ୍‌ରେ ବାରମ୍ବାର ନ୍ୟୁଜ୍‌ ପ୍ରକାଶ କରୁଛନ୍ତି ଏହି ଦଲାଲ । ଓଡ଼ିଶା ସମେତ ସାରା ଦେଶରେ ଏଭଳି ଠକ ମାନେ ଲୋକଙ୍କୁ ଚାକିରୀ ନାଁରେ ଲୁଟୁଛନ୍ତି । କିଛି ଦିନ ତଳେ ଘଟଣା ରେଳବାଇ ପ୍ରଶାସନ ନଜରକୁ ଆସିବା ପରେ ଯାଞ୍ଚ କରାଯାଇଛି । ରେଳବାଇ ଓ ପ୍ରେସ୍‌ ଇନ୍‌ଫରମେସନ୍ ବ୍ୟୁରୋ (ପିଆଇବି) ଦ୍ୱାରା ହୋଇଥିବା ତଦନ୍ତ ପରେ ସତ୍ୟତା ସାମ୍ନାକୁ ଆସିଛି । ଦେଖାଯାଇଛି ଯେ ଏହା ସମ୍ପୂର୍ଣ୍ଣ ନକଲି । ଆରପିଏଫ୍ କିମ୍ବା ରେଳବାଇ ଦ୍ୱାରା କୌଣସି ନିଯୁକ୍ତି ବିଜ୍ଞାପନ କିମ୍ବା ବିଜ୍ଞପ୍ତି ପ୍ରକାଶ କରାଯାଇନାହିଁ । ଏ ସମ୍ପର୍କରେ ଜଣାପଡିବା ପରେ ପୂର୍ବତଟ ରେଳପଥରେ ଚାକିରି ଯୋଗାଇଦେବାକୁ କହୁଥିବା ଦଲାଲଙ୍କ ଜାଲରେ ନ ପଡ଼ିବା ପାଇଁ ରେଳବାଇ ପକ୍ଷରୁ ଚାକିରି ଆଶାୟୀଙ୍କୁ ନିବେଦନ କରାଯାଇଛି।

ଯେଉଁମାନେ ଚାକିରୀ ଆଶାୟୀ ରହିଛନ୍ତି ସେମାନେ, ସର୍ବଦା ରେଳବାଇ ନିଯୁକ୍ତି ବୋର୍ଡ, ରେଳବାଇ ନିଯୁକ୍ତି ସେଲ ଓ ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରନ୍ତୁ। ଖବରକାଗଜ ଓ ଏମ୍ପ୍ଲୟମେଣ୍ଟ ନ୍ୟୁଜରେ ବୋର୍ଡ ଦ୍ୱାରା ପ୍ରକାଶିତ ବିଜ୍ଞାପନ ଅନୁସରଣ କରନ୍ତୁ । କେବଳ ରେଳବାଇର ଅଫିସିଆଲ୍ ୱେବସାଇଟ୍ ଅନୁସରଣ କରନ୍ତୁ । ଯଦି ରେଳବାଇରେ ଚାକିରି ଯୋଗାଇ ଦେବାକୁ କେହି ପ୍ରତିଶ୍ରୁତି ଦେଇ ଲାଞ୍ଚ ମାଗନ୍ତି କିମ୍ବା ଦୁର୍ନୀତି ସମ୍ବନ୍ଧରେ କୌଣସି ସୂଚନା ପାଉଛନ୍ତି ତେବେ ପୂର୍ବତଟ ରେଳପଥର ଭିଜିଲାନ୍ସ ହେଲ୍ପଲାଇନ ନମ୍ବର ୮୪୫୫୮୮୫୦୩୧ରେ ସୂଚନା ଦିଅନ୍ତୁ।

Get real time updates directly on you device, subscribe now.