fbpx

ଗହିରମଥାରେ ବେଆଇନ ଭାବେ ମାଛ ମାରି ୧୧ ଗିରଫ, ଦୁଇଟି ବୋଟ ଓ ଜାଲ ଜବତ

ରାଜନଗର, (ଭାସ୍କର ନ୍ୟୁଜ୍‌): ବିଶ୍ୱ ପ୍ରସିଦ୍ଧ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାରେ ବେଆଇନ ଭାବେ ମାଛ ମାରି ୧୧ଜଣ ବ୍ୟକ୍ତି ବନ ବିଭାଗର କର୍ମଚାରୀଙ୍କ ଦ୍ୱାରା ଗିରଫ ହୋଇଥିବା ବିଭାଗୀୟ କର୍ତ୍ତୁପକ୍ଷଙ୍କ ଠାରୁ ଜଣାପଡିଛି । ବିବରଣୀରୁ ପ୍ରକାଶ ଯେ, କଇଁଛମାନଙ୍କର ଏନ୍ତୁଡ଼ିଶାଳ କୁହାଯାଉଥିବା ଗହୀରମଥା ଏବେ ଅଣ୍ଡାଦାନ ପାଇଁ କଇଁଛମାନଙ୍କର ଆଗମନ ହୋଇଛି । ସେଥିପାଇଁ ଅଣ୍ଡାଦାନରେ ବ୍ୟାଘାତ ଘଟିବା ନେଇ ସେଠାରେ ମାଛଧରିବାକୁ ବାରଣ କରାଯାଇଛି । ମାତ୍ର ବନବିଭାଗର ଏହି ନିୟମକୁ ଉଲ୍ଲଂଘନ କରି କିଛି ମାଛ ମାଫିଆ ଲୁଚି ଛପି ବେନିୟମ ଭାବେ ମାଛ ମାରୁଥିବାରୁ ଗତ ତିନିମାସ ମଧ୍ୟରେ ଶତାଧିକ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ଅପରପକ୍ଷରେ ସ୍ଥାନୀୟ ଲୋକେ କହିବା ଅନୁଯାୟୀ ବହୁତ ମତ୍ସ୍ୟଜୀବୀ ଖୁଲମଖୁଲା ବିଳମ୍ବିତ ରାତିରେ ମାଛ ମାରି ଫେରୁଥିଲେ ମଧ୍ୟ କେତେକ କର୍ମଚାରୀ ଦେଖି ନଦେଖିଲା ପରି ସୁରକ୍ଷା ଅଭାବରୁ ଧରୁନାହାନ୍ତି । ଏନେଇ ବିଭାଗୀୟ କର୍ମଚାରୀଙ୍କ ସହିତ ସଲାସୁତୁରା ଥିବା ସାଧାରଣରେ ଆଲୋଚନା ହେଉଛି । ତେବେ ବନବିଭାଗ ତା’ର ପାରିବା ପଣିଆ ଦେଖାଇ ଗତକାଲି ବିଳମ୍ୱିତ ରାତିରେ ଗହୀରମଥାର ନିଷେଦ୍ଧାଞ୍ଚଳରେ ଓମ୍‌ ମାଁ ମଙ୍ଗଳା ଏବଂ ଓମ୍‌ ମା’ ଶାନ୍ତିଲତା ନାମକ ଦୁଇଟି ଘରୋଇ ବୋଟରେ ମହାକାଳପଡ଼ା ଖରିନାସୀ ଅଞ୍ଚଳର ୧୧ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ଉଦ୍ୟମ କରୁଥିବା ବେଳେ ରେଞ୍ଜ ଅଫିସର ଦେବାଶିଷ ଭୋଇଙ୍କ ନେତୃତ୍ୱରେ ଗହୀରମଥାରେ ରାତ୍ରି ପାଟ୍ରୋଲିଂ କରୁଥିବା ବନବିଭାଗର ଏକ ଟିମ୍‌ ଚଢାଉ କରି ୧୧ଜଣଙ୍କୁ ଗିରଫ କରିବା ସହ ଏମାନେ ବ୍ୟବହାର କରୁଥିବା ଦୁଇଟି ବୋଟ,ଜାଲ ଇତ୍ୟାଦି ଜବତ କରିଛନ୍ତି । ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ୧୧ଜଣ ମାଛ ମାଫିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.