fbpx

(Video) ‘ଶେଷରେ ଈଶ୍ୱର ଆମ ଦୁଃଖ ଶୁଣିଲେ’: ଉତ୍ତରକାଶୀ ସୁଡ଼ଙ୍ଗରୁ ସୁରକ୍ଷିତ ଭାବେ ଉଦ୍ଧାର ପରେ ଖୁସି ମନାଉଛନ୍ତି ଶ୍ରମିକଙ୍କ ପରିବାର

ନୂଆଦିଲ୍ଲୀ: ଦୀର୍ଘ ୧୭ ଦିନ ଧରି ଉତ୍ତରାଖଣ୍ଡର ଉତ୍ତରକାଶୀର ସିଲକ୍ୟାରା ସୁଡ଼ଙ୍ଗରେ ଫଶି ରହିବା ପରେ ଶେଷରେ ୪୧ ଜଣ ଶ୍ରମିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ତେବେ ଶ୍ରମିକମାନେ ସୁଡ଼ଙ୍ଗରୁ ଉଦ୍ଧାର ହେବା ପରେ ସେମାନଙ୍କ ପରିବାରରେ ଏବେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଏନେଇ ପରିଜନମାନେ ବାଣଫୁଟାଇ ଏହି ଖୁସିକୁ ମନାଇବା ସହିତ ‘ଶେଷରେ ଭଗବାନ ଆମର ଦୁଃଖ ଶୁଣିଲେ’ ବୋଲି କହିଛନ୍ତି ।

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ଖିରାବେଡ଼ା ଗ୍ରାମରେ ୩ ଜଣ ଶ୍ରମିକଙ୍କ ପରିବାର ସଦସ୍ୟମାନେ ଅତ୍ୟନ୍ତ ଖୁସି ଜାହିର କରିଛନ୍ତି । ୨୨ ବର୍ଷୀୟ ଯୁବକ ରାଜେନ୍ଦ୍ର ବେଦିୟା, ସୁଖରାମ ଓ ଅନିଲ ୧୭ ଦିନ ଧରି ସୁଡ଼ଙ୍ଗରେ ଫଶି ରହିବା ଫଳରେ ସେମାନଙ୍କର ପରିବାରବର୍ଗ ଅବସାଦ ଘେରରେ ରହିଥିଲେ । ହୁଇଲ ଚେୟାରରେ ବସିଥିବା ରାଜେନ୍ଦ୍ରଙ୍କ ୫୫ ବର୍ଷୀୟ ଦିବ୍ୟାଙ୍ଗ ପିତା ଶ୍ରବଣ ବେଦିୟା ପୁଅର ଉଦ୍ଧାର ପରେ ନିଜର ଖୁସିକୁ ସମ୍ଭାଳି ପାରିନଥିଲେ । ‘ଶେଷରେ ଭଗବାନ ଆମର ଦୁଃଖ ବୁଝିଲେ । ମୋ ପୁଅ ସୁରକ୍ଷିତ ଭାବେ ଉଦ୍ଧାର ହେଲା’ ବୋଲି ଶ୍ରବଣ ଲୁହଭରା କଣ୍ଠରେ କହିଛନ୍ତି ।

ସେହିପରି ସୁଡ଼ଙ୍ଗରେ ଫଶିଥିବା ଅନିଲଙ୍କ ଉଦ୍ଧାର ପରେ ତାଙ୍କ ଭାଇ ସୁନିଲ ଭାଇଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ପର୍ଯ୍ୟନ୍ତ ନେଇଯାଇଥିଲେ । ଭାଇ ସୁନିଲଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୁନିଲ ସ୍ପଷ୍ଟ କରିଥିଲେ । ଅନ୍ୟ ୪୦ ଜଣ ଶ୍ରମିକଙ୍କ ପରିଜନଙ୍କ ସହିତ ଗତ ଏକ ସପ୍ତାହ ଧରି ସୁନିଲ ସୁଡ଼ଙ୍ଗ ନିକଟରେ ଅପେକ୍ଷାରତ ଥିଲେ । ସେହି ସମୟ ତାଙ୍କ ଜୀବନର ସବୁଠାରୁ କଷ୍ଟକର ମୁହୂର୍ତ୍ତ ଥିଲା । ବୃଦ୍ଧ ପିତାମାତାଙ୍କୁ ଘରେ ଏକାକୀ ଛାଡ଼ି ବହୁ କଷ୍ଟରେ ଅର୍ଥ ଯୋଗାଡ଼ କରି ସେ ଉତ୍ତରକାଶୀ ଯାତ୍ରା କରିଥିଲେ ବୋଲି ସୁନୀଲ କହିଥିଲେ ।

ନଭେମ୍ବର ୧୨ ତାରିଖରେ ଭୂସ୍ଖଳନ କାରଣରୁ ଏକ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିଥିଲା । ଫଳରେ ସୁଡ଼ଙ୍ଗ ଭିତରେ ଶ୍ରମିକମାନେ ଫଶି ରହିଥିଲେ ଓ ତା’ପରେ ସେଠାରେ ରେସକ୍ୟୁ ଅପରେସନ ଆରମ୍ଭ ହୋଇଥିଲା । ସେହିପରି ସୁଖରାମଙ୍କ ଭଉଣୀ ଖୁସବୁ ତାଙ୍କ ଭାଇ ଘରକୁ ସୁରକ୍ଷିତ ଭାବେ ଫେରିବା ପରେ ଖୁସି ମନାଇଥିଲେ । ଏଥିସହିତ ଗ୍ରାମବାସୀମାନେ ମଧ୍ୟ ସେମାନଙ୍କର ଖୁସିକୁ ବ୍ୟକ୍ତ କରିଥିଲେ । ଶ୍ରମିକମାନେ ସୁରକ୍ଷିତ ଭାବେ ଉଦ୍ଧାର ହେବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସମସ୍ତ ଶ୍ରମିକଙ୍କ ବୀରତା ଓ ସାହସକୁ ଭୀୟସୀ ପ୍ରଂସା କରିଥିଲେ । ଯେଉଁଦିନ ଏହି ଦୁର୍ଘଟଣା ଘଟିଥିଲା ସେଦିନ ଦିପାବଳୀ ଥିଲା । ମାତ୍ର ଆଜି ସମସ୍ତ ଶ୍ରମିକଙ୍କ ପରିବାରରେ ଦିପାବଳୀ ଉତ୍ସବ ପାଳନ କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.