ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଗୌରବ ଗାନ୍ଧିଙ୍କ ପରଲୋକ: ୧୬ ହଜାର ରୋଗୀଙ୍କ ସର୍ଜରୀ କରିଥିବା ଡାକ୍ତର ଆଉ ନାହାନ୍ତି

ନୂଆଦିଲ୍ଲୀ: ଦେଶର ଜଣେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞଙ୍କ ପରଲୋକ ଘଟିଛି । ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଗୌରବ ଗାନ୍ଧି ଆଉ ନାହାନ୍ତି । ମାତ୍ର ୪୧ ବର୍ଷ ବୟସରେ ଗୌରବ ହାର୍ଟ ରୋଗରେ ଆରପାରିକୁ ଚାଲିଯାଇଛନ୍ତି । ଗୁଜରାଟର ହାର୍ଟ ବିଶେଷଜ୍ଞ ଗୌରବଙ୍କ ମୃତ୍ୟୁ ହାର୍ଟ ଆଟାକରେ ହୋଇଥିବା ରିପୋର୍ଟରେ କୁହାଯାଇଛି । ଡାକ୍ତର ଗାନ୍ଧି ତାଙ୍କର କ୍ୟାରିୟରରେ ପାଖାପାଖି ୧୬ ହଜାର ଲୋକଙ୍କ ସର୍ଜରୀ କରିଥିବା ଜଣାପଡ଼ିଛି ।

ଗତ ୫ ତାରିଖରେ ଡାକ୍ତର ଗାନ୍ଧି ରୋଗୀଙ୍କୁ ପୂର୍ବ ପରି ଚିକିତ୍ସା କରିଥିଲେ । ଏହାପରେ ସେ ରାତିରେ ପ୍ୟାଲେସ ରୋଡ଼ରେ ଥିବା ତାଙ୍କର ବାସଭବନକୁ ଫେରିଥିଲେ । ରାତିରେ ଡିନର କରିସାରିବା ପରେ ତାଙ୍କଠାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା । ତା’ ପରଦିନ ଅଚାନକ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ତେଣୁ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷିତ କରିଥିଲେ ।

ଡାକ୍ତର ଗାନ୍ଧି ଜାମନଗରରୁ ବେସିକ ମେଡିକାଲ ଡିଗ୍ରୀ ହାସଲ କରିବା ପରେ ଅହମ୍ମଦାବାଦରୁ କାର୍ଡିଓଲୋଜିରେ ସ୍ପେଶିଆଲାଇଜେସନ କରିଥିଲେ । ଏହାପରେ ସେ ପ୍ରାକ୍ଟିସ କରିବା ପାଇଁ ନିଜର ହୋମଟାଉନକୁ ଫେରିଥିଲେ । ଫେସବୁକରେ ଚାଲିଥିବା ‘ହଲ୍ଟ ହାର୍ଟ ଆଟାକସ’ ଅଭିଯାନ ସହିତ ସେ ଜଡ଼ିତ ଥିଲେ । କମ୍ ବୟସରେ ଚିକିତ୍ସା ମାଧ୍ୟମରେ ଅନେକ ରୋଗୀଙ୍କୁ ନୂଆ ଜୀବନ ଦେଇଥିବା ଏଭଳି ଜଣେ ଡାକ୍ତର ଆଉ ନାହାନ୍ତି । ଡାକ୍ତର ଗାନ୍ଧିଙ୍କ ବିୟୋଗରେ ବିଭିନ୍ନ ମହଲରୁ ଗଭୀର ସମବେଦନା ଜ୍ଞାପନ କରାଯାଇଛି ।