ନୂଆଦିଲ୍ଲୀ: ସୂଚନା ଅନୁଯାୟୀ, ଜମ୍ମୁ-କଶ୍ମୀରର ଜଣାଶୁଣା ରେଡିଓ ଜକି ସିମରନ ସିଂହ ଗୁରୁଗ୍ରାମ ସେକ୍ଟର ୪୭ସ୍ଥିତ ତାଙ୍କ ଫ୍ଲାଟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ବୁଧବାର ରାତିରେ ତାଙ୍କ କୋଠରୀରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ତେବେ ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ। ଇନଷ୍ଟାଗ୍ରାମରେ ସିମରନଙ୍କ ୬ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି ।
ତାଙ୍କ ବିୟୋଗରେ ଶୋକ ପ୍ରକାଶ କରି ଜମ୍ମୁ-କଶ୍ମୀର ନ୍ୟାସନାଲ କନଫରେନ୍ସ ନିଜ ଅଫିସିଆଲ ଆକାଉଣ୍ଟରେ ଏକ୍ସରେ ପୋଷ୍ଟ କରିଛି। ଜମ୍ମୁ-କଶ୍ମୀର ସଭାପତି ଡ. ଫାରୁକ୍ ଅବଦୁଲ୍ଲା, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ ସିମରନ ସିଂହଙ୍କ ଅକାଳ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଆରଜେ ସିମରନ ନାମରେ ଜଣାଶୁଣା ଥିଲେ ଏବଂ ସ୍ନେହରେ “ଜମ୍ମୁ କି ଧଡକନ” ନାମରେ ପରିଚିତ ଥିଲେ ।
ଏହି କଠିନ ସମୟରେ ଡାକ୍ତର ଫାରୁକ୍ ଅବଦୁଲ୍ଲା ଏବଂ ଓମାର ଅବଦୁଲ୍ଲା ସିମରନଙ୍କ ପରିବାର, ବନ୍ଧୁ ଏବଂ ଅଗଣିତ ପ୍ରଶଂସକଙ୍କୁ ସମବେଦନା ଜଣାଇଛନ୍ତି। ଏହି ଅକଳ୍ପନୀୟ କ୍ଷତି ସହିବା ପାଇଁ ସେ ଦିବଙ୍ଗତ ଆତ୍ମାର ଶାନ୍ତି ଏବଂ ପ୍ରିୟଜନଙ୍କୁ ଶକ୍ତି ଦେବା ପାଇଁ ପ୍ରାର୍ଥନା କରିଛନ୍ତି।
ଫାରୁକ ଅବଦୁଲ୍ଲା ଓ ଓମାର ଅବଦୁଲ୍ଲା ଏକ ମିଳିତ ବିବୃତିରେ କହିଛନ୍ତି, ସିମରନଙ୍କ ସ୍ୱର ଏବଂ କରିସ୍ମା ଜମ୍ମୁ-କଶ୍ମୀରର ଭାବନା ସହ ମେଳ ଖାଉଛି। ଆମ ଅଞ୍ଚଳର ସାଂସ୍କୃତିକ ଢାଞ୍ଚାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ।
ଆତ୍ମହତ୍ୟା ଏକ ଗମ୍ଭୀର ମାନସିକ ଓ ସାମାଜିକ ସମସ୍ୟା । ଯଦି ଆପଣ ମଧ୍ୟ ମାନସିକ ଚାପ ଦେଇ ଗତି କରୁଛନ୍ତି, ତେବେ ଆପଣ ଭାରତ ସରକାରଙ୍କ ଜୀବନସାଥୀ ହେଲ୍ପଲାଇନ 18002333330 ସାହାଯ୍ୟ ନେଇପାରିବେ । ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ମଧ୍ୟ କଥା ବାର୍ତ୍ତା କରିବା ଉଚିତ।