ଦେଶର ୧୦ଟି ପରିବାରରେ ହୋଇଥିଲା କ୍ଷମତା ପାଇଁ ମହାଲଢ଼େଇ: ପାୱାର ପରିବାର ଠାରୁ ଆରମ୍ଭ କରି ଗାନ୍ଧି ପରିବାର ଦେଖିଥିଲା ରାଜନୈତିକ ବିଦ୍ରୋହ
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶରଦ ପାୱାର ଓ ଅଜିତ ପାୱାରଙ୍କୁ ନେଇ ସୃଷ୍ଟି ହୋଇଥିବା ରାଜନୈତିକ ବିବାଦ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । କ୍ଷମତା ପାଇଁ ରକ୍ତ ସମ୍ପର୍କକୁ ବି ରାଜନେତାମାନେ ଭୁଲିବାକୁ ପଛାଉ ନାହାନ୍ତି । କ୍ଷମତା ହାତେଇବା ଲକ୍ଷ୍ୟରେ ଅଜିତ ନିଜର ଦାଦା ଶରଦଙ୍କ ସହିତ ବିଶ୍ୱାସଘାତକତା କରିଥିବା ଅଭିଯୋଗ ହୋଇଛି । ତେବେ କ୍ଷମତା ପାଇଁ ପରିବାରରେ ରାଜନୈତିକ ବିବାଦ ଏକ ନୂଆ ନୁହେଁ । ରାଜନୀତି ପାଇଁ ପୂର୍ବରୁ ଭାରତର ଏଭଳି ୧୦ଟି ପରିବାରରେ ମଧ୍ୟ ବଡ଼ ଧରଣର ବିବାଦ ଦେଖିବାକୁ ମିିଳିଥିଲା ।
୧- ବିଦ୍ରୋହ କାରଣରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ପରି ଏକ ୨୫ ବର୍ଷର ପୁରୁଣା ପାର୍ଟି ଆଜି ଭୁଶୁଡ଼ି ପଡ଼ିଛି । ଗତ ୨ ତାରିଖରେ ଅଜିତ ତାଙ୍କର କିଛି ସହଯୋଗୀଙ୍କ ସହିତ ଏନସିପି ଛାଡ଼ି ବିଜେପି-ଏକନାଥ ଶିନ୍ଦେଙ୍କ ମେଣ୍ଟରେ ସାମିଲ ହୋଇଥିଲୋ । ଏଥିସହିତ ଅଜିତ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
୨- ବିହାରରେ ଲୋକ ଜନ ଶକ୍ତି ପାର୍ଟି (ଏଲଜେପି) ଉପରେ ଅଧିକାର ଜାହିର ନେଇ ୨୦୨୧ ମସିହା ଜୁନ ମାସରେ ବିବାଦ ଦେଖାଦେଇଥିଲା । ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶ୍ୱାନଙ୍କ ପରଲୋକ ପରେ କ୍ଷମତା ପାଇଁ ତାଙ୍କର ପୁଅ ଚିରାଗ ପାଶ୍ୱାନ ଓ ଭାଇ ପଶୁପତି ପାଶ୍ୱାନଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥିଲା ।
୩- ୨୦୧୬ରେ ସମାଜବାଦୀ ପାର୍ଟିର ସଂସ୍ଥାପକ ସ୍ୱର୍ଗତ ମୁଲାୟମ ସିଂହ ଯାଦବଙ୍କ ରାଜନୈତିକ ଉତ୍ତରାଧିକାରୀ ହେବା ପାଇଁ ପୁଅ ଅଖିଲେଶ ଯାଦବ ଓ ଦାଦା ଶିବପାଲ ଯାଦବଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ମୁଲାୟମଙ୍କୁ ଦଳର ଅଧ୍ୟକ୍ଷ ପଦରୁ ହଟାଇ ଦଳର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ନେଇଥିଲେ ଅଖିଲେଶ ।
୪- ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳର ପ୍ରତିଷ୍ଠାତା ପ୍ରକାଶ ସିଂହ ବାଦଲଙ୍କ ପରିବାରରେ ମଧ୍ୟ ରାଜନୈତିକ ବିବାଦ ଦେଖାଦେଇଥିଲା । ପ୍ରକାଶଙ୍କ ପୁତୁରା ମନପ୍ରୀତ ସିଂହ ବାଦଲ ଅସନ୍ତୋଷ ପ୍ରକାଶ କରି ଅକାଳୀ ଦଳରୁ ଅଲଗା ହୋଇ ପିପୁଲ୍ସ ପାର୍ଟି ଅଫ୍ ପଞ୍ଜାବ ଗଠନ କରିଥିଲେ । ମନପ୍ରୀତ ଅକାଳୀ ଦଳରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ହେଁ ପରେ ବିଦ୍ରୋହ କରିଥିଲେ ।
୫- ତାମୁଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନ୍ନେତ୍ର କାଝାଗମ (ଡିଏମକେ)ର ମୁଖ୍ୟ ଏମ. କରୁଣାନିଧିଙ୍କର ୨୦୧୮ରେ ପରଲୋକ ଘଟିଥିଲା । ଏହାପରେ କରୁଣାନିଧିଙ୍କର ଉତ୍ତରାଧିକାରୀ ହେବା ନେଇ ବଡ଼ ପୁଅ ଏମ.କେ ଆଲାଗିରି ଓ କନିଷ୍ଠ ପୁତ୍ର ଏମ.କେ ଷ୍ଟାଲିନଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଆଲାଗିରିଙ୍କୁ ଦଳରୁ ବହିଷ୍କାର କରାଯିବା ସହିତ ଷ୍ଟାଲିନଙ୍କୁ ଉତ୍ତରାଧିକାରୀ ଭାବେ ଘୋଷଣା କରାଯାଇଥିଲା । ପରେ ଷ୍ଟାଲିନ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ ।
୬- ୧୯୬୬ ମସିହା ଜୁନ ୧୯ରେ ମହାରାଷ୍ଟ୍ରରେ କାର୍ଟୁନିଷ୍ଟରୁ ରାଜନେତା ପାଲଟିଥିବା ବାଲା ସାହେବ ଠାକରେ ଶିବସେନା ଗଠନ କରିଥିଲେ । ହିନ୍ଦୁତ୍ୱକୁ ନେଇ ରଜାନୀତି କରୁଥିବା ଶିବସେନା ୧୯୯୦ ଦଶକରେ ସାରା ଦେଶରେ ବେଶ୍ ଚର୍ଚ୍ଚାରେ ରହିଥିଲା । ବାଲା ସାହେବଙ୍କ ପୁତୁରା ରାଜ ଠାକରେଙ୍କୁ ଉତ୍ତରାଧିକାରୀ ଭାବେ ଗ୍ରହଣ କରାଯାଉଥିଲା । ମାତ୍ର ଅଚାନକ ଉଦ୍ଧବଙ୍କୁ ଦଳର ଉତ୍ତରାଧିକାରୀ ଭାବେ ଘୋଷଣା କରାଯାଇଥିଲା । ଏହାପରେ ରାଜ ମହାରାଷ୍ଟ୍ର ନବନିର୍ମାଣ ସେନା ନାମରେ ଏକ ନୂଆ ଦଳ ଗଠନ କରିଥିଲେ । ଶିବସେନାର ମୁଖ୍ୟ ଭାବେ ଉଦ୍ଧବ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ ।
୭- ହରିୟାଣାରେ ଚୌତାଲା ପରିବାରରେ କ୍ଷମତା ପାଇଁ ଦାଦା-ପୁତୁରା ଲଢ଼େଇ ଦେଖାଦେଇଥିଲା । ଚୌଧରୀ ଦେବିଲାଲଙ୍କ ଉତ୍ତରାଧିକାରୀ ହେବା ନେଇ ବିବାଦ ଦେଖାଦେଇଥିଲା । ରାଜନୀତି ପାଇଁ ଓମ ପ୍ରକାଶ ଚୌତାଲାଙ୍କ ଦୁଇ ପୁତ୍ର ଅଜୟ ସିଂହ ଓ ଅଭୟ ସିଂହ ଅଲଗା ହୋଇଯାଇଥିଲେ ।
୮- ଗ୍ୱାଲିୟରରେ ରାଜ କରୁଥିବା ରାଜମାତା ବିଜୟାରାଜେ ସିନ୍ଧିଆ ୧୯୫୭ରେ କଂଗ୍ରେସରେ ସାମିଲ ହୋଇଥିଲେ । ୧୯୭୧ରେ ଇନ୍ଦିରା ଗାନ୍ଧିଙ୍କ ଲହର ରହିଥିଲେ ବି ଜନସଂଘ ୩ଟି ସିଟ ଜିତି ପାରିଥିଲା । ୧୯୭୭ ମସିହା ଜରୁରୀକାଳୀନ ପରିସ୍ଥିତି ପରେ ମାଧବରାଓ ସିନ୍ଧିଆ ଜନସଂଘ ଓ ନିଜ ମାଆ ବିଜୟାରାଜେଙ୍କ ଠାରୁ ଦୂରେଇ ଯାଇଥିଲେ । ଜରୁରୀକାଳୀନ ସମୟରେ ବିଜୟାରାଜେ ଜେଲରେ ରହିଥିବା ବେଳେ ମାଧବରାଓ ନେପାଳ ଚାଲିଯାଇଥିଲେ । ସେହି ସମୟରେ ମା-ପୁଅଙ୍କ ମଧ୍ୟରେ ବିବାଦ ସୂତ୍ରପାତ ହୋଇଥିଲା
୯- ବିହାରରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲ ପ୍ରସାଦ ଯାଦବଙ୍କ ପରିବାରରେ ମଧ୍ୟ ବିବାଦ ଦେଖାଦେଇଥିଳା । ୨୦୨୧ରେ ଲାଲୁଙ୍କ ଦୁଇ ପୁତ୍ର ତେଜ ପ୍ରତାପ ଓ ତେଜସ୍ୱୀଙ୍କ ମଧ୍ୟରେ ରାଜନୈତିକ ଲଢ଼େଇ ଦେଖାଦେଇଥିଲା । ପରବର୍ତ୍ତୀ ସମୟରେ ତେଜସ୍ୱୀ ଦଳର ମଙ୍ଗ ଧରିବା ସହିତ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
୧୦- ୧୯୮୨ ମସିହା ମାର୍ଚ୍ଚ ମାସ ୨୮ ତାରିଖରେ ଦେଶର ଏକ ବଡ଼ ରାଜନୈତିକ ପରିବାର ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା । ଇନ୍ଦିରାଙ୍କ ବଡ଼ ପୁଅ ସଞ୍ଜୟ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ସଞ୍ଜୟଙ୍କର ପତ୍ନୀ ମେନକା ଗାନ୍ଧି ମାତ୍ର ୨୫ ବର୍ଷର ଥିଲେ । ଧୀରେଧୀରେ ସାନ ପୁଅ ରାଜୀବ ଗାନ୍ଧିଙ୍କ ହାତକୁ ସବୁ କ୍ଷମତା ଢଳିବାରେ ଲାଗିଥିଲା । ଏହି ସମୟରେ ମେନକା-ଇନ୍ଦିରାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଶେଷରେ ମେନକାଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଛାଡ଼ିବାକୁ ପଡ଼ିଥିଲା ।