fbpx

ରାଜ୍ୟଗୋଷ୍ଠୀ କ୍ରିଡ଼ାରେ ଭାରତୀୟ ମହିଳା ହକି ଦଳ ପ୍ରତି ଅନ୍ୟାୟ, କ୍ଷମା ମାଗିଲା ଏଫ୍‌ଆଇଏଚ୍

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ଶୁକ୍ରବାର ରାତିରେ କମନୱେଲଥ ଗେମ୍ସର ସେମିଫାଇନାଲରେ ଅଷ୍ଟ୍ରେଲିଆଠୁ ଶୁଟ୍‌ଆଉଟ୍‌ରେ ପରାସ୍ତ ହୋଇଛି। ୬୦ ମିନିଟ ଧରି ଏହି ବିଶ୍ୱ ଚାମ୍ପିୟନ ସହିତ କଡ଼ା ପ୍ରତିଯୋଗିତା ଦେଇ ଭାରତ ମ୍ୟାଚ୍ ଶେଷ ସୁଦ୍ଧା ସ୍କୋରଲାଇନକୁ ୧-୧ ରେ ରଖିଥିଲା। ଧାର୍ଯ୍ୟ ସମୟ ସମାପ୍ତ ହେବା ପରେ ମ୍ୟାଚ୍ ଏକ ସୁଟ୍ଆଉଟ୍ ରେ ପହଞ୍ଚିଥିଲା। ଶୁଟ୍ଆଉଟ୍ ସମୟରେ ଏପରି ଏକ ଭୁଲ କରାଯାଇଥିଲା ଯାହା ଭାରତୀୟ ଖେଳାଳିଙ୍କ ମନୋବଳକୁ ଦୋହଲାଇ ଦେଇଥିଲା। ଭାରତୀୟ ଖେଳାଳିମାନେ କୌଣସି ଭୁଲ କରି ନଥିଲେ କିମ୍ବା ଅଷ୍ଟ୍ରେଲିଆ ପକ୍ଷରୁ କିଛି ଭୁଲ ହୋଇନଥିଲା। ଏହି ଭୁଲ ମ୍ୟାଚ୍ ଅଧିକାରୀଙ୍କ ଦ୍ୱାରା ଘଟିଥିଲା, ଯେଉଁଥିପାଇଁ ଭାରତକୁ ଏହାର ମୂଲ୍ୟ ଦେବାକୁ ପଡିଲା।

ଏହି କାରଣରୁ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ତେବେ ଏହି ପ୍ରସଙ୍ଗରେ ବିଶ୍ୱର ବହୁ ହକିପ୍ରେମୀ ଏବଂ ବରିଷ୍ଠ ଖେଳାଳିମାନେ ସମାଲୋଚନା କରିବାରୁ ବର୍ତ୍ତମାନ ବିଶ୍ୱ ହକି ଫେଡେରେସନ୍ (ଏଫ୍‌ଆଇଏଚ୍‌) ମାମଲାରେ କ୍ଷମା ମାଗିଛି ଏବଂ ଘଟଣାର ସମୀକ୍ଷା କରିବାକୁ କହିଛି। ଘଟଣା ଅନୁସାରେ ଅଷ୍ଟ୍ରେଲିଆ ସୁଟଆଉଟରେ ପ୍ରଥମ ସୁଯୋଗ ପାଇଥିଲା ଏବଂ ଆମ୍ବ୍ରୋସିଆ ମାଲୋନ୍ ଷ୍ଟ୍ରୋକ୍ କରିବାକୁ ଆସିଥିଲେ । ଭାରତୀୟ ଅଧିନାୟକ ସବିତା ଗୋଲକୁ ଚମତ୍କାର ଭାବରେ ବଞ୍ଚାଇଥିଲେ ଏବଂ ଅଷ୍ଟ୍ରେଲିଆ ନିରାଶ ହୋଇଥିଲା। କିନ୍ତୁ ଏଠାରେ କାହାଣୀରେ ଟ୍ୱିଷ୍ଟ ଆସିଥିଲା, ମ୍ୟାଚ୍ ଅଧିକାରୀମାନେ ଘଣ୍ଟା ଅନ୍ କରିବାକୁ ଭୁଲି ଯାଇଥିଲେ, ଯେଉଁ କାରଣରୁ ଅଷ୍ଟ୍ରେଲୀୟ ଖେଳାଳିଙ୍କ ସଟ୍ ଅବୈଧ ବୋଲି ବିବେଚନା କରାଯାଇଥିଲା।

ମାଲୋନଙ୍କୁ ପୁଣି ଥରେ ଷ୍ଟ୍ରୋକ୍ କରିବାକୁ କୁହାଯାଇଥିଲା ଏବଂ ଏଥର ସେ କୌଣସି ତ୍ରୁଟି ନକରି ଅଷ୍ଟ୍ରେଲିଆ ପାଇଁ ପ୍ରଥମ ଗୋଲ୍ କରିଥିଲେ। ଏହା ସହିତ ଭାରତ ଉପରେ ଚାପ ଆରମ୍ଭ ହୋଇଥିଲା ଏବଂ ଟିମ୍ ଇଣ୍ଡିଆକୁ ୦-୩ ପରାଜୟର ସାମ୍ନା କରିବାକୁ ପଡିଥିଲା। ଯଦି ମ୍ୟାଚ୍ ଅଧିକାରୀଙ୍କ ଏହି ଭୁଲ ହୋଇନଥାନ୍ତା, ତେବେ ଭାରତ ଉପରେ କୌଣସି ଚାପ ହୋଇ ନଥାନ୍ତା ଏବଂ ବୋଧହୁଏ ମ୍ୟାଚର ଫଳାଫଳ ଭିନ୍ନ ହୋଇଥାନ୍ତା।

ବୈଷୟିକ ଅଧିକାରୀଙ୍କ ନିଷ୍ପତ୍ତିକୁ ନେଇ ଦର୍ଶକମାନେ ମଧ୍ୟ କ୍ରୋଧ ପ୍ରକାଶ କରିଥିଲେ। ପଡ଼ିଆରେ ଭାରତୀୟ ଦଳର କୋଚ୍ ଶୋପମ୍ୟାନ୍ ଏବଂ ବାକି ଖେଳାଳିମାନେ ମଧ୍ୟ ଏଥିରେ ଟିମ୍ ଇଣ୍ଡିଆର ଦୋଷ କ’ଣ ବୋଲି ରେଫରିଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି। ତେବେ ରେଫରି ଭାରତୀୟଙ୍କ କଥା ଶୁଣି ନଥିଲେ ଏବଂ ଅଷ୍ଟ୍ରେଲୀୟଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯାଇଥିଲା।

Get real time updates directly on you device, subscribe now.