fbpx

NPS-OPS: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଗଠନ କଲା କମିଟି, ବଦଳିବ ନୂଆ ପେନସନ ଯୋଜନା!

ନୂଆଦିଲ୍ଲୀ: ସମସ୍ତ ସରକାରୀ କର୍ମଚାରୀଙ୍କୁ ଏକ ଖୁସି ଖବର ମିଳିବାକୁ ଯାଉଛି । ପୁରୁଣା ପେନସନ ସ୍କିମ (ଓପିଏସ)କୁ ପୁଣି ଥରେ ଲାଗୁ କରିବା ପାଇଁ କର୍ମଚାରୀମାନେ ବାରମ୍ବାର ଦାବି କରି ଆସୁଛନ୍ତି । ଦେଶର ଅଣବିଜେପି ଶାସିତ ରାଜ୍ୟରେ ବିରୋଧୀମାନେ ଏହି ପ୍ରସଙ୍ଗକୁ ବାରମ୍ବାର ଉଠାଇ ଆସୁଛନ୍ତି । ଗତ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଓପିଏସକୁ ଏକ ବଡ଼ ମୁଦ୍ଦା ଭାବେ ଉପସ୍ଥାପନ କରିଥିବା ବେଳେ ରାଜ୍ୟରେ ସରକାର ଗଠନ ହେବା ପରେ ଏହାକୁ ଲାଗୁ କରିବା ନେଇ ଘୋଷଣା କରିଛି ।

ତେବେ ୪ ଦିନ ତଳେ ସଂସଦରେ କେନ୍ଦ୍ର ସରକାର ଓପିଏସକୁ ନେଇ ଏକ ବଡ଼ ଘୋଷଣା କରିଥିଲେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରୀ କର୍ମଚାରୀଙ୍କ ପେନସନ ପ୍ରସଙ୍ଗରେ ସମୀକ୍ଷା କରିବା ପାଇଁ ଏକ କମିଟି ଗଠନ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ତେବେ ଏହା ମଧ୍ୟରେ ନୂଆ ପେନସନ ଯୋଜନାରେ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସେଥିପାଇଁ କେନ୍ଦ୍ର ଅର୍ଥ ସଚିବଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଥିବା ବେଳେ ଖୁବଶୀଘ୍ର କର୍ମଚାରୀଙ୍କ ସମସ୍ୟାର ସମାଧାନ କରାଯିବ । ନୂଆ ପେନସନ ସ୍କିମ୍ (ଏନପିଏସ)କୁ ପରିବର୍ତ୍ତନ କରିବାକୁ ପ୍ରୟାସ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି ।

ତେବେ ଏନପିଏସ-ଓପିଏସ କେଉଁଥିରେ ସରକାରୀ କର୍ମଚାରୀଙ୍କୁ ବେଶି ଫାଇଦା ମିଳିଥାଏ, ତାହା ସମସ୍ତେ ଜାଣିବା ନିହାତି ଜରୁରୀ । ଗତ ୨୦୦୪ ପରଠାରୁ ଦେଶରେ ଏନପିଏସ ଲାଗୁ ହୋଇଥିଲା । ଦୁଇ ସ୍କିମରେ କିଛି ଫାଇଦା ଓ କିଛି କ୍ଷତି ରହିଛି । ଓପିଏସରେ ଅବସର ସମୟରେ କର୍ମଚାରୀଙ୍କୁ ଦରମାର ଅଧା ରାଶି ପେନସନ ଆକାରରେ ମିଳିଥାଏ । ଏଥିସହିତ ଏଥିରେ କର୍ମଚାରୀଙ୍କ ବେତନରୁ କିଛି ପଇସା କଟିବାର ନିୟମ ନାହିଁ । ଏଥିରେ କର୍ମଚାରୀଙ୍କୁ ସରକାରଙ୍କ ଟ୍ରେଜେରୀ ମାଧ୍ୟମରେ ଅର୍ଥ ଦିଆଯାଏ । ଏଥିରେ ପ୍ରତି ୬ ମାସ ପରେ ମହଙ୍ଗା ଭତ୍ତା (ଡିଏ) ମିଳିବାର ନିୟମ ରହିଛି । ସରକାର ନୂଆ ବେତନ ଆୟୋଗ (ପେ କମିଶନ) ଲାଗୁ କରିବା ସମୟରେ ପେନସନ ରାଶି ବଢ଼ିଥାଏ ।

ମୋଟ ଜମା ରାଶି ଓ ନିବେଶର ରିଟର୍ଣ୍ଣ ଆଧାରରେ ଏନପିଏସ ନିର୍ଦ୍ଧାରିତ ହୋଇଥାଏ । ଏଥିରେ କର୍ମଚାରୀଙ୍କ ଯୋଗଦାନ ସେମାନଙ୍କର ବେସିକ ସାଲାରୀ ଓ ଡିଏର ୧୦ ପ୍ରତିଶତ କର୍ମଚାରୀଙ୍କୁ ମିଳିଥାଏ । ଏହି ଯୋଗଦାନ ରାଜ୍ୟ ସରକାର ଦେଇଥାନ୍ତି । ୨୦୦୯ ମସିହା ମେ ମାସ ୧ ତାରିଖରେ ଏନପିଏସ ସମସ୍ତଙ୍କ ପାଇଁ ଲାଗୁ ହୋଇଥିଲା । ଓପିଏସରେ କର୍ମଚାରୀଙ୍କର ବେତନରୁ କିଛି କଟୁ ନଥିଲା । ଏନପିଏସରେ କର୍ମଚାରୀଙ୍କ ଦରମାରୁ ୧୦ ପ୍ରତିଶତ କଟିଥାଏ ।

ଓପିଏସରେ ଜିପିଏଫ ସୁବିଧା ରହିଥିବା ବେଳେ ଏନପିଏସରେ ଏହି ସୁବିଧା ନାହିଁ । ଓପିଏସରେ ଅବସର ବେଳେ ଅଧା ଦରମା ପେନସନ ଆକାରରେ ମିଳୁଥିବା ବେଳେ ଏନପିଏସରେ ପେନସନର କିଛି ଗ୍ୟାରେଣ୍ଟି ନାହିଁ । ଓପିଏସ ଏକ ସୁରକ୍ଷା ଯୋଜନା, କାରଣ ଏହାର ଭରଣା ସରକାରୀ ରାଜକୋଷରୁ ହୋଇଥାଏ । ମାତ୍ର ଏନପିଏସ ଶେୟାର ବଜାର ଆଧାରରେ ହୋଇଥାଏ । ବଜାରର ସ୍ଥିତି ଅନୁସାରେ ଭରଣା କରାଯାଇଥାଏ । ତେବେ ସରକାରୀ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ କମିଟି ଗଠନ କରିଥିବାରୁ ଏହା କର୍ମଚାରୀଙ୍କ ସବୁ ସମସ୍ୟାର ସମାଧାନ କରିବା ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.