fbpx

୪୫ ବର୍ଷ ପରେ ଏଲ୍‌ଏସିରେ ଭାରତ-ଚୀନ୍ ସେନା ମଧ୍ୟରେ ଗୁଳି ବିନିମୟ

ନୂଆଦିଲ୍ଲୀ, ୭ା୯: ଗତ ପ୍ରାୟ ୩ ମାସ ଧରି ମୁହାଁମୁହିଁ ଅବସ୍ଥାରେ ରହିବା ପରେ ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍‌ଚୁଆଲ୍ କଣ୍ଟ୍ରୋଲ୍ (ଏଲ୍‌ଏସି)ରେ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ଗୁଳିକାଣ୍ଡ ଘଟିଛି । ତେବେ ଏହି ଗୁଳିକାଣ୍ଡ ଘଟଣାରେ ଉଭୟ ପକ୍ଷର କେତେ ସୈନିକ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ ବିସ୍ତୃତ ସୂଚନା ମିଳି ପାରି ନାହିଁ । ଗୁଳି ବିନିମୟ ଘଟଣା ପାଇଁ ଭାରତ ପକ୍ଷରୁ ଚୀନ୍‌କୁ ଦାୟି କରାଯାଉଥିବା ବେଳେ ଚୀନ୍ କର୍ତ୍ତୃପକ୍ଷ ଭିନ୍ନ ଯୁକ୍ତି ବାଢ଼ିଛନ୍ତି । ଭାରତୀୟ ସୈନିକମାନେ ଏଲ୍‌ଏସି ଅତିକ୍ରମ କରି ଚୀନ୍ ସୈନିକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଛନ୍ତି ବୋଲି ଚୀନ୍ କର୍ତ୍ତୃପକ୍ଷ ଅଭିଯୋଗ ଆଣିଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଦୀର୍ଘ ୪୫ ବର୍ଷ ପରେ ଏଲ୍‌ଏସିରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ଗୁଳି ବିନିମୟ ଘଟିଛି । ଏହାପୂର୍ବରୁ ୧୯୭୫ ମସିହାରେ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ଗୁଳିକାଣ୍ଡ ଘଟିଥିଲା । ଚଳିତ ବର୍ଷ ଭାରତ-ଚୀନ୍ ସୀମାନ୍ତ ଗଲୱାନ୍ ଘାଟିରେ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲେ ମଧ୍ୟ ସେତେବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଘଟି ନଥିଲା । ଏହି ରକ୍ତାକ୍ତ ସଂଘର୍ଷ ଘଟଣାରେ ୨୦ଜଣ ଭାରତୀୟ ବୀର ଯବାନ ସହିଦ ହୋଇଥିବା ବେଳେ ଚୀନ୍‌ର ପ୍ରାୟ ୪୩ଜଣ ସୈନିକ ମୃତାହତ ହୋଇଥିବା ଚର୍ଚ୍ଚା ହୋଇଥିଲା । କିନ୍ତୁ ଏବେ ସୀମାନ୍ତରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ସ୍ଥିତିକୁ ସଙ୍ଗୀନ କରିଦେବା ସହ ଯୁଦ୍ଧ ସମ୍ଭାବନା ସୃଷ୍ଟି କରିଛି । ଜୁନ୍ ୧୫ ତାରିଖର ଘଟଣା ପରେ ଉଭୟ ଭାରତ ଓ ଚୀନ୍ ଏଲ୍‌ଏସି ନିକଟରେ ସେନା ଠୁଳ କରି ଚାଲିଥିଲେ । ଏହାସହ ଉଭୟ ପକ୍ଷ ସୀମା ନିକଟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ମୁତୟନ କରିଛନ୍ତି । ତେଣୁ ଯେ କୌଣସି ମୁହୁର୍ତ୍ତରେ ଭାରତ ଓ ଚୀନ୍ ମଧ୍ୟରେ ଯୁଦ୍ଧ ହୋଇଯାଇପାରେ ବୋଲି କୁହାଯାଉଛି । ଖାସ୍ କରି ଭାରତୀୟ ସେନା ପକ୍ଷରୁ ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ \”ବ୍ଲାକ୍‌ଟପ୍‌\’କୁ ଅକ୍ତିଆର କରାଯିବା ପରେ ଚୀନ୍ ଅଧିକ ଚିନ୍ତିତ ହୋଇପଡ଼ିଛି । ଭାରତ ପକ୍ଷରୁ ଏତେ ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରାଯିବ ବୋଲି ଚୀନ୍ କେବେ ବି ଚିନ୍ତା କରି ନଥିଲା । ଖାସ୍ କରି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚୀନ୍‌କୁ ମସ୍କୋଠାରେ ସ୍ପଷ୍ଟ ଭାଷାରେ ଚେତାବନୀ ଦେବା ଘଟଣାକୁ ଚୀନ୍ ସହଜରେ ଗ୍ରହଣ କରିପାରିନି ।

Get real time updates directly on you device, subscribe now.