fbpx

ପ୍ରଥମେ ଝିଅ ଆଉ ଏବେ ପିତା: ସମସ୍ତଙ୍କୁ ହରାଇବା ପରେ ବି ଦଳର ହାତ ଛାଡି ନାହାନ୍ତି ବିଷ୍ଣୁ ସୋଲାଙ୍କୀ

ନୂଆଦିଲ୍ଲୀ: ରଣଜୀ ଟ୍ରଫିରେ ବରୋଦା ପକ୍ଷରୁ ଖେଳୁଥିବା ବିଷ୍ଣୁ ସୋଲାଙ୍କୀଙ୍କ ପାଇଁ ଭାଙ୍ଗି ପଡିଛି ଦୁଃଖର କଳା ବାଦଲ । ତାଙ୍କ ହାତ ଛାଡି ଚାଲି ଯାଉଛନ୍ତି ପରିବରର ଜଣକ ପରେ ଜଣେ ସଦସ୍ୟ । ତଥାପି ସେ ଦଳର ହାତ ନଛାଡି ନିଜ ଟିମ ସହିତ ଯୋଡି ହୋଇ ରହିଛନ୍ତି । କିଛି ଦିନ ତଳେ ନବଜାତ ଶିଶୁକନ୍ୟାକୁ ହରାଇଥିଲେ ବିଷ୍ଣୁ । ଆଉ ଏବେ ପିତାଙ୍କର ମଧ୍ୟ ଦେହାନ୍ତ ହୋଇଥିବା ଖବର ଆସିଛି ।

ଗତ କିଛି ଦିନରୁ ଅସୁସ୍ଥ ଥିବା ବିଷ୍ଣୁଙ୍କ ପିତା ରବିବାର ପ୍ରାଣତ୍ୟାଗ କରିଛନ୍ତି । କିନ୍ତୁ ଜଣେ ଖେଳାଳିର କର୍ତ୍ତବ୍ୟକୁ ପାଳନ କରି ସେ ପୁଣି ଥରେ ଘରକୁ ଫେରିନାହାନ୍ତି । ନିଜ ଦଳ ସହିତ ତୃତୀୟ ମ୍ୟାଚରେ ଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବିଷ୍ଣୁ ସୋଲାଙ୍କୀ । ପ୍ରକୃତ ଖେଳର ସ୍ପିରିଟ ସହିତ ସେ ତୃତୀୟ ମ୍ୟାଚରେ ମଇଦାନକୁ ଓହ୍ଲାଇବା ପାଇଁ ପଣ କରିଛନ୍ତି । ବିଷ୍ଣୁ ଟୁର୍ଣ୍ଣାମେଣ୍ଟରେ ବରୋଦା ପାଇଁ ଗ୍ରୁପର ଶେଷ ଖେଳିବେ ବୋଲି କହିଛନ୍ତି ବରୋଦା କ୍ରିକେଟ ସଂଘର ସଚିବ ଅଜିତ ଲେଲେ । ତେବେ ବିଷ୍ଣୁ ଫେରୁ ନାହାନ୍ତି ଏବଂ ଦଳ ସହିତ ରହିବା ପାଇଁ ନିଷ୍ପତ୍ତି ନେଇଥିବା ସ୍ପଷ୍ଟ କରିଛନ୍ତି ସଂଘର ସଚିବ ।

୨୯ ବର୍ଷୀୟ ଏହି କ୍ରିକେଟର ୧୧ ଫେବୃୟାରୀରେ ନବଜାତ ଶିଶୁକନ୍ୟାକୁ ହରାଇଥିଲେ । ସେହି ଦୁଃଖରୁ ଏବେ ପର୍ଯ୍ୟନ୍ତ ବାହାରି ପାରି ନଥିବା ବିଷ୍ଣୁ ଏବେ ପୁଣି ତାଙ୍କ ପିତାଙ୍କୁ ମଧ୍ୟ ହରାଇଛନ୍ତି । ଝିଅର ଅନ୍ତ୍ୟେଷ୍ଟି କ୍ରିୟା ଶେଷ କରି ସେ ଦଳ ସହିତ ଯୋଡି ହୋଇଥିଲେ ଏବଂ ଏକ ସୁନ୍ଦର ଶତକ ଲଗାଇଥିଲେ । କିନ୍ତୁ ଶତକର ସେଲିବ୍ରେସନ କରି ନଥିଲେ ବିଷ୍ଣୁ । ୧୬୫ ବଲରେ ୧୦୪ ରନ ସଂଗ୍ରହ କରି ଦଳକୁ ଏକ ଭଲ ଟାର୍ଗେଟରେ ପହଞ୍ଚାଇଥିଲେ । କିନ୍ତୁ ଏହି ମ୍ୟାଚର ଶେଷ ଦିନ ହିଁ ବାପାଙ୍କ ମୃତ୍ୟୁ ଖବର ପାଇଛନ୍ତି ବିଷ୍ଣୁ ସୋଲାଙ୍କୀ । ତେବେ ଏହାପରେ ସେ ଘରକୁ ନ ଫେରି ଦଳ ସହିତ ତୃତୀୟ ମ୍ୟାଚ ଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.