fbpx

ଭାରତର ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ତେଜସ” ବିମାନ ଦୁର୍ଘଟଣାଗ୍ରସ୍ତ

ଓଡ଼ିଶା ଭାସ୍କର: ୨୩ ବର୍ଷ ଭିତରେ ପ୍ରଥମ ଥର ପାଇଁ ଭାରତୀୟ ବାୟୁ ସେନାର ଲଢୁଆ ବିମାନ ”ତେଜସ” ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜସ୍ଥାନ ଜୈସଲମେରର ଜବାହର ନଗର ନିକଟରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଯୁଦ୍ଧାଭ୍ୟାସ୍‌ରେ ସାମିଲ ହେବାକୁ ଯାଉଥିବା ବେଳେ ଏକ ବୟଜ୍‌ ହଷ୍ଟେଲ ନିକଟରେ କ୍ରାଶ୍‌ ହୋଇ ବିମାନଟି ତଳେ ଖସି ପଡିଥିଲା। ତେବେ ୨୩ ବର୍ଷ ଧରି ଭାରତୀୟ ବାୟୁସେନାକୁ ସେବା ଯୋଗାଇ ଆସୁଥିବା ଏହି ଲଢୁଆ ବିମାନ ”ତେଜସ” ପ୍ରଥମ ଥର ପାଇଁ ଦୁର୍ଘଟଣାଗ୍ରସ୍ତ ହୋଇଛି।

ସୂଚନା ଥାଉକି, ”ତେଜସ” ହେଉଛି ଭାରତର ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ବିମାନ । ୨୦୦୧ ମସିହାରେ ଏହି ବିମାନର ପ୍ରଥମ ପରୀକ୍ଷଣ ହୋଇଥିଲା । ଏହାପରେ ୨୦୧୬ରେ ବିମାନକୁ ଭାରତୀୟ ବାଯୁସେନାରେ ସାମିଲ କରାଯାଇଥିଲା । କିନ୍ତୁ ଆଜି ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଛିନଭିନ୍ ହୋଇଯାଇଛି।

ତେବେ ମିଳିଥିବା ସୂଚନା ମୁତାବକ, ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ସିଧା ଜୈସଲମେରର ଜବାହର ନଗର ମେଘବାଲ ହଷ୍ଟେଲ ପାଖରେ ପଡିଥିଲା। ଏହାପରେ ଏଥିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଫଳରେ ଆଖପାଖ ଅଞ୍ଚଳରେ ବ୍ୟାପକ ଧୂଆଁ ବ୍ୟାପୀ ଯାଇଥିଲା। ତେବେ ହଠାତ ଏହି ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ। ଏବଂ ପରେ ଜଳୁଥିବା ବିମାନଟିକୁ ଲୋକେ ପାଣି ପକାଇ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ।

ଏଠାରେ କହି ରଖୁ ଯେ, ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାଇଲଟ୍‌। ସଠିକ୍ ସମୟରେ ପାଇଲଟ ଜଣକ ପ୍ଲେନରୁ ଡେଇଁ ପଡିବା କାରଣରୁ ତାଙ୍କ ଜୀବନ ବଞ୍ଚିଯାଇଛି। ତେବେ କେଉଁ କାରଣରୁ ଏତେ ବଡ଼ ଦୁର୍ଘଟଣା ହେଲା। ତା’ର କାରଣ ଜାଣିବା ଲାଗି କୋର୍ଟ ଅଫ୍‌ ଇନ୍‌କ୍ୱାୟରୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Get real time updates directly on you device, subscribe now.