ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରୁ ପ୍ରଥମ ଥର ସାନ୍ତାଳୀ ଭାଷାରେ ସମାଚାର ପ୍ରସାରଣ ଆରମ୍ଭ ହେଲା: ଧନ୍ୟବାଦ ଦେଲେ ରାଷ୍ଟ୍ରପତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରୁ ପ୍ରଥମ ଥର ସନ୍ତାଳୀ ଭାଷାରେ ସମାଚାର ପ୍ରସାରଣ ଆରମ୍ଭ ହୋଇଛି । ଡିଡି ଓଡ଼ିଆ ଚ୍ୟାନେଲରେ ସାନ୍ତାଳୀ ଭାଷାରେ ସମାଚାର ପ୍ରସାରଣ ଆରମ୍ଭ ହେବା ଖବର ଶୁଣିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ଖୁସି ବ୍ୟକ୍ତ କରିଛନ୍ତି । ଏନେଇ ରାଷ୍ଟ୍ରପତି ଦୂରଦର୍ଶନ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସାନ୍ତାଳୀ ଭାଷାରେ ନ୍ୟୁଜ୍ ପଢ଼ାଯିବା ନେଇ ରାଷ୍ଟ୍ରପତିଙ୍କ ଆଗ୍ରହ ରହିଥିଲା । ତେଣୁ ଏହାକୁ ୭ ଦିନ ଭିତରେ ଆରମ୍ଭ କରାଯିବ ବୋଲି ଗତ ୭ ତାରିଖରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ତେବେ ନିଜର ପୂର୍ବ ପ୍ରତିଶ୍ରୁତିକୁ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ପୂରଣ କରିଛନ୍ତି ।
ଡିଡି ଓଡ଼ିଆ ଚ୍ୟାନେଲରେ ସାନ୍ତାଳୀ ଭାଷାରେ ନ୍ୟୁଜ୍ ପଢ଼ାଯିବ ବୋଲି ନିକଟରେ ବାଙ୍ଗିରିପୋଷିରେ ବିଭିନ୍ନ ରେଳ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ । ଏହା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନିଜର ପୂର୍ବ ପ୍ରତିଶ୍ରୁତିକୁ ପାଳନ କରିଥିବାରୁ ରାଷ୍ଟ୍ରପତି ଖୁସି ଜାହିର କରିବା ସହ ଧନ୍ୟବାଦ ଦେଇଛନ୍ତି । ଏନେଇ ଗତକାଲି ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସେଥିରେ ପତ୍ର ସୂଚନା କାର୍ଯ୍ୟାଳୟ ଓ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଓଡ଼ିଶା ଶାଖାର ଅତିରିକ୍ତ ମହାନିର୍ଦ୍ଦେଶକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସାନ୍ତାଳୀ ଭାଷାରେ ଖବର ପ୍ରସାରଣ ହେବା ସାନ୍ତାଳୀ ସମୁଦାୟକୁ ନିଜ ଭାଷାରେ ଖବର ଜାଣିବାରେ ବେଶ୍ ସହାୟକ ହୋଇ ପାରିବ ବୋଲି ସେ କହିଥିଲେ ।