fbpx
BJD SKY
BJD SKY

ରାଜ୍ୟରେ ବଢ଼ୁଛି କିଡନୀ ରୋଗ! ରଣପୁର ପରେ କେନ୍ଦୁଝର, ବର୍ଷକରେ ଚାଲିଗଲାଣି ୫ଟି ଜୀବନ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ମଣିଷର ଖାଦ୍ୟପେୟ, ବେଶପୋଷାକ, ଚାଳିଚଳନ ବଦଳିବାରେ ଲାଗିଥିବା ବେଳେ ପରିବେଶ ମଧ୍ୟ କ୍ରମାଗତ ଭାବେ ଦୂଷିତ ହେବାରେ ଲାଗିଛି । ବର୍ତ୍ତମାନ ସମୟରେ ଜଳ, ବାୟୁ ସବୁ ଦୂଷିତ ହେବାରେ ଲାଗିଥିବ ବେଳେ ମଣିଷ ନାନା ପ୍ରକାରର ଭୟଙ୍କର ରୋଗକୁ ଆମନ୍ତ୍ରଣ କରୁଛି । ତେଣୁ ଏ କ୍ଷେତ୍ରରେ ଆମ ସମସ୍ତଙ୍କୁ ସଚେତନ ହେବାର ସମୟ ଆସିଯାଇଛି ।

ସୂଚନା ମୁତାବକ, କିଡନୀ ରୋଗକୁ ନେଇ ଏକ ବଡ଼ ଖବର ଆସିଛି । ରାଜ୍ୟର କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକରେ କିଡନୀ ରୋଗରେ ବହୁ ଲୋକ ଆକ୍ରାନ୍ତ ହେବା ସହ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । ବ୍ଲକର ପୁରୁଣାବାନ୍ଧଗୋଡ଼ା ପଞ୍ଚାୟତର ବିଲାବନ୍ଧ ଗ୍ରାମର ଅଧିକାଂଶ ଲୋକ ଚାଷକାର୍ଯ୍ୟ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ ସେମାନେ ଏବେ ଘୋର ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ ବର୍ଷକ ମଧ୍ୟରେ ଗ୍ରାମର ୫ ଜଣ ଲୋକ ଅଜଣା କିଡନୀ ରୋଗ କାରଣରୁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।

ତେବେ ଏବେ ବି ଗ୍ରାମର ବହୁ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ରହିଥିବା ବେଳେ ଚିକିତ୍ସା ନିମନ୍ତେ ସେମାନଙ୍କ ପାଖରେ ଅର୍ଥର ଘୋର ଅଭାବ ରହିଛି । ଗୋଟିଏ ବର୍ଷରେ ଏତେ ସଂଖ୍ୟକ ଲୋକ ମୃତ୍ୟୁବରଣ କରିବା ଫଳରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଭୟର ବାତାବରଣ ଦେଖାଯାଇଛି । ତେବେ ଏହି ରୋଗର ସଂକ୍ରମଣର ସଠିକ୍ କାରଣ ଜଣାପଡ଼ୁ ନଥିଲେ ହେଁ ଲୋକମାନେ ବ୍ୟବହାର କରୁଥିବା ପାନୀୟ ଜଳ କାରଣରୁ ଏହି ରୋଗ ବ୍ୟାପୁଥିବା ଗ୍ରାମବାସୀ କହିଛନ୍ତି । ତେଣୁ ଏଭଳି ସ୍ଥିତିରେ ଗ୍ରାମକୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପଠାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଗ୍ରାମବାସୀ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ, ଦୁଇ ସପ୍ତାହ ପୂର୍ବରୁ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରୁ ମଧ୍ୟ ଏପରି ଏକ ବଡ଼ ଖବର ସାମ୍ନାକୁ ଆସିଥିଲା । ଦୂଷିତ ନଳକୂପ ପାଣି ସେବନ କରି ଲୋକଙ୍କଠାରେ କିଡନୀ ରୋଗ, ହାଡ଼ ବଙ୍କା, ଦାନ୍ତ ନଷ୍ଟ ଆଦି ରୋଗ ଦେଖାଯାଉଥିବା ଅଭିଯୋଗ ଆସିଥିଲା ।

Get real time updates directly on you device, subscribe now.