fbpx

ବିଶ୍ୱର ଅଧିକାଂଶ ଦେଶରେ ଏବେ ସୃଷ୍ଟି ହୋଇଛି ଆର୍ଥିକ ସଙ୍କଟ: ଜାଣନ୍ତୁ ଏହା ପଛର ୫ଟି କାରଣ

ନୂଆଦିଲ୍ଲୀ: ବିଶ୍ୱକୁ ପୁଣି ଥରେ ଘୋର ଆର୍ଥିକ ସଙ୍କଟ ଘାରିଛି । ଅଧିକାଂଶ ଦେଶ ଆର୍ଥିକ ସଙ୍କଟରୁ ମୁକୁଳିବାକୁ ସଂଘର୍ଷ ଜାରି ରଖିଛନ୍ତି । ଏହି ପରିସ୍ଥିତିକୁ ଦେଖି ବିଶ୍ୱର ଏକନମ୍ବର ଧନୀ ବ୍ୟକ୍ତି ଏଲନ ମସ୍କ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି । ତେବେ ଆମେରିକା ପରି ବିକଶିତ ରାଷ୍ଟ୍ରମାନେ ମଧ୍ୟରୁ ଏଥିରୁ ବାଦ୍ ପଡ଼ିନାହାନ୍ତି ବୋଲି ମସ୍କଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ମତ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଆର୍ଥିକ ସଙ୍କଟ ପଛର ୫ଟି କାରଣ ବିଷୟରେ ।

୧- କୋଭିଡ-୧୯ କାରଣରୁ ସମଗ୍ର ବିଶ୍ୱରେ ଘୋର ଆର୍ଥିକ ସଙ୍କଟ ଦେଖାଦେଇଥିଲା । ବର୍ତ୍ତମାନ ମଧ୍ୟ ଚୀନରେ ନୂଆ ଲହର ତାଣ୍ଡବ ଆରମ୍ଭ କରିଦେଲାଣି । ମହାମାରୀ କାରଣରୁ ଚାରିଆଡ଼େ ଲକଡାଉନ ଲାଗୁ ହେବା ସହ ଅନେକ କମ୍ପାନୀ, ପ୍ଲାଣ୍ଟ ବନ୍ଦ ହୋଇଯାଇଥିଲା । ଏହା ବିଶ୍ୱରେ ସପ୍ଲାଇ ସାଇଡକୁ ବ୍ୟାହତ କରିଥିଲା ।

୨- ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମଗ୍ର ବିଶ୍ୱକୁ ନୂଆ ବିପଦ ଡାକି ଆଣିଥିଲା । ଦୁଇ ଦେଶଙ୍କ ସହ ଆମେରିକା, ପଶ୍ଚିମ ରାଷ୍ଟ୍ର ଓ ନାଟୋ ପକ୍ଷରୁ ଲାଗୁ କଟକଣା ବିଶ୍ୱକୁ ମାନ୍ଦାବସ୍ଥା ଆଡ଼କୁ ନେଇଯାଇଥିଲା । ଅନ୍ତର୍ଜାତୀୟ ବଜାରରେ ବିଭିନ୍ନ ଜରୁରୀ ସାମଗ୍ରୀର ରପ୍ତାନୀ, ଆମଦାନୀ ବାଧାପ୍ରାପ୍ତ ହୋଇଥିଲା ।

୩- ଚଳିତ ବର୍ଷର ମହଙ୍ଗା ମାଡ଼ ୧୦ ବର୍ଷ ପୂର୍ବର ଇତିହାସକୁ ପୁଣି ଥରେ ଦୋହରାଇଛି । ଭାରତରେ ମହଙ୍ଗା ମାଡ଼ ବହୁ ଉଚ୍ଚରେ ରହିଛି । ଗତ ଏପ୍ରିଲରେ ମହଙ୍ଗା ୧୫ ପ୍ରତିଶତ ପାର କରିଥିଲା, ଯାହାକି ୧୯୯୮ ମସିହା ପରଠାରୁ ସର୍ବାଧିକ ଥିଲା ।

୪- ମହଙ୍ଗାରୁ ନିସ୍ତାର ପାଇଁ ବିଶ୍ୱର ବିଭିନ୍ନ ଦେଶର ସେଣ୍ଟ୍ରାଲ ବ୍ୟାଙ୍କ ଲଗାତର ସୁଧ ହାର ବୃଦ୍ଧି କରିଚାଲିଛନ୍ତି । ଭାରତରେ ଚଳିତ ମାସରେ ରେପା ରେଟ୍ ୦.୦୪ ପ୍ରତିଶତ ବୃଦ୍ଧି କରାଯାଇଛି । ଏହା ପୁଣି ଆଗକୁ ବଢ଼ିବ ବୋଲି କୁହାଯାଉଛି । ଯେ ପର୍ଯ୍ୟନ୍ତ ମହଙ୍ଗା କଣ୍ଟ୍ରୋଲକୁ ଆସିନାହିଁ, ସେ ପର୍ଯ୍ୟନ୍ତ ସୁଧ ହାର ବଢ଼ିଚାଲିଯିବ ।

୫- ଗତ କିଛି ମାସ ହେଲା ତୈଳ ବଜାରରେ ନିଆଁ ଲାଗିଛି । କ୍ରୁଡ ଅଏଲର ସର୍ବବୃହତ ରପ୍ତାନକାରୀ ରୁଷ ଉପରେ ଆମେରିକା ସହ ଅନ୍ୟ ୟୁରୋପୀୟ ରାଷ୍ଟ୍ର କଟକଣା ଲାଗୁ କରିଥିଲେ । ଏପ୍ରିଲରେ ରୁଷର କ୍ରୁଡ ଅଏଲ ଉତ୍ପାଦନ ୯ ପ୍ରତିଶତ କମ୍ ହୋଇଥିଲା । ମହଙ୍ଗା କ୍ରୁଡ ଅଏଲ ପାଇଁ ଭାରତ ପରି କିଛି ବିକାଶଶୀଳ ଦେଶର ବହୁତ କ୍ଷତି ଘଟୁଛି ।

Get real time updates directly on you device, subscribe now.