fbpx

T-20 World Cup: ଏହି ପାଞ୍ଚଟି କାରଣ ପାଇଁ ଟିମ୍ ଇଣ୍ଡିଆ ବିଜୟ ଟ୍ରାକକୁ ଫେରିବାକୁ ସକ୍ଷମ ହେଲା

Advertisement

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ପ୍ରଥମ ଦୁଇଟି ମ୍ୟାଚରେ ଲଜ୍ଜାଜନକ ଭାବେ ପରାଜୟ ବରଣ କରିବା ପରେ ଟିମ୍ ଇଣ୍ଡିଆ ସମସ୍ତଙ୍କର ସମାଲୋଚନାର ପାତ୍ର ହୋଇଥିଲା । ଏଥିପାଇଁ ଖେଳାଳିଙ୍କ ମନୋବଳ, ମ୍ୟାନେଜେମେଣ୍ଟ ଆଦିରେ ତ୍ରୁଟି ଥିବା କୁହାଯାଉଥିଲା । ତେବେ ଯାହାହେଉ ଶେଷରେ ହିନ୍ଦୁସ୍ତାନ ସିଂହ ନିଜର ଟ୍ରାକକୁ ଫେରିବାରେ ସକ୍ଷମ ହୋଇଛି । ନିଜର ତୃତୀୟ ମ୍ୟାଚରେ ପ୍ରତିପକ୍ଷ ଆଫଗାନିସ୍ତାନକୁ ୬୬ ରନରେ ପରାସ୍ତ କରିଛି । ତେବେ ବାରମ୍ବାର ହାରୁଥିବା ଦଳ ଅଚାନକ କଡ଼ ଲେଉଟାଇବା ପଛରେ ମୁଖ୍ୟତଃ ୫ଟି କାରଣ ରହିଛି ।

୧- ଭାରତର ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ଦୁହେଁ ଶାନଦାର ଓପନିଂ କରିଥିଲେ । ଦୁହିଁଙ୍କର ୧୪୦ ରନର ପାର୍ଟନରସିପ୍ ଦଳ ପାଇଁ ଏକ ମଜବୁତ ସ୍କୋର ଛିଡ଼ା କରାଇବାରେ ସହାୟକ ହୋଇଥିଲା । ପୂର୍ବ ଦୁଇଟି ମ୍ୟାଚର ତ୍ରୁଟିକୁ ସୁଧାରିବାରେ ଭାରତ ସକ୍ଷମ ହୋଇଥିଲା ।

୨- ହାରିବା ପରେ ବିଭିନ୍ନ ମହଲରୁ ସମାଲୋଚନାର ପାତ୍ର ହେବା ପରେ ଅଧିନାୟକ ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ । ସେ ନିଜେ ୩ୟ ସ୍ଥାନରେ ନ ଆସି ଋଷଭ ପନ୍ତଙ୍କୁ ପଠାଇଥିଲେ । ପନ୍ତ ମଧ୍ୟ ଏହି ନିଷ୍ପତ୍ତିକୁ ସାର୍ଥକ କରି ଦ୍ରୁତ ଷ୍ଟ୍ରାଇକ ରେଟରେ ରନ ସଂଗ୍ରହ କରିଥିଲେ ।

୩- ଫର୍ମରେ ନଥିବା ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ମଧ୍ୟ ନିରାଶା କରିନଥିଲେ । ମାତ୍ର ୧୩ଟି ବଲରେ ସେ ୩୫ ରନ କରି ଦଳୀୟ ସ୍କୋରକୁ ୨ ଶହ ପାର କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

୪- ପାୱାର ପ୍ଲେରେ ଭାରତୀୟ ବୋଲରମାନେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିବା ସହ ୱିକେଟ ନେବାରେ ସକ୍ଷମ ହୋଇଥିଲେ । ପୂର୍ବ ଦୁଇଟି ମ୍ୟାଚରେ ଭାରତ ମାତ୍ର ୨ଟି ୱିକେଟ ନେଇଥିବା ବେଳେ ଚଳିତ ମ୍ୟାଚରେ ବୋଲିଂରେ ଅପେକ୍ଷାକୃତ ସୁଧାର ଆସିଥିଲା ।

୫- ଅଫ୍ ସ୍ପିନର ଆର୍ ଅଶ୍ୱିନୀ ଭାରତ ପାଇଁ ଶୁଭ ସାବ୍ୟସ୍ତ ହୋଇଥିଲେ । ସେ ୪ ଓଭର ବୋଲିଂ କରି ୧୪ ରନ ଦେଇ ୨ଟି ୱିକେଟ ହାସଲ କରିଥିଲେ । ଏଥିସହ ରବିନ୍ଦ୍ର ଜାଡେଜା ଓ ମହମ୍ମଦ ସାମି ମଧ୍ୟ ଭଲ ବୋଲିଂ କରିଥିଲେ ।

୬- ଚଳିତ ବିଶ୍ୱକପ ଆରମ୍ଭରୁ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ନଥିବା ଅନେକ ଭେଟେରାନ୍ ମନ୍ତବ୍ୟ ଦେଇଥିଲେ । ତେବେ ହାରିବା ଓ ଜିତିବା ତ ଅଲଗା କଥା । ପ୍ରତିପକ୍ଷଙ୍କ ସମ୍ମୁଖରେ ଆତ୍ମସମର୍ପଣ ନକରି ସେମି ପାଇଁ ଲଢ଼େଇ ଜାରି ରଖିବ ବୋଲି ଏହି ମ୍ୟାଚରେ ଭାରତ ପରୋକ୍ଷରେ ଇସାରା ଦେଇଥିଲା ।

Get real time updates directly on you device, subscribe now.