fbpx

ଦୁବାଇ ଇନଭେଷ୍ଟର୍ସ ମିଟ୍: ଓଡ଼ିଶାରେ ହେବ ୫ ହଜାର କୋଟିର ପୁଞ୍ଜି ନିବେଶ, ଟ୍ୱିଟ୍ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇ ଗସ୍ତ ଅବସରରେ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଯୋଗ ଦେଇ ପୁଞ୍ଜି ନିବେଶକଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଅବସରରେ ଓଡ଼ିଶାର ଏକ ଉଚ୍ଚସ୍ତରୀୟ ଟିମ୍ ସହ ବହୁ ଶିଳ୍ପ ସଂସ୍ଥା ଦୁବାଇରେ ପହଞ୍ଚିଛନ୍ତି । ଉକ୍ତ ଟିମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା ପ୍ରମୁଖ ରହିଛନ୍ତି ।

ତେବେ ଓଡ଼ିଶାରେ ପୁଞ୍ଜି ନିବେଶ କରିବେ ଦୁବାଇର ଏକାଧିକ ପ୍ରତିଷ୍ଠିତ କମ୍ପାନୀ । ଇନଭେଷ୍ଟର୍ସ ମିଟରେ କମ୍ପାନୀର ମୁଖିଆମାନେ ଏନେଇ ପ୍ରତିଶ୍ରୁତି ଦେଇଛନ୍ତି । ଏ ବାବଦରେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଖୁସି ବ୍ୟକ୍ତ କରିଛନ୍ତି । କୁଏତର ଏନବିଟିସି କମ୍ପାନୀର ପାର୍ଟନର ଓ ଏମଡି କେଜି ଆବ୍ରାହମଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି । କମ୍ପାନୀ ଓଡ଼ିଶାରେ ୫ ହଜାର କୋଟି ନିବେଶ କରି ଏକ ୟୁରିଆ ପ୍ଲାଣ୍ଟ ସ୍ଥାପନ କରିବ ।

ସେହିପରି ଭୁବନେଶ୍ୱର ସ୍ଥିତ ଆଇସିଟି କ୍ୟାମ୍ପସରେ ଏକ ହଜାର କୋଟିର ପୁଞ୍ଜି ନିବେଶ କରିବ ତାବ୍ରିଡ ଗ୍ରୁପ । ରାଜ୍ୟ ସରକାର କମ୍ପାନୀକୁ ପ୍ରକଳ୍ପ ପାଇଁ ସହଯୋଗ ପ୍ରଦାନ କରିବେ । ତାବ୍ରିଡ ଗ୍ରୁପର ଏମଡି ଡ. ୟୁସୁଫ ଅଲ ହମାଦି ଏନେଇ ନବୀନଙ୍କ ସହ ଆଲୋଚନା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଇଟାଲି ଗସ୍ତ ସମାପ୍ତ କରି ନବୀନ ଦୁବାଇରେ ପହଞ୍ଚିଥିଲେ । ଆବୁଧାବିର ଶେଖ୍ ଜାୟଦ ମସଜିଦ୍ ପରିଭ୍ରମଣ କରିବା ଅବସରରେ ସେଠାରେ ବ୍ୟବହୃତ ହୋଇଥିବା ମାର୍ବଲ ଭାରତରୁ ଆସିଥିବା ଟ୍ୱିଟ୍ କରିଥିଲେ । ଦୀର୍ଘ ୨୫ ବର୍ଷ ଧରି ଧଳା କୁର୍ତ୍ତା ପରିଧାନ କରି ଆସୁଥିବା ନବୀନ ପ୍ରଥମ ଥର ପାଇଁ ନୀଳ କୁର୍ତ୍ତା ପିନ୍ଧି ସମସ୍ତଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ।

Get real time updates directly on you device, subscribe now.