fbpx

Flying Bike ପାଇଁ ଆରମ୍ଭ ହେଲା ବୁକିଂ: ଏହାର ଦାମ୍ କେତେ ରହିଛି, ୪୦ ମିନିଟ୍ ପର୍ଯ୍ୟନ୍ତ ବାଇକ୍ ଶୂନ୍ୟରେ ଉଡ଼ିବ

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ଉଡ଼ନ୍ତା ବାଇକ ଏକ୍ସଟୁରିଜ୍ମୋକୁ ନେଇ ଏବେ ଚାରିଆଡ଼େ ଖୁବ ଚର୍ଚ୍ଚା ଚାଲିଛି । ଏହାର ବୁକିଂ କେବେ ଆରମ୍ଭ ହେବ, ଏଥିରେ କ’ଣ ସବୁ ଫିଚର ରହିଛି, ଏହାର ଦାମ କେତେ ରହିବ ଏହାକୁ ନେଇ ସମସ୍ତଙ୍କ ମନରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠୁଛି । ତେବେ ଏହା ମଧ୍ୟରେ ଉଡ଼ନ୍ତା ବାଇକ ଏକ୍ସଟୁରିଜ୍ମୋର ବୁକିଂ ଆରମ୍ଭ ହୋଇଯାଇଛି ।

ଗତବର୍ଷ ଅକ୍ଟୋବର ମାସରେ ଏକ୍ସଟୁରିଜ୍ମୋକୁ ନେଇ ଅଫିସିଆଲ ଭାବେ ସୂଚନା ଦିଆଯାଇଥିଲା । ଏକ୍ସଟୁରିଜ୍ମୋକୁ ଜାପାନର ଏରୱିନ୍ସ ଟେକ୍ନୋଲୋଜିସ ବିକଶିତ କରିଛି । ଏହି କମ୍ପାନୀ ଏୟାର ମୋବିଲିଟି ଟେକ୍ନୋଲୋଜି ଉପରେ କାର୍ଯ୍ୟ କରୁଛି । ସାଧାରଣ ଭାବେ ବାଇକଗୁଡ଼ିକ ସଡ଼କ ପଥରେ ଚାଲିବା ପାଇଁ ନିର୍ମିତ ହୋଇଥାଏ । ତେବେ ବିଶ୍ୱରେ ପ୍ରଥମ ଥର ପାଇଁ ଏଭଳି ଏକ ପ୍ରଯୁକ୍ତି ବିଦ୍ୟାର ବିକାଶ କରାଯାଇଥିବାରୁ ଏହାକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଜାରି ରହିଛି ।

ଆସନ୍ତା ୨୦୨୩ ପୂର୍ବରୁ ଏକ୍ସଟୁରିଜ୍ମୋକୁ ଲଞ୍ଚ କରାଯିବ ବୋଲି ଏରୱିନ୍ସ ଟେକ୍ନୋଲୋଜିସର ନିର୍ଦ୍ଦେଶକ ଶୁହେଈ କୋମାତସୁ ଆଶାବ୍ୟକ୍ତ କରିଛନ୍ତି । ତେବେ ବର୍ତ୍ତମାନ ଏକ୍ସଟୁରିଜ୍ମୋକୁ ୭୭୦,୦୦୦ ଆମେରିକୀୟ ଡଲାର ଅର୍ଥାତ ୬ କୋଟିରୁ ଅଧିକ ଟଙ୍କାରେ ବିକ୍ରି କରାଯାଉଛି । ଏହି ବାଇକର ଫ୍ୟୁଚରିଷ୍ଟିକ ଡିଜାଇନ ପାଇଁ ଗତ ଦୁଇବର୍ଷ ଧରି ଅନେକ ପ୍ରୟାସ ଚାଲିଥିଲା । ରାଇଡରକୁ ସୁରକ୍ଷିତ ରଖିବା ପାଇଁ ଏଥିରେ ଅନେକ ପ୍ରକାରର ସେନ୍ସର ଲଗାଯାଇଛି । ଏହା ସାଧାରଣ ବାଇକ୍ ପରି ଦେଖାଯାଉଥିଲେ ହେଁ ହେଲିକପ୍ଟର ପରି ଉଡ଼ାଣ ଭରିଥାଏ । ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିବା ପାଇଁ ଏଥିରେ ସ୍କିଡ ଲଗାଯାଇଛି । ଏକ୍ସଟୁରିଜ୍ମୋ କିଣିବା ପାଇଁ ଆପଣଙ୍କୁ ଏରୱିନ୍ସ ଟେକ୍ନୋଲୋଜିସର ଅଫିସିଆଲ ୱେବସାଇଟକୁ ଯାଇ ଅର୍ଡର ଦେବାକୁ ପଡ଼ିବ । ବର୍ତ୍ତମାନ ଏହା ରେଡ, ବ୍ଲୁ ଓ ବ୍ଲାକ କଲରରେ ଉପଲବ୍ଧ ରହିଛି ।

Get real time updates directly on you device, subscribe now.