ଜ୍ୟୋତିଷ, ଓକିଲ, ଫିଟନେଶ ଟ୍ରେନରଙ୍କଠୁ ଆରମ୍ଭ କରି ରେଷ୍ଟୁରାଣ୍ଟ ବୁକିଂ….. ସବୁ କାମର ଦାୟିତ୍ୱ ନେବେ ଏହି ଫୁଡ୍ ଡେଲିଭରି ଆପ୍
ନୂଆଦିଲ୍ଲୀ: ଅନଲାଇନ୍ ଫୁଡ୍ ଡେଲିଭରି କ୍ଷେତ୍ରରେ ଦୁଇ ବାଦଶାହା ହେଲେ ଜମାଟୋ ଓ ସ୍ୱିଗୀ । ନର୍ଥ ଇଣ୍ଡିଆନ୍, ସାଉଥ ଇଣ୍ଡିଆନ୍, କଣ୍ଟିନେଣ୍ଟାଲ, ପିଜା-ବର୍ଗର, କେକ୍, ମିଠା ଅବା ଆଇସକ୍ରିମ୍ ଏମିତି ଅନେକ ମନପସନ୍ଦର ଖାଦ୍ୟ ଘରେ ବସି ଗୋଟିଏ କ୍ଲିକରେ ଯୋଗାଇ ଦେଉଛନ୍ତି ଫୁଡ୍ ଡେଲିଭରି ଆପ୍ । ଚର୍ଚ୍ଚାର ବିଷୟ ହେଉଛି, ଏମାନଙ୍କ ସେବା ଏବେ ଆଉ ଖାଦ୍ୟରେ ସୀମିତ ରହିବ ନାହିଁ । ଅନ୍ୟସବୁ କାମରେ ମଧ୍ୟ ଏ ଆପ୍ ଏବେ ସାହାଯ୍ୟ କରିବ । କଷ୍ଟମରମାନଙ୍କ କାମ ଯେମିତି, ସେମାନଙ୍କୁ ଓକିଲର ଆବଶ୍ୟତା ପଡ଼ିଲେ, ଜ୍ୟୋତିଷ, ଡାଏଟିସିଆନ୍, ଥେରାପିଷ୍ଟ ଅବା ଫିଟନେସ ଟ୍ରେନର ଦରକାର ହେଲେ ତାଙ୍କୁ ସ୍ୱିଗୀ ଏସବୁ ସୁବିଧା ଯୋଗାଇବ ।
ନିକଟରେ ସ୍ୱିଗୀ ଶେୟାର ବଜାରରେ ମଧ୍ୟ ପ୍ରବେଶ କରିଛି । ଏହି କମ୍ପାନୀ ‘ରେୟର’ ନାମରେ ଆଉ ଏକ ସର୍ଭିସ୍ ଆରମ୍ଭ କରିବା ନେଇ ପ୍ରସ୍ତୁତି ଆରମ୍ଭ କରିସାରିଲାଣି । ଯାହା ଜରିଆରେ କଷ୍ଟମରଙ୍କ ପାଇଁ ରେଷ୍ଟୁରାଣ୍ଟ ବୁକିଂ, ଇଭେଣ୍ଟ ପାଇଁ ହୋଟେଲ କିମ୍ବା ହଲ୍ ବୁକ୍ ସହ ଅନ୍ୟ ସେବା ମଧ୍ୟ ଉପଲବ୍ଧ ରହିବ । ସେହିପରି ହ୍ୱାର୍ଟ୍ସଆପ୍ ଜରିଆରେ ଜମୋଟୋ ଫୁଡ୍ ଅର୍ଡରର ସୁବିଧା ଯୋଗାଇବା ନେଇ କହିଛି । ଏହା ବ୍ୟତୀତ ଟିକେଟିଂ ବିଜ୍ନେଶ କରିବା ନେଇ ଜୋମାଟୋ ପାଖାପାଖି ୨ ହଜାର କୋଟିରୁ ଅଧିକ ଶେୟାର କିଣିବା ନେଇ ମଧ୍ୟ ସ୍ପଷ୍ଟ କରିଛି ।
ଆରମ୍ଭରେ ସ୍ୱିଗୀ ଓ ଜମାଟୋର ବିଜନେଶ ମଡେଲ ବର୍ତ୍ତମାନ ବହୁତ ବଦଳିଯାଇଛି । ଫୁଡ୍ ଡେଲିଭରି ସାଙ୍ଗକୁ କମ୍ପାନୀ ନୂଆ ନୂଆ ଦାୟିତ୍ୱ ଏବେ କାନ୍ଧକୁ ନେବାରେ ଲାଗିଛି । ସ୍ୱିଗୀ ମେନ୍ ଆପ୍ ଜରିଆରେ ଇନଷ୍ଟାମାର୍ଟ, ସ୍ୱିଗୀ ଜେମି ଏବଂ ଡାଇନ୍ ଆଉଟ୍ ଭଳି ନୂଆ ପ୍ଲାଟଫର୍ମ ଖୋଲିଲାଣି, ଜୋମାଟୋ ସେମିତି ପ୍ରତ୍ୟେକ ସେବା ପାଇଁ ଅଲଗା ଅଲଗା ବ୍ରାଣ୍ଡ ପ୍ରସ୍ତୁତ କରିଛି ।
ବିଶେଷଜ୍ଞଙ୍କ ମତରେ ଲୋକମାନଙ୍କ ଆବଶ୍ୟକତାକୁ ଦେଖି ଜମାଟୋ ଓ ସ୍ୱିଗୀ ସେ ସବୁ ସୁବିଧା ଯୋଗାଇବା ପାଇଁ କଷ୍ଟମାଇଜଡ୍ ଆପ୍ ତିଆରି କରିବାରେ ଲାଗିଛନ୍ତି । ଫୁଡ୍ ଡେଲିଭରି ବିଜନେଶ ଉଭୟଙ୍କର ଖୁବ୍ ଭଲ ଚାଲିଛି । ଅନ୍ୟପଟେ ଦେଖିବାକୁ ଗଲେ ବହୁ ସଂଖ୍ୟାରେ ଲୋକ ମଧ୍ୟ ଏମାନଙ୍କ ଉପରେ ନିର୍ଭରଶୀଳ । ଯାହାର ଫାଇଦା ଉଠାଇବାକୁ ଯାଇ ଏହି ଦୁଇ କମ୍ପାନୀ ଏବେ ନୂଆ ତରିକା ଆପଣାଇବାକୁ ଯାଉଛନ୍ତି । ଅପରପକ୍ଷେ, ଗୁଗଲରେ ଖୁବ୍ କମ୍ ସଂଖ୍ୟକ ପ୍ରଫେଶନାଲିଷ୍ଟଙ୍କ ସେବା ଲୋକଙ୍କୁ ମିଳୁଛି । କିନ୍ତୁ ଏ କ୍ଷେତ୍ରରେ କୌଣସି ନିର୍ଦ୍ଦିଷ୍ଟ କମ୍ପାନୀ କିମ୍ବା ପ୍ଲାଟଫର୍ମ ନାହିଁ । ଅଧିକ ମାତ୍ରାରେ ଲାଭବାନ ହେବା ଉଦେ୍ଦଶ୍ୟ ରଖି ବର୍ତ୍ତମାନ ସେମାନେ ହାସଲ କରିଥିବା ମାତ୍ରାଧିକ କଷ୍ଟମରଙ୍କୁ ନିଜ ପ୍ରଫିଟ୍ ପାଇଁ ବ୍ୟବହାର କରିବାକୁ ଚାହୁଁଛନ୍ତି ।