fbpx

ପ୍ରକାଶ ପାଇଲା ଖାଦ୍ୟ ନିରାପତ୍ତା ସୂଚୀ, ଦେଶର ୧୦ ଟି ପ୍ରମୁଖ ରାଜ୍ୟରୁ କାହା ଖାଦ୍ୟ କେତେ ଭଲ ଜାଣିନେବା

Advertisement

ନୂଆଦିଲ୍ଲୀ:ଖାଦ୍ୟ ହିଁ ଆମ ସ୍ୱାସ୍ଥ୍ୟର ନିୟନ୍ତ୍ରକ ହୋଇଥାଏ । ଏହି କାରଣରୁ ପ୍ରତିବର୍ଷ ଖାଦ୍ୟ ନିରାପତ୍ତା ଯାଞ୍ଚ କରାଯାଇ ଫୁଡ୍ ସେଫ୍ଟି ଇଣ୍ଡେକ୍ସ ପ୍ରକାଶ କରାଯାଏ । ଚଳିତ ବର୍ଷ ପ୍ରକାଶ ପାଇଥିବା ଫୁଡ୍ ସେଫ୍ଟି ଇଣ୍ଡେକ୍ସରେ ଦକ୍ଷିଣ ଭାରତର ୨ ରାଜ୍ୟ ଶୀର୍ଷ ୧୦ ତାଲିକାରେ ନିଜ ସ୍ଥାନ ବନାଇ ନେଇଛନ୍ତି । କେରଳ ଏହି ତାଲିକାରେ ସବୁଠାରୁ ସୁରକ୍ଷିତ ହୋଇଥିବା ବେଳେ ତାମିଲନାଡୁ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ପଞ୍ଜାବ । କେରଳ ଓ ପଞ୍ଜାବ ଦୁଇ ରାଜ୍ୟ ଫୁଡ୍ ଇଣ୍ଡେକ୍ସରେ ଏଥର ବହୁ ଉପରକୁ ଉଠିଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ଗୁରୁବାର ଫୁଡ୍ ସେଫ୍ଟି ଇଣ୍ଡେକ୍ସ ପ୍ରକାଶ ପାଇଛି । ଏଥିରେ କେରଳ ଓ ପଞ୍ଜାବ ଯଥାକ୍ରମେ ୧ମ ଓ ୨ୟ ସ୍ଥାନ ବଜାୟ ରଖିଥିବା ବେଳେ ତାମିଲନାଡୁ ୩ୟ ସ୍ଥାନରେ ରହିଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗତ ବର୍ଷ ଫୁଡ୍ ସେଫ୍ଟି ଇଣ୍ଡେକ୍ସରେ କେରଳ ଷଷ୍ଠ ଓ ପଞ୍ଜାବ ଏକାଦଶ ସ୍ଥାନରେ ଥିଲା । ଚଳିତ ଥର ରାଜସ୍ଥାନ ବି ଏହି ମାମଲାରେ ନିଜ ସ୍ଥିତ ବେଶ୍ ସୁଧାରି ପାରିଛି ଓ ୧୦ମ ସ୍ଥାନରୁ ୮ମ ସ୍ଥାନକୁ ଆସିଛି । ଏହା ସହିତ ମଧ୍ୟପ୍ରଦେଶ ମଧ୍ୟ ୫ମ ସ୍ଥାନରୁ ଉପରକୁ ଉଠି ଏଥର ୪ର୍ଥ ସ୍ଥାନକୁ ଆସିଛି ।

ଫୁଡ୍ ସେଫ୍ଟି ଇଣ୍ଡେକ୍ସରେ ୮ ଗୋଟି ଛୋଟ ରାଜ୍ୟର କଥା ଦେଖିଲେ ଗୋଆ ଲଗାତର ୪ର୍ଥ ଥର ଲାଗି ଶୀର୍ଷରେ ରହିଛି । ଦ୍ୱିତୀୟ ଓ ତୃତୀୟ ସ୍ଥାନରେ କ୍ରମଶଃ ମଣିପୁର ଓ ସିକ୍କିମ ରହିଛି । କେନ୍ଦ୍ର ଶାସିତ ପ୍ରଦେଶ ମଧ୍ୟରେ ଜମ୍ମୁ କାଶ୍ମୀର ତୃତୀୟ ବର୍ଷ ବି ଶୀର୍ଷରେ ରହିଛି । ଦିଲ୍ଲୀ ଦି୍ୱତୀୟ ଓ ଚଣ୍ଡୀଗଡ ତୃତୀୟ ସ୍ଥାନରେ ରହିଛି । ଭିନ୍ନ ଭିନ୍ନ ପାରାମିଟର ମୂଲ୍ୟାଙ୍କନ ଆଧାରରେ ଏହି ଲିଷ୍ଟ ଜାରି ହୋଇଥାଏ । ତେବେ ଫୁଡ୍ ସେଫ୍ଟି ଇଣ୍ଡେକ୍ସରେ ବଡ ରାଜ୍ୟ ମଧ୍ୟରେ ଛତିଶଗଡ, ଆନ୍ଧ୍ର ପ୍ରଦେଶ, ଆସାମ, ବିହାର ଓ ଝାରଖଣ୍ଡର ପ୍ରଦର୍ଶନ ବହୁତ ଖରାପ ରହିଛି ।

ଏହି ଫୁଡ୍ ସେଫ୍ଟି ଇଣ୍ଡେକ୍ସରେ ଦେଶର ୨୬୦ ଜିଲ୍ଲାକୁ ବି ସାମିଲ କରାଯାଇଛି । ଏଥିରେ ଶୀର୍ଷ ୬ ଜିଲ୍ଲାରେ କୋଏମ୍ବାଟୁର, ଭୋପାଳ, ବାରଣାସୀ, ମାଲଦା, ଗ୍ୱାଲିୟର ଓ ଲକ୍ଷେ୍ନø ରହିଛି । ଖାଦ୍ୟ ଗୁୁଣବତ୍ତାରେ ସୁଧାର ଆଣିବା ଲାଗି ଏଫଏସଏସଏଆଇ ଆଗାମୀ ୩ ବର୍ଷରେ ୨୫ ଲକ୍ଷ ଫୁଡ୍ ବିଜନେସ୍ ଅପରେଟରଙ୍କୁ ତାଲିମ ପ୍ରଦାନ କରିବ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗତ ବର୍ଷ ଅର୍ଥାତ୍ ୨୦୨୨ରେ ଫୁଡ୍ ସେଫ୍ଟି ଆଣ୍ଡ ଡ୍ରଗ୍ସ କମିଶନରେଟ୍ ଗଠନ କରାଯାଇଛି ।

Get real time updates directly on you device, subscribe now.