fbpx

ତିନି ଦିନ ହେଲା ଆନ୍ଦୋଳନରେ ନର୍ସିଂ ସଂଘ, ରୋଗୀ ଭୋଗୁଛନ୍ତି ନାହିଁ ନ ଥିବା ଅସୁବିଧା

ଭୁବନେଶ୍ୱର: ନିଜ ଜିଦିରେ ଅଟଳ ରାଜ୍ୟର ନର୍ସିଂ କର୍ମଚାରୀ । ସରକାରଙ୍କ ଆଲୋଚନା ଡାକରା ସତ୍ତେ୍ୱ ଆନ୍ଦୋଳନରୁ ଓହରୁ ନାହାନ୍ତି କର୍ମଚାରୀ । ଫଳରେ ରାଜ୍ୟବ୍ୟାପୀ ସବୁ ହସ୍ପିଟାଲର ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ସେପଟେ ଏସମା ଲାଗୁ କରି କାର୍ଯ୍ୟାନୁଷ୍ଠାନ ନେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ନର୍ସିଂ ସଂଘ ପକ୍ଷରୁ ଦିଆଯାଇଛି ଚେତାବନୀ ।

ସରକାରଙ୍କ ବାରଣ ସତ୍ତେ୍ୱ ୨୫ରୁ ଆରମ୍ଭ ହୋଇଥିଲା ନର୍ସିଂ ସଂଘର ଆନ୍ଦୋଳନ । ଦୁଇ ଦିନ ଜରୁରୀକାଳୀନ ସେବା ସହ ଆନ୍ଦୋଳନକୁ ଓହ୍ଲାଇଥିଲେ ନର୍ସିଂ ଅଧିିକାରୀ । ସେମାନଙ୍କ ଦାବି ଥିଲା, ଏହି ଦୁଇ ଦିନ ଭିତରେ ସରକାର ସେମାନଙ୍କ ଦାବି ପୂରଣ କଲେ ଆନ୍ଦୋଳନ ପ୍ରତ୍ୟାହାର ହେବ । ଏମିତି ହୋଇ ନ ପାରିଲେ ଆନ୍ଦୋଳନ ତୀବ୍ର ହେବ ବୋଲି କହିଥିଲା ସଂଘ । ଆଜି ଆନ୍ଦୋଳନର ତୃତୀୟ ଦିନ, ଆଉ ଜରୁରୀକାଳୀନ ସେବା ମଧ୍ୟ ଯୋଗାଇବେ ନାହିଁ ସେବା ଯୋଗାଣକାରୀ କର୍ମଚାରୀ ।

ସେପଟେ କିନ୍ତୁ ସେବାଯୋଗାଣକାରୀଙ୍କ ପୂର୍ଣ୍ଣ ଆନ୍ଦୋଳନ ପାଇଁ ସବୁ ହସ୍ପିଟାଲରେ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତର ସିନା ଆସି ରାଉଣ୍ଡମାରି ଚାଲିଯିବେ, କିନ୍ତୁ ସେମାନଙ୍କ ସୁବିଧା, ଅସୁବିଧା ବୁଝିବା, ଔଷଧ, ଇଞ୍ଜେକ୍ସନ, ସାଲାଇନ ଆଦି ଦେବା ପରି ସବୁ କାମ ବନ୍ଦ ହୋଇଛି । ହସ୍ପିଟାଲରେ ଥିବା ରୋଗୀ ଓ ନୂଆ ଆସୁଥିବା ରୋଗୀଙ୍କ ଅବସ୍ଥା କହିଲେ ନ ସରେ । ଯାହାକୁ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଲାଣି ।

ନର୍ସିଂ ଷ୍ଠାଫଙ୍କ ୧୦ ଦଫା ଦାବି ଭିତରେ ରହିଛି, ସେମାନଙ୍କ ଦରମା ବୃଦ୍ଧି, ଆଉଟ ସୋର୍ସିଂ ଉଚ୍ଛେଦ, ପଦୋନ୍ନତି ପାଇଁ ସ୍ଥିରିକୃତ ସମୟ କୋହଳ, ଉପାନ୍ତ ଇଲାକାରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରୋତ୍ସାହାନ ରାଶି ପ୍ରଦାନ, ସରକାରୀ ଛୁଟି ବ୍ୟତୀତ ଅନ୍ୟ ଦିନରେ ଛୁଟି ଦେବା ପରି ୧୦ଟି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ରାଜ୍ୟର ସବୁ ସରକାରୀ ହସ୍ପିଟାଲର ନର୍ସିଂ ଷ୍ଟାଫ ।

Get real time updates directly on you device, subscribe now.