fbpx

ଖୁବଶୀଘ୍ର ଧରାପଡ଼ିବ ଅଜଣା ଜନ୍ତୁ! ଅନେକ ମେଣ୍ଢାଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ, ବନ ବିଭାଗ ଲଗାଇଲା ଟ୍ରାପ୍ କ୍ୟାମେରା ଓ ଯନ୍ତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବେଳେବେଳେ ଆମ ଚାରିପାଖରେ କିଛି ଅଜଣା ଜନ୍ତୁ ଦେଖିବାକୁ ମିଳିଥାନ୍ତି । ଏହି ଜନ୍ତୁମାନେ ଜଙ୍ଗଲରୁ ବା ଅନ୍ୟ କେଉଁ ସ୍ଥାନରୁ ଜନବସତି ଅଞ୍ଚଳ ଆଡ଼କୁ ଚାଲିଆସି ଅନେକ ଗୃହପାଳିତ ପଶୁ, ପକ୍ଷୀଙ୍କୁ ଆକ୍ରମଣ କରି ମାରିଦେଇଥାନ୍ତି । ତେବେ ନିକଟରେ ଏଭଳି ମାମଲା ଦେଖିବାକୁ ମିଳିଥିଲା କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକର ଗୁଣାଦୋଳା ଗାଁରେ । ଏହାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକ ଅଜଣା ଆତଙ୍କ ଖେଳି ଯାଇଥିଲା ।

ଗତ ୧୩ ତାରିଖରେ ଜଣେ ବ୍ୟକ୍ତିଙ୍କ ଗୁହାଳ ଭିତରେ ଏହି ଅଜଣା ଜନ୍ତୁ ୧୦ଟି ମେଣ୍ଢାଙ୍କୁ ମାରି ଦେଇଥିଲା । ସକାଳୁ ମେଣ୍ଢାଗୁଡ଼ିକର ରକ୍ତାକ୍ତ ମୃତଦେହଗୁଡ଼ିକ ଗୁହାଳ ମଧ୍ୟରେ ପଡ଼ି ରହିଥିଲା । ସେହିପରି ଏହି ଘଟଣା ଘଟିବାର ୪ ଦିନ ପୂର୍ବରୁ ମଧ୍ୟ ଗୁଣାଦୋଳା ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କର ୧୬ଟି ମେଣ୍ଢାଙ୍କୁ ଶିକାର କରିଥିଲା ଉକ୍ତ ଅଜଣା ଜନ୍ତୁ । ସେହିପରି ଗତବର୍ଷ ଅଗଷ୍ଟ ମାସରେ ଅଜଣା ଜନ୍ତୁର ପାଦଚିହ୍ନକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଦୁଇବର୍ଷ ତଳେ ନିଆଳି ବ୍ଲକ ଅଧିନ ବିଭିନ୍ନ ଗ୍ରାମରେ ଅଜଣା ଜନ୍ତୁ ଶତାଧିକ ମେଣ୍ଢାଙ୍କ ମୃତ୍ୟୁର କାରଣ ସାଜିଥିଲା ।

ତେବେ ସୂଚନା ମୁତାବକ, ପୁଣି ନିଆଳିରେ ଦେଖିବାକୁ ମିଳିଛି ଅଜଣା ଜନ୍ତୁର ଆତଙ୍କ । କଣ୍ଟାପଡ଼ାର ନାହାକପୁର ପଞ୍ଚାୟତର ଗୁଣାଦୋଳ ଗ୍ରାମର ଜଣେ ବ୍ୟକ୍ତିଙ୍କର ୩ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଛି । ଅଜଣା ଜନ୍ତୁ ଏହି କାଣ୍ଡ ଘଟାଇ କୁଆଡ଼େ ଚାଲିଯାଉଛି ତା’ର ଖୋଜ ଖବର କେହି ପାଇ ପାରୁ ନାହାନ୍ତି । ତେଣୁ ଅଜଣା ଜନ୍ତୁର ସନ୍ଧାନ ପାଇଁ ବନ ବିଭାଗ ପକ୍ଷରୁ ଟ୍ରାପ କ୍ୟାମେରା ଓ ଯନ୍ତା ବସାଯାଇଛି ।

Get real time updates directly on you device, subscribe now.