Smart Watches ପିନ୍ଧୁଥିଲେ ହୋଇଯାଆନ୍ତୁ ସାବଧାନ! ନଚେତ୍ ହୋଇପାରେ ଏହି ମାରାତ୍ମକ ରୋଗ

ନୂଆଦିଲ୍ଲୀ: ପ୍ରାୟ ବର୍ଷକ ପୂର୍ବେ ଏକ ଗବେଷଣାରୁ ଜଣାପଡିଛି ଯେ ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡର ଷ୍ଟ୍ରାପ୍ ବିଭିନ୍ନ କ୍ଷତିକାରକ ଜୀବାଣୁ ଦ୍ୱାରା ସଂକ୍ରମିତ । ଏବେ ଏକ ନୂତନ ଗବେଷଣାରୁ ଜଣାପଡ଼ିଛି ଯେ ସ୍ମାର୍ଟୱାଚ୍ ସହିତ ଆସୁଥିବା ଷ୍ଟ୍ରାପ୍‌ରେ କ୍ଷତିକାରକ PFHxA ଏସିଡ୍ ରହିଛି, ଯାହା କର୍କଟ ରୋଗର କାରଣ ହୋଇପାରେ ।

ଏହି ଗବେଷଣାରେ, ଗୁଗୁଲ୍, ସାମସଙ୍ଗ, ଆପଲ୍ ଏବଂ ଫିଟବିଟ୍ ଭଳି ଅନେକ ବଡ଼ କମ୍ପାନୀର ସ୍ମାର୍ଟୱାଚ୍ ପରୀକ୍ଷା କରାଯାଇଥିଲା । ବର୍ତ୍ତମାନ ଏନେଇ ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି ।

ଅନେକ କମ୍ପାନୀ ସେମାନଙ୍କର ସ୍ମାର୍ଟୱାଚ୍‌ର ଷ୍ଟ୍ରାପ୍‌ରେ ଫ୍ଲୋରୋଏଲାଷ୍ଟୋମର୍, ଏକ ପ୍ରକାରର ସିନ୍ଥେଟିକ୍ ରବର ବ୍ୟବହାର କରନ୍ତି । ଏହି ରବରରେ PFHxA ର ଉଚ୍ଚ ସ୍ତରକୁ ନେଇ ଗବେଷକମାନେ ଚିନ୍ତା ପ୍ରକାଶ କରିଛନ୍ତି । ଏବେ ଲୋକମାନେ ରାତିରେ ମଧ୍ୟ ସ୍ମାର୍ଟୱାଚ୍ ପିନ୍ଧି ଶୋଇବା ସମୟରେ ନିଦର ଗୁଣବତ୍ତା ନିରୀକ୍ଷଣ କରନ୍ତି ଏବଂ ସ୍ଲିପ୍ ଆପ୍ନିଆ ଇତ୍ୟାଦି ଉପରେ ନଜର ରଖିଛନ୍ତି ।

ଏ ବିଷୟରେ ଗବେଷକମାନେ କହିଛନ୍ତି ଯେ ଯଦି ଏହି PFHxA ପ୍ରତିଦିନ 12 ଘଣ୍ଟାରୁ ଅଧିକ ସମୟ ପାଇଁ ମଣିଷ ଚର୍ମ ସହିତ ସଂସ୍ପର୍ଶରେ ରହେ, ତେବେ ଏହା ବିପଦଜନକ ହୋଇପାରେ।

ପ୍ରମୁଖ କମ୍ପାନୀଗୁଡ଼ିକର ସ୍ମାର୍ଟୱାଚ ଷ୍ଟ୍ରାପରେ PFHxA ର ଉଚ୍ଚ ସ୍ତର ମିଳିଲା। ଗବେଷଣାରେ ଅନ୍ତର୍ଭୁକ୍ତ ଷ୍ଟ୍ରିପ୍ସରେ ମିଳୁଥିବା ହାରାହାରି ପରିମାଣ ଥିଲା 800 ପାର୍ଟସ୍ ପର୍ ବିଲିୟନ (ppb), ଯାହା ପ୍ରସାଧନ ସାମଗ୍ରୀରେ ମିଳୁଥିବା ହାରାହାରି ପରିମାଣ ଅପେକ୍ଷା ଚାରି ଗୁଣ ଅଧିକ। ଗୋଟିଏ କ୍ଷେତ୍ରରେ ଏହା 16,000 ppb ଥିବା ଜଣାପଡିଥିଲା। ଏହାକୁ ନେଇ ବର୍ତ୍ତମାନ ଚିନ୍ତା ବଦ୍ଧି ପାଇଛି ।