fbpx

ପୂର୍ବତନ କ୍ରିକେଟର ରମେଶ ପାୱାର ଭାରତୀୟ ମହିଳା କ୍ରିକେଟ୍ ଦଳର କୋଚ ନିଯୁକ୍ତ

ନୂଆ ଦିଲ୍ଲୀ,୧୩/୦୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରମେଶ ପାୱାରଙ୍କୁ ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରମୁଖ କୋଚ ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି । ଏହି ପଦବୀ ପାଇଁ ବିସିସିଆଇ ୩୫ ରୁ ଅଧିକ ଆବେଦନ ଗ୍ରହଣ କରିଥିଲା। ତିନି ସଦସ୍ୟ ବିଶିଷ୍ଟ କ୍ରିକେଟ୍ ପରାମର୍ଶଦାତା କମିଟିରେ ସୁଲକ୍ଷଣା ନାୟକ, ମଦନ ଲାଲ ଏବଂ ରୁଦ୍ର ପ୍ରତାପ ସିଂ ଆବେଦନକାରୀଙ୍କ ସାକ୍ଷାତକାର କରିଥିଲେ । ଶେଷରେ ସର୍ବସମ୍ମତିକ୍ରମେ ପାୱାରଙ୍କୁ ଏହି ପଦବୀରେ ନିଯୁକ୍ତ କରିବା ପାଇଁ ସହମତି ହୋଇଥିଲେ ।
ଭାରତ ପାଇଁ ଦୁଇଟି ଟେଷ୍ଟ ଏବଂ ୩୧ ଟି-୨୦ ଖେଳିଥିବା ପାୱାର ଏହାପୂର୍ବରୁ ଜୁଲାଇ ୨୦୧୮ ରୁ ନଭେମ୍ବର ୨୦୧୮ ପର୍ଯ୍ୟନ୍ତ ମହିଳା କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ । ତାଙ୍କ ଅଧୀନରେ ଭାରତୀୟ ଦଳ ୨୦୧୮ ରେ ଆଇସିସି ମହିଳା ଟି-୨୦ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଥିଲା ଏବଂ କ୍ରମାଗତ ୧୪ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ମଧ୍ୟ ଜିତିଥିଲା।
ପାୱାର ନିକଟରେ ବିଜୟ ହଜାରେ ଟ୍ରଫି ଜିତିଥିବା ମୁମ୍ବାଇର ସିନିୟର ଟିମକୁ କୋଚିଙ୍ଗ ଦେଇଥିଲେ ଏବଂ ସେ ଜାତୀୟ କ୍ରିକେଟ୍ ଏକାଡେମୀରେ ବୋଲିଂ ପ୍ରଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।
ଭାରତୀୟ ମହିଳା କ୍ରିକେଟ୍ ଦଳର ଜାତୀୟ ପ୍ରଶିକ୍ଷକ ଭାବରେ ରମେଶ ପାୱାରଙ୍କୁ ନିଯୁକ୍ତି ପାଇଁ କ୍ରିକେଟ୍ ପରାମର୍ଶଦାତା କମିଟି (ସିଏସି) ପୁନର୍ବାର ସୁପାରିଶ କରିଛି । ପୂର୍ବତନ ଭାରତୀୟ ଖେଳାଳି ମଦନ ଲାଲଙ୍କ ନେତୃତ୍ୱରେ ସିଏସି ଏହି ପଦ ପାଇଁ ଉପସ୍ଥିତ ଥିବା କୋଚ୍ ଡବ୍ଲୁ.ଭି ରମଣଙ୍କ ବ୍ୟତୀତ ଆଠ ଜଣ ପ୍ରାର୍ଥୀଙ୍କ ସାକ୍ଷାତକାର ନେବା ପରେ ପାୱାରଙ୍କ ନାମ ସୁପାରିଶ କରିଥିଲେ ।

Get real time updates directly on you device, subscribe now.