fbpx

ଭାରତୀୟ ଅଣ୍ଡର-୧୯ର ପୂର୍ବତନ ଅଧିନାୟକଙ୍କ ପରଲୋକ, ଏହି ବର୍ଷ ଟି-୨୦ରେ ମାରିଥିଲେ ଶତକ

ନୂଆଦିଲ୍ଲୀ : ଭାରତୀୟ ଅଣ୍ଡର-୧୯ର ପୂର୍ବତନ ଅଧିନାୟକ ଅଭି ବରୋଟଙ୍କ ହୃଦଘାତ କାରଣରୁ ପରଲୋକ ଘଟିଛି । ୨୯ ବର୍ଷୀୟ ଅଭି ସୌରାଷ୍ଟ୍ର ତରଫରୁ ପ୍ରତିନିଧିତ୍ୱ କରୁଥିଲେ । ତାଙ୍କ ଦେହାନ୍ତର ସୂଚନା ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ପକ୍ଷରୁ ଶନିବାର ଦିଆଯାଇଛି । ଚଳିତ ବର୍ଷ ସୈୟଦ ମୁସ୍ତାକ ଅଲୀ ଟ୍ରଫିରେ ରଭି ଦମଦାର ଶତକ ଅର୍ଜନ କରିଥିଲେ । ଏହା ବ୍ୟତୀତ ଅଭି ବରୋଟ ୨୦୧୯-୨୦ରେ ରଣଜୀ ଟ୍ରଫି ଜିତିଥିବା ସୌରାଷ୍ଟ୍ରର ବିଜେତା ଦଳର ସଦସ୍ୟ ମଧ୍ୟ ଥିଲେ ।

ଅଭି ବରୋଟ ଡାହାଣହାତୀ ୱିକେଟ୍ କିପର ବ୍ୟାଟସମ୍ୟାନ ଥିଲେ । ବେଳେ ବେଳେ ସେ ଅଫ ସ୍ପିନ ବୋଲିଂ ମଧ୍ୟ କରୁଥିଲେ । ସେ ନିଜ କ୍ୟାରିୟରରେ ୩୮ ପ୍ରଥମ ଶ୍ରେଣୀ ମ୍ୟାଚ୍, ୩୮ ଲିଷ୍ଟ ଏ ମ୍ୟାଚ୍ ଏବଂ ୨୦ ଘରୋଇ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ବରୋଟ ନିଜର ପ୍ରଥମ ଶ୍ରେଣୀ ମ୍ୟାଚରେ ଗୋଟିଏ ଶତକ ଏବଂ ନଅ ଅର୍ଦ୍ଧଶତକ ସହ ୧୫୪୭ ରନ କରିଥିଲେ । ଲିଷ୍ଟ ଏ ମ୍ୟାଚରେ ୮ ଅର୍ଦ୍ଧଶତକ ସହ ୧୦୩୦ ରନ କରିଥିଲେ । ବରୋଟ ଟି-୨୦ କ୍ରିକେଟରେ ଜଣେ ବିସ୍ଫୋରକ ବ୍ୟାଟସମ୍ୟାନ ଥିଲେ । ସେ ଘରୋଇ ଟି-୨୦ କ୍ରିକେଟରେ ଏକ ଶତକ ଏବଂ ପାଞ୍ଚ ଅର୍ଦ୍ଧଶତକ ସହ ୭୧୭ ରନ କରିଥିଲେ । ଟି-୨୦ରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୪୬ ରହିଥିବା ବେଳେ ବ୍ୟାଟିଂହାର ୩୮ ରହିଥିଲା ।

ସୌରାଷ୍ଟ୍ର ୨୦୧୯-୨୦ ସିଜିନରେ ପଶ୍ଚିମବଙ୍ଗକୁ ହରାଇ ରଣଜୀ ଟ୍ରଫି ଟାଇଟଲ୍ ଜିତିଥିଲା । ଏହି ସମୟରେ ରଭି ବିଜେତା ଦଳର ସଦସ୍ୟ ଥିଲେ । ଏହା ବ୍ୟତୀତ ସେ ଦୁଇ ଥର ରଣଜୀ ଟ୍ରଫି ଫାଇନାଲ ମଧ୍ୟ ଖେଳିଛନ୍ତି । ଗୁଜରାଟ ତରଫରୁ ୨୦୧୦-୧୧ରେ କୁଚ ବିହାର ଟ୍ରଫିରେ ଚାରି ଶତକ ଏବଂ ତିନି ଅର୍ଦ୍ଧଶତକ ମାରିଥିବା ବରୋଟଙ୍କୁ ବିସିସିଆଇ ଅଣ୍ଡର ୧୯ କ୍ରିକେଟର ଅଫ ଦ ଇୟର ଆୱାର୍ଡ ପ୍ରଦାନ କରିଥିଲା । ୨୦୨୦-୨୧ ସିଜିନରେ ବରୋଟ ବିଜୟ ହଜାରେ ଏବଂ ସୈୟଦ ମୁସ୍ତାକ ଅଲୀ ଟ୍ରଫିରେ ସୌରାଷ୍ଟ୍ର ପକ୍ଷରୁ ଖେଳିଥିଲେ । ଗୋଆ ବିପକ୍ଷରେ ସେ ଏକ ମାତ୍ର ଶତକ ଅର୍ଜନ କରିଥିଲେ । ଏହି ମ୍ୟାଚରେ ସେ ମାତ୍ର ୫୩ ବଲରୁ ୧୨୨ ରନ କରିଥିଲେ । ଏଥିରେ ୧୧ ଚୌକା ଓ ୭ ଛକା ସାମିଲ୍ ଥିଲା ।

Get real time updates directly on you device, subscribe now.