fbpx

ପୂର୍ବତନ ପାକିସ୍ତାନୀ କ୍ରିକେଟର ଲତିଫଙ୍କୁ ୧୨ ବର୍ଷ ଜେଲଦଣ୍ଡ: କୋର୍ଟଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ବଡ଼ ଖବର । ପାକିସ୍ତାନର ଜଣେ ପୂର୍ବତନ କ୍ରିକେଟରଙ୍କୁ ଜେଲଦଣ୍ଡାଦେଶ ହୋଇଛି । ଅନ୍ତର୍ଜାତୀୟ କ୍ରିକେଟରେ ଏହି କ୍ରିକେଟର ଜଣଙ୍କ ଦିନିକିଆ ଓ ଟି-୨୦ ମ୍ୟାଚ ଖେଳିଥିଲେ । ଜଣେ ନେତାଙ୍କୁ ହତ୍ୟା କରିବା ପାଇଁ ଲୋକଙ୍କୁ ଉସୁକାଇବା ନେଇ ତାଙ୍କ ବିରୋଧରେ ମାମଲା ଚାଲିଥିଲା । ଶେଷରେ କୋର୍ଟ ତାଙ୍କୁ ୧୨ ବର୍ଷର ଜେଲଦଣ୍ଡ ଶୁଣାଣି କରିଛନ୍ତି ।

ସୂଚନା ମୁତାବକ, ପାକିସ୍ତାନର ପୂର୍ବତନ କ୍ରିକେଟର ଖାଲିଦ ଲତିଫଙ୍କୁ ଡଚ କୋର୍ଟ ୧୨ ବର୍ଷର ଜେଲଦଣ୍ଡାଦେଶ ଶୁଣାଣି କରିଛନ୍ତି । ୟୁରୋପର ଜଣେ ପ୍ରଭାବଶାଳୀ ନେତା ୬୦ ବର୍ଷୀୟ ଗୀର୍ଟ ୱାଇଲ୍ଡର୍ସଙ୍କୁ ହତ୍ୟା କରିବା ପାଇଁ ଲୋକଙ୍କୁ ଉସୁକାଇଥିବା ନେଇ ଲତିଙ୍କ ନାମରେ ମାମଲା ଚାଲିଥିଲା । ତେବେ ସେ ପାକିସ୍ତାନରେ ରହୁଥିବାରୁ କୋର୍ଟର ଶୁଣାଣି ସମୟରେ ସେ ଉପସ୍ଥିତ ନଥିଲେ ।

୨୦୧୮ ମସିହାରେ ଲତିଫ ଏକ ଭିଡିଓ ପୋଷ୍ଟ କରିଥିଲେ । ସେ ୱାଇଲ୍ଡର୍ସଙ୍କୁ ହତ୍ୟା ପାଇଁ ୨୩ ୟୁରୋ ଅଫର କରିଥିଲେ । ଉକ୍ତ ଭିଡିଓକୁ ନେଇ ପାକିସ୍ତାନରେ ୱାଇଲ୍ଡର୍ସଙ୍କ ବିରୋଧରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା । ମୁସଲିମ ସମ୍ପ୍ରଦାୟର ପୈଗମ୍ବର ମହମ୍ମଦଙ୍କ ବ୍ୟଙ୍ଗ ଚିତ୍ରକୁ ନେଇ ଏକ କାର୍ଟୁନ ପ୍ରତିଯୋଗିତା କରିବାକୁ ୱାଇଲ୍ଡର୍ସ ଘୋଷଣା କରିଥିଲେ । ମାତ୍ର ବିବାଦ ସୃଷ୍ଟି ହେବାରୁ ତାହାକୁ ରଦ୍ଦ କରିଦିଆଯାଇଥିଲା । ଲତିଫ ପାକିସ୍ତାନ ପାଇଁ ୫ଟି ଦିନିକିଆ ଓ ୧୩ଟି ଟି-୨୦ ମ୍ୟାଚ ଖେଳିବା ସହ ଶେଷ ଥର ପାଇଁ ସେ ୨୦୧୬ରେ ଦେଶ ପାଇଁ ଖେଳିଥିଲେ ।

Get real time updates directly on you device, subscribe now.