fbpx

ପ୍ରକୃତି ସାଜିଲା ବଇରୀ: ଜଳ ନେଲା ୨ ଭାଇଙ୍କ ଜୀବନ, ବଜ୍ରପାତ ନେଲା ଆଉ ୨ ଭାଇଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ଜୀବନରେ କେତେବେଳେ ଦୁର୍ଘଟଣା ଘଟିବ ତାହା ଆମ ହାତରେ ନଥାଏ । ଅନେକ ସମୟରେ ମଣିଷ ଅଚାନକ କିଛି ଦୁର୍ଘଟଣାର ବଶବର୍ତ୍ତୀ ହୋଇ ଆହତ ହେଉଥିବା ବେଳେ ଅନେକ ସମୟରେ ମୃତ୍ୟୁବରଣ କରିଥାଏ । ତେବେ ଆଜି ରାଜ୍ୟରେ ଦୁଇଟି ବଡ଼ ଘଟଣା ଦେଖିବାକୁ ମିଳିଛି । ଜଳ ଓ ବିଜୁଳି କାରଣରୁ ଆଜି ଚାରିଟି ନିରୀହ ଜୀବନ ଅକାଳରେ ଝରିପଡ଼ିଛି ।

ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲାରେ ପୋଖରୀରେ ବୁଡ଼ି ଦୁଇଜଣ ନାବାଳକଙ୍କ ମୃତ୍ୟୁ ଘଟିଛି । ଜିଲ୍ଲାର ବୁଗୁଡ଼ା ଥାନା ଅନ୍ତର୍ଗତ ଖୋଳଖଳି ଗ୍ରାମରେ ଥିବା ଏକ ପୋଖରୀ ନିକଟରେ ଖେଳୁଥିବା ବେଳେ ଏହି ଅଘଟଣ ଘଟିଥିଲା । ମୃତ ଦୁଇ ଭାଇଙ୍କ ମଧ୍ୟରୁ ଜଣଙ୍କର ବୟସ ୧୨ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବୟସ ୬ ବର୍ଷ । ଅପରାହ୍ଣରେ ଦୁଇ ଭାଇ ପୋଖରୀ ନିକଟରେ ହସଖୁସିରେ ଖେଳୁଥିଲେ । ଦୁଇ ଭାଇଙ୍କର ଅଚାନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାୟା ଖେଳି ଯାଇଛି ।

ସେହିପରି ରାଜ୍ୟରେ ଆଉ ଏକ ଅଘଟଣ ଘଟି ଦୁଇ ଭାଇଙ୍କ ଜୀବନର ଦୀପ ଲିଭି ଯାଇଛି । କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକରେ ବଜ୍ରାଘାତରେ ଦୁଇଜଣ ସମ୍ପର୍କୀୟ ଭାଇଙ୍କର ମୃତ୍ୟୁ ଘଟିଛି । ତରଭୁଜ କ୍ଷେତକୁ କାମ କରିବାକୁ ଯାଇଥିବା ବେଳେ ଅଚାନକ ବଜ୍ରପାତ ମାଡ଼ି ଆସିଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଥିଲା । ବ୍ଲକର କଲମପୁର ଥାନା ଅନ୍ତର୍ଗତ ମାଲିଖାଲ ଗ୍ରାମରେ ଏହି ବଜ୍ରପାତ ମାରିଥିଲା ।

ତେବେ ଆଜି ରାଜ୍ୟରେ ଦୁଇଟି ବଡ଼ ଅଘଟଣ ଘଟି ୪ଟି ନିରୀହ ଜୀବନ ଲିଭିଯାଇଛି । ପ୍ରକୃତି ସତେ ଯେମିତି ଏମାନଙ୍କୁ ମୃତ୍ୟୁ ରୂପରେ ଆସି ନେଇଯାଇଥିଲା । ଜଳ ଆଉ ବିଜୁଳି ଆଜି ସତେ ଯେମିତି ନିଜର ପ୍ରକୋପ ଦେଖାଇଥିଲେ । ପ୍ରକୃତିର ପ୍ରକୋପ ଆଗରେ ମଣିଷ ଅତି ନଗଣ୍ୟ । ତେଣୁ ଅକାଳରେ ୪ଟି ଜୀବନକୁ କେହି ବଞ୍ଚାଇ ପାରିପାରି ନଥିଲେ ।

Get real time updates directly on you device, subscribe now.