fbpx

ମାଗଣା ସିଭିଲ ସର୍ଭିସ କୋଚିଂ: ଖାଲି ପଡ଼ିଲା ସିଟ୍, ୯୭ ମନୋନୀତ ପ୍ରାର୍ଥୀ ଆସିଲେନି କାହିଁକି?

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶାର ପିଲାଙ୍କ ସଫଳତା ହାର କମୁଥିବାରୁ ରାଜ୍ୟ ସରକାର ଏଥିପାଇଁ ଏକ ମାଗଣା ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରବେଶିକା ପରୀକ୍ଷା ମାଧ୍ୟମରେ ୨୦୦ ଜଣ ମେଧାବୀଙ୍କୁ ଚୟନ କରି ସେମାନଙ୍କୁ ମାଗଣାରେ ପ୍ରଶାସନିକ ସେବା ପରୀକ୍ଷା ପାଇଁ କୋଚିଂ ଦେବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିନବ ବ୍ୟବସ୍ଥା କରାଯାଇଥିଲା । ତେବେ ଏ କ୍ଷେତ୍ରରେ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଏହି ମାଗଣା କୋଚିଂ ପାଇଁ ପାଖାପାଖି ଅଧା ସିଟ୍ ଖାଲି ପଡ଼ିଛି । ୧୦୩ ଜଣ ପ୍ରାର୍ଥୀ ପ୍ରଶିକ୍ଷଣ କେନ୍ଦ୍ରରେ ଯୋଗଦେଇଥିବା ବେଳେ ୯୭ ଜଣ ଅନୁପସ୍ଥିତ ରହିଛନ୍ତି । ଏହି ପ୍ରାର୍ଥୀଙ୍କୁ ଏକାଧିକ ବାର ନୋଟିସ ଦିଆଯାଇଥିଲେ ମଧ୍ୟ ସେମାନେ ଆସୁନଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ତେଣୁ ରାଜ୍ୟ ସିଲେକ୍ସନ ବୋର୍ଡ (ଏସଏସବି)କୁ ପୁଣି ଥରେ ମେଧା ତାଲିକା ମାଗିଛି ଉଚ୍ଚଶିକ୍ଷା ବିଭାଗ । ତେବେ ପାଖାପାଖି ୫୦ ପ୍ରତିଶତ ଛାତ୍ରଛାତ୍ରୀ ଏହି କୋଚିଂ ଯୋଜନାକୁ ପ୍ରତ୍ୟାଖାନ କରିଥିବାରୁ ଏନେଇ ଉଠିଛି ବଡ଼ ପ୍ରଶ୍ନ । କ’ଣ ପାଇଁ ପ୍ରାର୍ଥୀମାନେ ମାଗଣା କୋଚିଂ ପ୍ରତି ମନ ବଳାଉନାହାନ୍ତି । ତେବେ ଏକ ନୂଆ ସଂସ୍ଥାକୁ ଉଚ୍ଚଶିକ୍ଷା ବିଭାଗ ପ୍ରଶିକ୍ଷଣ ଦାୟିତ୍ୱ ଦେବାକୁ ନେଇ ଛାତ୍ରଛାତ୍ରୀମାନେ ନାପସନ୍ଦ କରୁଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ମାଗଣା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୨୦୦ ମେଧାବୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଗତ ୧୦ ତାରିଖ ଟ୍ରେନିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ପ୍ରଶିକ୍ଷଣ ଯୋଜନାର ଶୁଭାରମ୍ଭ କରିଥିଲେ । ୯ ତାରିଖରେ ପ୍ରାର୍ଥୀମାନେ ନିଜ ନିଜର ଡକ୍ୟୁମେଣ୍ଟ ନେଇ ସେଞ୍ଚୁରିଆନ ୟୁନିଭରସିଟିରେ ଯୋଗଦେଇଥିଲେ । ମାଗଣା କୋଚିଂ ପାଇଁ ୧୦୦ ଜଣ ସାଧାରଣ ବର୍ଗ, ୩୨ ଜଣ ଅନୁସୂଚିତ ଜାତି (ଏସସି), ୪୫ ଜଣ ଅନୁସୂଚିତ ଜନଜାତି (ଏସଟି) ଏବଂ ୨୩ ଜଣ ସାମାଜିକ ଓ ଶୈକ୍ଷିକ କ୍ଷେତ୍ରରେ ପଛୁଆ ଜାତି (ଏସଇବିସି) ପ୍ରାର୍ଥୀ ସିଲେକ୍ଟ ହୋଇଥିଲେ । ଗତ ମାର୍ଚ୍ଚ ମାସ ୨୬ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ରାଜ୍ୟର ୫ଟି ସହରରେ ପ୍ରାର୍ଥୀମାନେ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାରେ ୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୦ ଜଣ ମେଧାବୀଙ୍କୁ ଚୟନ କରାଯାଇଥିଲା ।

Get real time updates directly on you device, subscribe now.