fbpx

ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ, ପାଣି ନ ବାହାରିଲେ ବୋରୱେଲକୁ ପୋତି ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ସମସ୍ତଙ୍କ ମୁହଁରେ ଗୋଟିଏ ଶବ୍ଦ ‘ରାହୁଲ’ । ଦୀର୍ଘ ୧୦୫ ଘଣ୍ଟାର ସଂଘର୍ଷମୟ ଅପରେସନ ପରେ ଉଦ୍ଧାର ହୋଇଥିଲା ଛତିଶଗଡ଼ର ୧୦ ବର୍ଷର ବାଳକ ରାହୁଲ । ମଙ୍ଗଳବାର ରାତି ପାଖାପାଖି ୧୨ଟା ସମୟରେ ନୂଆ ଜୀବନ ପାଇଥିଲା ରାହୁଲ । ଛତିଶଗଡ଼ ଜିଲ୍ଲା ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅଧିନ ପିହରିଡ ଗ୍ରାମର ରାହୁଲକୁ ଉଦ୍ଧାର ପାଇଁ ଶତାଧିକ ଉଦ୍ଧାରକାରୀ ଟିମ୍ ନିୟୋଜିତ ହୋଇଥିବା ବେଳେ କୋଟି କୋଟି ଜନତା ପ୍ରାର୍ଥନା କରିଥିଲେ ।

ତେବେ ଏବେ ରାହୁଲ ବିଳାସପୁରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ରାହୁଲକୁ ସହାୟତାର ହାତ ବଢ଼ାଇଛନ୍ତି । ମୁଖ୍ୟମନ୍ତ୍ରୀ ମେଡିକାଲ ଯାଇ ଚିକିତ୍ସାଧୀନ ରାହୁଲର ଭଲମନ୍ଦ ପଚାରି ବୁଝିଛନ୍ତି । ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସମସ୍ତ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ରାହୁଲର ମନରେ ଭୟ ନଥିବାରୁ ସେ ଦୀର୍ଘ ୧୦୫ ଘଣ୍ଟା ଧରି ବୋରୱେଲ ମଧ୍ୟରେ ରହିପାରିଥିଲା । ଭବିଷ୍ୟତରେ ଯେପରି ଏପରି ଘଟଣା ନ ଘଟିବ ସେଥିପାଇଁ ଯତ୍ନବାନ ହେବା ଉଚିତ୍ । ଯଦି ପାଣି ନ ବାହାରୁଛି ତେବେ ଉକ୍ତ ଗାତକୁ ପୋତି ଦିଆଯିବ, କିନ୍ତୁ ଖୋଲା ଛଡ଼ାଯିବନି । ଏଥିସହିତ ରାହୁଲର ଚିକିତ୍ସା ଓ ପାଠପଢ଼ା ମାଗଣାରେ କରାଯିବ ବୋଲି ଶ୍ରୀ ବଘେଲ ଏକ ପ୍ରେସ୍ ମିଟରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଅପରାହ୍ଣରେ ରାହୁଲ ୮୦ ଫୁଟର ଏକ ବୋରୱେଲ ଭିତରକୁ ଖସି ପଡ଼ିଥିଲା । ଏହି ଘଟଣାଟି ତ୍ୱରିତ ବେଗରେ ଚାରିଆଡ଼େ ମାଡ଼ି ଯାଇଥିଲା । ତେବେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଗ୍ରାନାଇଟ ପଥରକୁ କାଟି ସୁଡ଼ଙ୍ଗ ନିର୍ମାଣ କରାଯାଇଥିଲା । ରାହୁଲ ନିକଟରେ ପହଞ୍ଚିବା ପାଇଁ ଶେଷ ୪ ଫୁଟ ଖୋଳିବା ପାଇଁ ୩୦ ଘଣ୍ଟାରୁ ଅଧିକ ସମୟ ଲାଗିଯାଇଥିଲା ।

Get real time updates directly on you device, subscribe now.