fbpx
BSKY
BJD SHG SKY
BJD YOUTH SKY

ଅକ୍ଟୋବର ମାସରୁ ରାଜ୍ୟରେ ଆରମ୍ଭ ହେବ ବାଘ ଗଣନା: ପ୍ରଥମେ ଟ୍ରେନିଂ ନେଲେ ୨୦ ଜଣ ମାଷ୍ଟର ଟ୍ରେନର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଅକ୍ଟୋବର ମାସରେ ରାଜ୍ୟରେ ଆରମ୍ଭ ହେବ ବାଘ ଗଣନା । ରାଜ୍ୟର ଶିମିଳିପାଳ ଜାତୀୟ ଉଦ୍ୟାନ, ସାତକୋଶିଆ, ଡେବ୍ରିଗଡ଼, କେନ୍ଦୁଝର, ସୁନାବେଡ଼ା ସହ ଅନ୍ୟ କିଛି ଜଙ୍ଗଲରେ ଏହି ଗଣନା କାର୍ଯ୍ୟ ଆରମ୍ଭ କରିବା ନେଇ ବନ ବିଭାଗ ଲକ୍ଷ୍ୟ ରଖିଛି । ତେବେ ପ୍ରଥମେ ଟ୍ରାଞ୍ଜାକ୍ଟ ଆନାଲିସିସ ଜରିଆରେ ବାଘର ସନ୍ଧାନ କରାଯିବ । ତା’ପରେ ଯେଉଁଠାରେ ବାଘ ସମ୍ପର୍କରେ ସୂଚନା ମିଳିବ ସେଠାରେ କ୍ୟାମେରା ଟ୍ରାପ ଲଗାଯିବ ।

ନିକଟରେ ବେଙ୍ଗାଲୁରୁ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ୩ ଜଣ ବିଶେଷଜ୍ଞ ଆସିଥିବା ବେଳେ ସେମାନେ ପ୍ରଥମେ ୨୦ ଜଣ ମାଷ୍ଟର ଟ୍ରେନରଙ୍କୁ ତାଲିମ୍ ଦେଇଛନ୍ତି । ଆସନ୍ତା ମାସ ୧୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିବାକୁ ଥିବାବେଳେ ସେଥିରେ ୮ଟି ସର୍କଲର ଡିଏଫଓ, ଏସିଏଫ, ବନ ବିଭାଗ ଅଧିକାରୀ, ବନ କର୍ମଚାରୀଙ୍କୁ ସାମିଲ କରାଯାଇଛି । ମାଷ୍ଟର ଟ୍ରେନରମାନେ ଟ୍ରେନିଂ ନେବା ପରେ ସେମାନେ ଗଣନାରେ ସାମିଲ ହେବାକୁ ଥିବା କର୍ମଚାରୀଙ୍କୁ ଟ୍ରେନିଂ ଦେବେ ।

ତେବେ ପ୍ରଥମ ପର୍ଯ୍ୟାୟରେ ଶିମିଳିପାର, କୁଳଡିହା, ହଦଗଡ଼, ଘଟଗାଁ ବନ୍ୟାଞ୍ଚଳରେ ବାଘ ଗଣନା କରାଯିବ । ଗତ ୨୦୧୮ ମସିହା ତୁଳନାରେ ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ହୋଇଥିବା ସୂଚନା ମିଳିଛି । ତେଣୁ ଆଗାମୀ ଦିନରେ ରାଜ୍ୟରେ ବାଘ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି । ଗତ ଅଗଷ୍ଟ ମାସରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ପକ୍ଷରୁ ଦେଶରେ ବ୍ୟାଘ୍ର ଗଣନା ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ଅକ୍ଟୋବର ୧୫ରୁ ୩୧ ପର୍ଯ୍ୟନ୍ତ ବାଘର ଚଲାପଥ ସର୍ଭେ କରାଯିବ । ଜାନୁଆରୀ ୩୧ ସୁଦ୍ଧା ବାଘର ସଠିକ୍ ସଂଖ୍ୟା ନେଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ବନ୍ୟପ୍ରାଣୀ ପିସିସିଏଫ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.