ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ହେଉଛି ୭୧ତମ ଜନ୍ମଦିନ । ମୋଦିଙ୍କ ବିଷୟରେ ଅନେକ କଥା ଆଜି ବି ଦେଶବାସୀଙ୍କୁ ଅଗୋଚର । ମୋଦି ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଠାରୁ କିଛି ଅଲଗା ଅନ୍ଦାଜରେ କାର୍ଯ୍ୟ କରୁଥିବାରୁ ତାଙ୍କ ଜୀବନୀ ଉପରେ ଜାଣିବା ପାଇଁ ସମସ୍ତେ ଇଚ୍ଛୁକ ଥାଆନ୍ତି । ମୋଦିଙ୍କର ପ୍ରାରମ୍ଭିକ ଜୀବନକୁ ଦେଖିଲେ କେହି ବି ଭାବି ପାରିବ ନାହିଁ ଯେ, ଭବିଷ୍ୟତରେ ସେ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି । ଆସନ୍ତୁ ଜାଣିବା ତାଙ୍କର ଜୀବନରେ କିଛି ଖାସ୍ ରହସ୍ୟ ବିଷୟରେ ।
୧- ମୋଦିଙ୍କ ଜନ୍ମ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ବଡନଗରରେ ହୋଇଥିଲା । ପିଲାବେେଳେ ସେ ଗୁଜରାଟର ଜାମନଗରର ସୈନିକ ସ୍କୁଲରେ ପଢ଼ିବାକୁ ଚାହୁଁଥିଲେ, ମାତ୍ର ଆର୍ଥିକ ସମସ୍ୟା କାରଣରୁ ତାହା ସମ୍ଭବ ହୋଇପାରି ନଥିଲା । ପିଲାବେଳେ ସେ ଗୁଜରାଟର ମହେସାଣା ରେଳ ଷ୍ଟେସନରେ ଚା’ ବିକ୍ରି କରୁଥିଲେ ।
୨- ମାତ୍ର ୧୮ ବର୍ଷ ବୟସରେ ସେ ନିଜ ପତ୍ନୀଙ୍କୁ ଛାଡ଼ି ସନ୍ନ୍ୟାସ ପଥରେ ଯାଇଥିଲେ । ଏହାର ପରବର୍ତ୍ତୀ ବର୍ଷ ସେ ଉତ୍ତର ଓ ଉତ୍ତର-ପୂର୍ବ ଭାରତ ଯାତ୍ରା କରିଥିଲେ । ଏହି ଅବସରରେ ସେ ବେଲୁର ମଠ, ଅସମର ସିଲିଗୁଡ଼ି ଓ ଗୌହାଟୀ, ଅଲମୌଡ଼ାର ଅଦ୍ୱୈତ ଆଶ୍ରମରେ ରହିଥିଲେ । ସେ କୌଣସି ସ୍ଥାନରେ ଅଧିକ ସମୟ ପର୍ଯ୍ୟନ୍ତ ନ ରହିବା ସହ କଲେଜ ଶିକ୍ଷା ସମାପ୍ତ କରିପାରିନଥିଲେ ।
୩- ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ମୋଦି ଅନୁପ୍ରାଣିତ ହୋଇଥିବା ସେ ନିଜେ ସ୍ୱୀକାର କରିଛନ୍ତି । ୧୯୭୧ରେ ଦିଲ୍ଲୀରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଜନସଂଘ ସତ୍ୟାଗ୍ରହରେ ସେ ସାମିଲ ହୋଇଥିଲେ । ଏହା ତାଙ୍କର ପ୍ରଥମ ରାଜନୀତିକ ଯାତ୍ରା ଥିଲା । ସେ ସମୟରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସରକାର ବାଂଲାଦେଶର ମୁକ୍ତି ବାହିନୀକୁ ଖୋଲା ସମର୍ଥନ ଦେଇନଥିଲେ । ଏହି କାରଣରୁ କିଛିଦିନ ପାଇଁ ମୋଦିଙ୍କୁ ତିହାର ଜେଲକୁ ଯିବାକୁ ପଡ଼ିଥିଲା ।
୪- ୧୯୭୧ ପରେ ମୋଦି ନିଜ ଚାଚାଙ୍କ ସହ କାମ କରିବା ବନ୍ଦ କରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପୂର୍ଣ୍ଣ ପ୍ରଚାର ହୋଇଯାଇଥିଲେ । ଜରୁରୀକାଳୀନ ସମୟରେ ତାଙ୍କୁ ଆରଏସଏସର ଗୁଜରାର ଲୋକ ସଂଘର୍ଷ ସମିତିର ସଚିବ ନିଯୁକ୍ତି କରାଯାଇଥିଲା ।
୫- ଜରୁରୀକାଳୀନ ପରିସ୍ଥିତି ପରେ ସେ ଦିଲ୍ଲୀ ୟୁନିଭରସିଟିର ସ୍କୁଲ ଅଫ ଓପନ ଲର୍ଣ୍ଣିଂରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ । ଏହାପରେ ଗୁଜରାଟ ୟୁନିଭରସିଟିରୁ ଡିଷ୍ଟାନ୍ସ ଲର୍ଣ୍ଟିଂରେ ଏମଏ ପାସ୍ କରିଥିଲେ ।
୬- ୧୯୮୫ରେ ତାଙ୍କୁ ଆରଏସଏସରୁ ବିଜେପିକୁ ପଠାଯାଇଥିଲା । ୧୯୮୭ରେ ତାଙ୍କ ନେତୃତ୍ୱରେ ଭାଜପା ଅହମ୍ମଦାବାଦ ନଗର ନିଗମ ନିର୍ବାଚନ ଜିତିଥିଲା । ଏହାପରେ ସେ ଗୁଜରାଟ ବିଜେପି ସଂଗଠର ସଚିବ ଭାବେ ନିଯୁକ୍ତ ହୋଇଥିଲେ ।
୭- ୧୯୯୦ରେ ସେ ଲାଲକୃଷ୍ଣ ଆଡଭାନୀଙ୍କ ରଥଯାତ୍ରାକୁ ସହଯୋଗ କରିଥିଲେ । ଏହାପରେ କିଛି ବର୍ଷ ପାଇଁ ରାଜନୀତିରୁ ଦୂରେଇ ରହି ୧୯୯୪ରେ ପୁଣି ଫେରିଥିଲେ । ୧୯୯୫ ଗୁଜରାଟ ବିଧାନସଭା ବିଜୟ ଶ୍ରେୟ ତାଙ୍କୁ ମିଳିବା ସହ ସେ ବିଜେପିର ରାଷ୍ଟ୍ରୀୟ ସଚିବ ନିଯୁକ୍ତ ହୋଇଥିଲେ।
୮- ୧୯୯୮ର ଗୁଜରାଟ ନିର୍ବାଚନର ଶ୍ରେୟ ମୋଦିଙ୍କୁ ମିଳିଥିଲା । ୨୦୦୧ରେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ୨୦୧୪ ପର୍ଯ୍ୟନ୍ତ ଲଗାତର ଏହି ପଦରେ ରହିଥିଲେ । ସେ କ୍ଷମତାରେ ରହି ଅନେକ ବିକାଶ ମୂଳକ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ । ୨୦୧୪ରେ ସେ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ ।