fbpx

ପାକିସ୍ତାନୀ ଯୁବକ-ଭାରତୀୟ ଯୁବତୀ: ୨୦୦୨ରେ ବିବାହ, ୨୦୧୪ରେ ଛାଡ଼ପତ୍ର, କୋର୍ଟଙ୍କ ନିଷ୍ପତ୍ତି ପରେ ଦୁଇ ଶିଶୁଙ୍କ ଭବିଷ୍ୟତ ଅନ୍ଧାର

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ କାହାକୁ ବା ଅଜଣା । ଭାରତର ସୀମାରେ ପାକିସ୍ତାନ ସର୍ବଦା ଆତଙ୍କବାଦ କାର୍ଯ୍ୟକଳାପରେ ବ୍ୟସ୍ତ ରହିଥାଏ । ତେବେ ଦୁଇ ଦେଶ ମଧ୍ୟରେ ଥିବା ଏହି ଶତ୍ରୁତା ପାଇଁ ଅନେକ ସମୟରେ ଦୁଇ ଦେଶର ନିରୀହ ନାଗରିକମାନେ ବଳି ପଡ଼ିଥାନ୍ତି । ଏପରିକି ଦେଶ-ଦେଶ ମଧ୍ୟରେ ଥିବା ଖରାପ ସମ୍ପର୍କ କାରଣରୁ ଅନେକ ସମୟରେ କିଛି ଭାରତୀୟ ବନ୍ଦୀ ଦଶନ୍ଧି ଦଶନ୍ଧି ଧରି ମୁକୁଳି ପାରନ୍ତି ନାହିଁ ।

ତେବେ ଅନେକ ସମୟରେ କିଛି ଭାରତୀୟ ଯୁବକ, ଯୁବତୀ ପାକିସ୍ତାନୀ ଯୁବକ, ଯୁବତୀଙ୍କୁ ଭଲ ପାଇ ବିବାହ କରିଥାନ୍ତି । ପରବର୍ତ୍ତୀ ସମୟରେ ସେମାନଙ୍କଠାରୁ ଜନ୍ମିତ ସନ୍ତାନମାନେ ନାଗରିକତା ପାଇଁ ଆଇନଗତ ଲଢ଼େଇର ସମ୍ମୁଖୀନ ହୋଇଥାନ୍ତି । ତେବେ ଏକ ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନର ପିତା ଓ ଭାରତୀୟ ମା’ଙ୍କଠାରୁ ଜନ୍ମ ହୋଇଥିବା ଦୁଇ ସନ୍ତାନଙ୍କୁ ଭାରତର ନାଗରିକତା ମିଳିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ପାକିସ୍ତାନର ନାଗରିକତା ଛାଡ଼ିବା ପରେ ଭାରତୀୟ ନାଗରିକତା ପ୍ରଦାନ ପାଇଁ ୨୧ ବର୍ଷର ବୟସ ନିୟମ ଏ କ୍ଷେତ୍ରରେ ମୁଖ୍ୟ ବାଧା ସାଜିଥିଲା । ବର୍ତ୍ତମାନ ଦୁଇ ନାବାଳକ ସନ୍ତାନ ତାଙ୍କ ପିତାଙ୍କ ଠାରୁ ଅଲଗା ହୋଇ ବେଙ୍ଗାଲୁରୁରେ ରହୁଥିବା ମାଆଙ୍କ ପାଖରେ ରହୁଛନ୍ତି ।

ସୂଚନା ମୁତବାକ, ଗତ ୨୦୦୨ରେ ବେଙ୍ଗାଲୁରୁର ଅମିନା ରାହିଲ ପାକିସ୍ତାନର ଆସାଦ ମଲ୍ଲିକଙ୍କୁ ଦୁବାଇରେ ବିବାହ କରିଥିଲେ । ତେବେ ଦମ୍ପତ୍ତିଙ୍କର ୨୦୧୪ରେ ଦୁବାଇ କୋର୍ଟରେ ଛାଡ଼ପତ୍ର ହେବା ପରେ ଦୁଇ ସନ୍ତାନ ଅମିନାଙ୍କ ପାଖରେ ରହିଥିଲେ । ଏହାପରେ ୨୦୨୧ରେ ଅମିନା ୧୪ ଓ ୧୭ ବର୍ଷୀୟ ଦୁଇ ସନ୍ତାନଙ୍କୁ ଧରି ନିଜର ଜନ୍ମଭୂମି ବେଙ୍ଗାଲୁରୁକୁ ଫେରି ଆସିଥିଲେ । ଯଦିଓ ଅମିନା ଭାରତୀୟ ଥିଲେ, ମାତ୍ର ପିତା ପାକିସ୍ତାନର ହୋଇଥିବାରୁ ସନ୍ତାନ ମଧ୍ୟ ପାକିସ୍ତାନୀ ଥିଲେ ।

ତେବେ ଦୁଇ ସନ୍ତାନଙ୍କ କ୍ଷେତ୍ରରେ ଆଇନଗତ ପ୍ରତିବନ୍ଧକ ଦେଖାଦେବା ପରେ ଅମିନା ଦୁବାଇରେ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିଥିଲେ । ମାନବିକତା ଆଧାରରେ ଭାରତୀୟ ଦୂତାବାସ ଦୁଇ ଶିଶୁଙ୍କ ପାସପୋର୍ଟ ପାକିସ୍ତାନ ଦୂତାବାସ ନିକଟରେ ଜମା କରି ସେମାନଙ୍କୁ ଅସ୍ଥାୟୀ ପାସପୋର୍ଟ ପ୍ରଦାନ କରିଥିଲା । ବର୍ତ୍ତମାନ ସେମାନଙ୍କର ଅସ୍ଥାୟୀ ପାସପୋର୍ଟର ଅବଧି ସରିଯାଇଥିବାରୁ ସେମାନଙ୍କୁ ଭାରତୀୟ ପାସପୋର୍ଟ ପ୍ରାପ୍ତ କରିବାକୁ ପଡ଼ିବ । ଏଥିପାଇଁ ଅମିନା ଓ ତାଙ୍କ ପରିବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିକଟରେ ଅସ୍ଥାୟୀ ପାସପୋର୍ଟ ଅବଧି ବଢ଼ାଇବା ପାଇଁ ଆବେଦନ କରିଛନ୍ତି । ମାତ୍ର ବର୍ତ୍ତମାନ କୋର୍ଟ ଅମିନାଙ୍କ ଅପିଲକୁ ଖାରଜ କରିଦେଇ ଥିବାରୁ ଛୁଆଙ୍କ ପାଇଁ ଏବେ ଚିନ୍ତାରେ ରହିଛନ୍ତି ଅମିନା । ଗୃହ ମନ୍ତ୍ରଣାଳୟ ଅସ୍ଥାୟୀ ପାସପୋର୍ଟର ଅବଧି ବୃଦ୍ଧି କରିବେ ବୋଲି ପରିବାର ଆଶାବାନ୍ଧି ରହିଛନ୍ତି ।

Get real time updates directly on you device, subscribe now.