fbpx

ଚଳିତ ବର୍ଷ ଗ୍ରୀଷ୍ମରେ ହେବ ନାହିଁ ବିଦ୍ୟୁତ କାଟ: ଶକ୍ତି ବିଭାଗ ଓ GRIDCO ପକ୍ଷରୁ ପ୍ରସ୍ତୁତ ହେଲା ସ୍ପେଶାଲ ପ୍ଲାନ୍

ନୂଆଦିଲ୍ଲୀ: ବର୍ତ୍ତମାନ ଗ୍ରୀଷ୍ମ ସିଜିନ୍ ଚାଲିଥିଲେ ହେଁ ପାଗରେ ସାମାନ୍ୟ ଶିଥିଳ ଦେଖାଯାଇଛି । ପଶ୍ଚିମା ଝଡ଼ର ଆଗମନ କାରଣରୁ ଗତ କିଛିଦିନ ହେଲା ରାଜ୍ୟରେ ବର୍ଷା ହେଉଛି । ବର୍ତ୍ତମାନ ଏପ୍ରିଲ ମାସର ଆରମ୍ଭ ହୋଇଥିବା ବେଳେ ଖରା ଆସନ୍ତା ଜୁନ୍ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି । ତେଣୁ ପ୍ରବଳ ଖରାରେ ଜନସାଧାରଣ ଛଟପଟ ହେବା ସମୟରେ ବିଦ୍ୟୁତ ହିଁ ସେମାନଙ୍କର ମୁଖ୍ୟ ସାହାରା ହୋଇଥାଏ । ଅନେକ ସମୟରେ ବିଦ୍ୟୁତ କାଟକୁ ନେଇ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ତେବେ ରାଜଧାନୀ ଭୁବନେଶ୍ୱର ବାସୀଙ୍କ ପାଇଁ ବିଜୁଳି କାଟକୁ ନେଇ ଏକ ବଡ଼ ଖବର ଆସିଛି । ଆଗକୁ ଯଦି ବାତ୍ୟା କି ପ୍ରାକୃତିକ ଦୁର୍ବିପାକ ନହୁଏ ତେବେ ଲୋକଙ୍କ ପାଇଁ ବିଜୁଳି ସରବରାହ ଅବ୍ୟାହତ ରହିବ । କୋଭିଡ୍ ପରେ ବିଭିନ୍ନ ଶିଳ୍ପ ଓ କଳକାରଖାନାମାନଙ୍କରେ ଉତ୍ପାଦନ ବୃଦ୍ଧି ହୋଇଥିବାରୁ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ବିଦ୍ୟୁତ ଚାହିଦା ୨୦ ପ୍ରତିଶତ ବଢ଼ିବାର ସମ୍ଭାବନା ରହିଛି । ତେଣୁ ଏଭଳି ସ୍ଥିତିରେ ବିଦ୍ୟୁତ କଟ ନକରିବା ପାଇଁ ରାଜ୍ୟ ସରକାର ଓ ଗ୍ରୀଡକୋ ପକ୍ଷରୁ ଏକ ସ୍ପେଶାଲ ପ୍ଲାନ୍ ପ୍ରସ୍ତୁତ କରାଯାଇଛି ।

ସୂଚନା ମୁତାବକ, ଲୋକଙ୍କୁ କିପରି ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ ସେବା ମିଳିବ ସେନେଇ ଶକ୍ତି ବିଭାଗ ଓ ଗ୍ରୀଡକୋ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ପିକ୍ ଆୱାରରେ ଚାହିଦା ମେଣ୍ଟାଇବା ପାଇଁ ୪୦୦-୪୫୦ ମେଗାୱାଟ ବିଦ୍ୟୁତ ଜଳବିଦ୍ୟୁତରୁ ଆସୁଥିବା ବେଳେ ଏଥର ୬୦୦-୬୫୦ ମେଗାୱାଟ ଆଣିବାକୁ ପଦକ୍ଷେପ ନିଆଯାଇଛି । ସେଥିପାଇଁ ହାଇଡ୍ରୋ ପାୱାର ଷ୍ଟେସନରେ ପର୍ଯ୍ୟାପ୍ତ ମାତ୍ରାରେ ଜଳ ରଖାଯାଇଛି । ଏଥିସହିତ ବଣ୍ଟନ କମ୍ପାନୀ ଓ ଉତ୍ପାଦନ କମ୍ପାନୀମାନଙ୍କୁ ସେମାନଙ୍କର ନେଟୱାର୍କକୁ ଠିକ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.