fbpx

ସୋନୁଙ୍କ ଠାରୁ ଆସିନି କୌଣସି ସହଯୋଗ, ଗଞ୍ଜାମରେ ଅଭାବ ନାହିଁ ବେଡ୍

ବ୍ରହ୍ମପୁର(ଓଡ଼ିଶା ଭାସ୍କର): କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ବଲିଉଡ୍ ଅଭିନେତା ସୋନୁ ସୁଦ ଲୋକମାନଙ୍କୁ ସାହାଯ୍ୟ କରିଆସୁଛନ୍ତି । ଲୋକଙ୍କୁ ଯାତାୟାତ ଠାରୁ ଆରମ୍ଭ କରି ବିଭିନ୍ନ ହସ୍ପିଟାଲରେ ପହଞ୍ଚିବା, କୋଭିଡ୍ ବେଡ୍ ପାଇବା, ଅକ୍ସିଜେନ୍ ଯୋଗାଇବା ଆଦି ସାମାଜିକ ସେବା କାର୍ଯ୍ୟ କରିଆସୁଛନ୍ତି । ଏପରିକି ଦେଶ ବାହାରେ ରହୁଥିବା ଭାରତୀୟଙ୍କୁ ମଧ୍ୟ ସେ ସହଯୋଗର ହାତ ବଢ଼ାଇଛନ୍ତି । ତେବେ ରାଜ୍ୟର ଗଞ୍ଜାମ ଜିଲ୍ଲାକୁ ସୋନୁ କିଛି ବେଡ୍ ଯୋଗାଇଥିବା ସେ ନିଜେ ଟୁଇଟ୍ କରିଥିଲେ । କିନ୍ତୁ ଏହି ଖବର କୁ ଖଣ୍ଡନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ସୁଚନା ଅନୁଯାୟୀ, ମେ ୧୫ ତାରିଖରେ ସୋନୁ ଗଞ୍ଜାମର ସିଟି ହସ୍ପିଟାଲରେ କୋଭିଡ଼୍ ଆକ୍ରାନ୍ତଙ୍କ ନିମନ୍ତେ କୋଭିଡ୍ ବେଡର ବ୍ୟବସ୍ଥା କରିଛନ୍ତି ବୋଲି ଟୁଇଟ୍ କରି ସୁଚନା ଦେଇଥିଲେ । ହେଲେ ଏହାକୁ ଆଜି ଗଞ୍ଜାମ ଜିଲ୍ଲାପାଳ ଖଣ୍ଡନ କରିଛନ୍ତି । ସୋନୁ ଏନେଇ ଟୁଇଟ୍ କରିଥିବା ପୋଷ୍ଟ୍ ର ସ୍କ୍ରିନ୍ ସଟ୍ ସେୟାର କରି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ଯେ, ସୋନୁଙ୍କ ଫାଉଣ୍ଡେସନ୍ କିମ୍ବା ତାଙ୍କ ପକ୍ଷରୁ କୌଣସି ଯୋଗାଯୋଗ କରାଯାଇ ନାହିଁ । ଯେଉଁ କୋଭିଡ୍ ଆକ୍ରାନ୍ତ ସୋନୁଙ୍କୁ ବେଡ୍ ପାଇଁ ଅନୁରୋଧ କରିଥିଲେ ସେ ବର୍ତ୍ତମାନ ହୋମ୍ ଆଇସୋଲେସନ୍ ଅଛନ୍ତି । ବ୍ରହ୍ମପୁରରେ ଶଯ୍ୟାର ଅଭାବକୁ ନେଇ କୌଣସି ଅଭିଯୋଗ ନାହିଁ ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଜଣେ କୋଭିଡ୍ ଆକ୍ରାନ୍ତ ସୋନୁଙ୍କୁ ଗଞ୍ଜାମର ସିଟି ହସ୍ପିଟାଲରେ ବେଡ୍ ବ୍ୟବସ୍ଥା କରିବା ନେଇ ନିବେଦନ କରିଥିଲେ । ଉକ୍ତ ଆକ୍ରାନ୍ତ ଜଣଙ୍କ ନାଁ ହେଉଛି ପ୍ରଦୀପ ବେହେରା । ସେ ଟୁଇଟ୍ କରି ସୋନୁଙ୍କୁ ଜଣାଇଥିଲେ । ଏହାପରେ ସୋନୁ ସିଟି ହସ୍ପିଟାଲରେ ବେଡ୍ ର ବ୍ୟବସ୍ଥା କରିଛନ୍ତି ବୋଲି ଉଲ୍ଲେଖ କରି ମେ’ ୧୫ ତାରିଖରେ ଟୁଇଟ୍ କରି ଜଣାଇଥିଲେ । ବର୍ତ୍ତମାନ ଏହି ମାମଲା ପରେ ବ୍ରହ୍ମୁପୁରରେ ଦୁହିଁଙ୍କ ଟୁଇଟ୍ ଭାଇରାଲ୍ ହେବାରେ ଲାଗିଛି ।

 

Get real time updates directly on you device, subscribe now.